ନୂଆ ଜଗନ୍ନାଥ ସଡ଼କକୁ ମିଳିଲାନି ଏନ୍‌ଏଚ୍‌ ମାନ୍ୟତା, ସ୍ବପ୍ନଦେଖାଇ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ପୁରୀ: ନୂଆ ଜଗନ୍ନାଥ ସଡ଼କକୁ ମିଳିବ ଜାତୀୟ ରାଜପଥ (ଏନ୍‌ଏଚ୍‌) ମାନ୍ୟତା। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ପ୍ରମୁଖ ରାସ୍ତା ଜାତୀୟ ରାଜପଥ ବିଭାଗକୁ ଅଧୀନକୁ ଆସିବ। ନବକଳେବର ସମୟରେ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟର ଶୁଭାରମ୍ଭ କରି ଏହି ଘୋଷଣା କରିଥିଲେ କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ। ଏହି ରାସ୍ତାର ବିକାଶ ହେଲେ କେବଳ ଧାର୍ମିକ କ୍ଷେତ୍ର ପୁରୀରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବନି, ପଛୁଆ ଅଞ୍ଚଳକୁ ଯୋଗାଯୋଗ ସୁଗମ ହେବ। ଏହା ଭିତରେ ୬ ବର୍ଷ ବିତିଗଲାଣି, ତଥାପି ନୂଆ ଜଗନ୍ନାଥ ସଡ଼କକୁ ମିଳିପାରିନି ଜାତୀୟ ରାଜପଥ ମାନ୍ୟତା। ଏବେ ବି ପୂର୍ତ୍ତ ବିଭାଗ ଅଧୀନରେ ଏହା ରହିଛି। ବାରମ୍ବାର କେନ୍ଦ୍ର ରାଜପଥ ମନ୍ତ୍ରାଳୟକୁ ଏ ସଂପର୍କିତ ପ୍ରସ୍ତାବ ପଠାଯାଉଥିଲେ ବି ବିଭିନ୍ନ ଆଳ ଦେଖାଇ ପ୍ରସ୍ତାବକୁ ଅଟକାଇ ଦିଆଯାଉଛି।

୨୦୧୫ ନବକଳେବର ସମୟରେ ପୁରୀ-ଭୁବନେଶ୍ବର ୩୧୬ ନଂ ଜାତୀୟ ରାଜପଥର ଦୋହରୀକରଣ କରାଯାଇଥିଲା। ଦୁ‌ଇ ଲେନ୍‌ର ରାସ୍ତାକୁ ଚାରିଲେନ୍‌ କରାଯାଇଥିଲା। ସେ ସମୟରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଓଡ଼ିଶାରେ ୭ଟି ନୂଆ ଜାତୀୟ ରାଜପଥର ନାମ ଘୋଷଣା କରିଥିଲେ। ଯେଉଁଥିରେ ୧୪୦ କିଲୋମିଟରର ନୂଆ ଜଗନ୍ନାଥ ସଡ଼କ (ଚନ୍ଦନପୁର-ରାମେଶ୍ବର-ନୟାଗଡ଼) ଅନ୍ତର୍ଭୁକ୍ତ ଥିଲା। ୧୪୦ କିଲୋମିଟର ନୂଆ ଜଗନ୍ନାଥ ସଡ଼କ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଦେଇଯାଇଛି। ତେବେ ପୁରୀ ଜିଲ୍ଲାର ସଦର, ସତ୍ୟବାଦୀ ଓ କଣାସ ବ୍ଲକ୍‌ ଏବଂ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଦେଇ ଯାଇଥିବା ଚନ୍ଦନପୁର-ରାମେଶ୍ବର ରାସ୍ତା ସିଧାସଳଖ ଭୁବନେଶ୍ବର-ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି। ଏହି ଦୃଷ୍ଟିରୁ ନୂଆ ଜଗନ୍ନାଥ ସଡ଼କ ଉପରେ ସିଂହଭାଗ ଲୋକ ନିର୍ଭର କରନ୍ତି। କେବଳ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ନୁହେଁ, ଗଞ୍ଜାମ, ନୟାଗଡ଼ ଜିଲ୍ଲାର ଲୋକେ ପୁରୀ ଆସିବାକୁ ହେଲେ ଏହି ରାସ୍ତା ଦେଇ ଯାଆସ କରିଥାନ୍ତି। ବାହାର ରାଜ୍ୟର ପର୍ଯ୍ୟଟକ, ବିଶେଷ କରି ଆନ୍ଧ୍ରପ୍ରଦେଶରୁ ଆସୁଥିବା ଗାଡ଼ିମୋଟର ବି ଏହି ରାସ୍ତା ଦେଇ ଯା’ଆସ କରିଥାଏ। ରାସ୍ତାର ଗୁରୁତ୍ବକୁ ଦୃଷ୍ଟିରେ ରଖି ସେ ସମୟରେ କେନ୍ଦ୍ରମନ୍ତ୍ରୀ ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ କରିବାକୁ ଘୋଷଣା କରିଥିଲେ। ମାତ୍ର, କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା କେବଳ ଘୋଷଣାରେ ରହିଯାଇଛି।

ଏ ସଂପର୍କରେ ପୁରୀ ଜିଲ୍ଲା ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଜିତ ମହାପାତ୍ର କହିଛନ୍ତି, ‘ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ‌ଘୋଷଣା ପରେ ଅନେକଥର ‌ସର୍ଭେ ହୋଇଛି। ଭୁବନେଶ୍ବରର ଏକ କନ୍‌ସଲ୍‌ଟାନ୍ସି ସଂସ୍ଥା ଜରିଆରେ ରାସ୍ତାର ପ୍ରାଥମିକ ମାପଚୁପ କରାଯାଇ କେନ୍ଦ୍ର ରାଜପଥ ମନ୍ତ୍ରାଳୟକୁ ରିପୋର୍ଟ ପଠାଯାଇଛି। କିନ୍ତୁ କେନ୍ଦ୍ର ରାଜପଥ ମନ୍ତ୍ରାଳୟର ଏହା ଅନୁମୋଦନ ଲାଭ କରିପାରିନି।’

ସମ୍ବନ୍ଧିତ ଖବର