ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ପୁଣି ଏନ୍‌ଜିଟି  ଝଟକା; ସାହାଡ଼ାଘାଇ ବେଆଇନ ଖଣିର ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ପ୍ରାୟ ଦୁଇ ମାସ ବ୍ୟବଧାନରେ ପୁଣି ଏକ ବେଆଇନ ଖଣି ମାମଲାରେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍‌ କୋଲକତା ଖଣ୍ଡପୀଠ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବନ ବିଭାଗକୁ କଡ଼ା ସମାଲୋଚନା କରିଛି । ନିଜେ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଓ ଖଣି-ଭୂତତ୍ୱ ନିର୍ଦ୍ଦେଶକ କିମ୍ବା ସେମାନଙ୍କ ପ୍ରତିନିଧି ଘଟଣାସ୍ଥଳ ପରିଦର୍ଶନ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀଙ୍କ ଓକିଲ ଶଙ୍କର ପ୍ରସାଦ ପାଣି ଏନ୍‌ଜିଟିଙ୍କୁ ଏକ ସତ୍ୟପାଠ ଦ୍ୱାରା ଦର୍ଶାଇଥିଲେ ଯେ ଟାଙ୍ଗୀ ତହସିଲ ଅନ୍ତର୍ଗତ ସାହାଡ଼ାଘାଇ ମୌଜାର ବାଗାୟତ କିସମ ଜମିରେ ବେଆଇନ ଖଣି ଚାଲୁଛି । ପ୍ଲଟ ନମ୍ବର ୭୧୯ର ୬.୩୨ ଏକର ଜମିରେ ଚାଲୁଥିବା ମାଙ୍କଡ଼ା ପଥର ଖଣି ପାଇଁ ଖଣି ସ୍ଥାପନର ଅନୁମତି, ଖଣି ଖନନର ଅନୁମତି ନାହିଁ । ୨୦୨୨ ମଇ ୧୧ ତାରିଖରେ ପତିତପାବନ ବାରିକଙ୍କ ନାମରେ ହସ୍ତାନ୍ତର ହୋଇଥିବା ପରିବେଶ ମଂଜୁରୀରେ ୫ବର୍ଷ ପାଇଁ ବାର୍ଷିକ ୧୫ଶହ ଘନ ମିଟର ପଥର ଉତ୍ତୋଳନ କରିବାକୁ ଅନୁମତି ଦିଆଯାଇଛି । ୨୦୨୨ ଅକ୍ଟୋର ୧୨ ତାରିଖରେ ଖଣି ସ୍ଥାପନ ଅନୁମତି ମିଳିଛି ।

ତେବେ ଏହା ପୂର୍ବରୁ ୨୦୨୨ ମାର୍ଚ୍ଚ ୯ ତାରିଖରେ ଖଣି ପରିବହନ ପାଇଁ ୱାଇ-ଫର୍ମ ପ୍ରଦାନ କରାଯାଇଛି । ଏଥିରୁ ସ୍ପଷ୍ଟ ଯେ ପରିବେଶ ମଂଜୁରୀ ମିଳିବାର ଅନେକ ପୂର୍ବରୁ ସେଠାରେ ଖଣି ଖନନ ଜାରି ରହିଛି । କେବଳ ଏହାନୁହେଁ ନିର୍ଦ୍ଧାରିତ ଅଂଚଳ ବାହାରେ ଜଙ୍ଗଲ ଜମିରୁ ଖଣି ଖନନ ପାଇଁ ଉକ୍ତ ଖଣିରୁ ୭ଟି ଟ୍ରକ୍, ୨ଟି ପାୱର ଟିଲର ଓ ଗୋଟିଏ ମୋଟରସାଇକଲକୁ ପୁଲିସପ୍ରଶାସନ ଜବତ କରିଛି । ପରିବେଶ ମଂଜୁରୀ ୭୧୯ ନମ୍ବର ପ୍ଲଟରେ ଖଣି ଖନନ ପାଇଁ ମିଳିଥିବା ବେଳେ ୭୧୨ଳ ୭୧୩, ୭୧୪, ୭୧୬ ଓ ୭୧୭ରେ ବେଆଇନ ଭାବେ ଖଣି ଖନନ କରାଯାଉଛି । ସାବିକ ରେକର୍ଡରେ ରହିଥିବା ଏହି ସମସ୍ତ ଜମି ଶତାଧିକ ଆକାଶିଆ, କାଜୁ, ଆମ୍ବ ଆଦି ଗଛକୁ କାଟି ଦିଆଯାଇଛି ।

ଏହି ଘଟଣାରେ, ଖୋର୍ଦ୍ଧା ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ସରକାର, ଖଣି ନିର୍ଦ୍ଦେଶାଳୟଙ୍କ ସମେତ ସମ୍ପୃକ୍ତ ଖଣି ମାଲିକ ଓ ଅନ୍ୟ ୫ ସରକାରୀ ବିଭାଗଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଆବେଦନକୁ ଗ୍ରହଣ କରି ଚଳିତ ମାସ ୨୩ ତାରିଖରେ ଏନ୍‌ଜିଟିର ବିଚାରପତି ବି ଅମିତ ସ୍ଥଲେକର ଓ ବିଚାରବିଭାଗୀୟ ସଦସ୍ୟ ପ୍ରଫେସର ଏ ସେନ୍ଥିଲ୍ ଭେଲ୍ଙ୍କୁ ନେଇ ଖଣ୍ଡପୀଠ ଜିଲ୍ଲାପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି । ଖଣି ମାଲିକ ପତିତପାବନ ବାରିକଙ୍କୁ ଉକ୍ତ ଖଣି ଲିଜ୍ ୪ ସପ୍ତାହ ମଧ୍ୟରେ ଫେରାଇ ଦେବାକୁ ନୋଟିସ ଜାରି କରିବା ସହ ବେଆଇନ ଖଣି ଖନନକୁ ତୁରନ୍ତ ବନ୍ଦ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଓ ଖଣି ନିଦେ୍ର୍ଦଶକ କିମ୍ବା ସେମାନଙ୍କ ପ୍ରତିନିଧିଙ୍କୁ ନେଇ ଏକ ଟିମ୍ ଉକ୍ତ ଅଂଚଳର ସରଜମିନ ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତୀ ଶୁଣାଣି ଫେବ୍ରୁଆରି ୨୮ ତାରିଖକୁ ଧାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଦୁଇ ମାସ ପୂର୍ବେ ତାପଙ୍ଗଗଡ଼ ଅଂଚଳରେ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ସମ୍ପର୍କିତ ମାମଲାର ବିଚାର କରି ଏନ୍ଜିଟି ୩୨ଟି ଖଣିକୁ ସବୁଦିନ ପାଇଁ ବନ୍ଦ କରିବା ସହ ଶ୍ରୀମନ୍ଦିର ପ୍ରଶାସନକୁ ନଷ୍ଟ ହୋଇଥିବା ପରିବେଶର ଭରଣା ପାଇଁ ୧୭ କୋଟି ଟଙ୍କା ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।

ସମ୍ବନ୍ଧିତ ଖବର