ନାବାଳିକାର ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକ ୪୦ କି.ମି ବୁଲିବା ଘଟଣା : କେନ୍ଦ୍ରାପଡ଼ା ଏସ୍‌ପି ଓ ସ୍ବାସ୍ଥ୍ୟ ସଚିବଙ୍କୁ ଜାତୀୟ ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅଧୀନ ଡାଙ୍ଗମାଳ ପଞ୍ଚାୟତ ସାରଦାପ୍ରସାଦ ଗାଁର ସୁବ୍ରତ ଗିରିଙ୍କ ୪ ବର୍ଷର ଝିଅର ଶବ ବ୍ୟବଚ୍ଛେଦ ପାଇଁ ପରିବାରଲୋକ ୪୦ କିମି ବୁଲିବା ଘଟଣାରେ ଜାତୀୟ ମାନବାଧିକାର କମିସନ୍‌ କେନ୍ଦ୍ରାପଡ଼ା ଏସ୍‌ପି ଓ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କରିବା ପାଇଁ କମିସନ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ସୁବ୍ରତ ଗିରିଙ୍କ ଝିଅ ପୋଖରୀରେ ବୁଡ଼ି ଯାଇଥିଲେ। ପରିବାରଲୋକ ତାଙ୍କୁ ଉଦ୍ଧାର କରି ଡାଙ୍ଗମାଳସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ସେଠାରେ ତାଲା ଝୁଲୁଥିବାରୁ ଜଣେ କ୍ବାକ୍‌ଙ୍କୁ ଦେଖାଇଥିଲେ। କିନ୍ତୁ ଝିଅର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଦେଖି କ୍ବାକ୍ ତାଙ୍କୁ ରାଜନଗର‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ତେବେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲା ବେଳକୁ ଶିଶୁକନ୍ୟାଟିର ମୃତ୍ୟୁ ଘଟି ସାରିଥିଲା। ଡାକ୍ତର ଝିଅକୁ ମୃତ୍ୟୁ ଘୋଷଣା କରିବା ସହ ନିକଟସ୍ଥ ଥାନା ଓ ପରିବାରଲୋକ ଜଣାଇଥିଲେ। କିନ୍ତୁ ଶିଶୁଟିର ଘର ଅନ୍ୟ ଥାନା ଅଞ୍ଚଳରେ ହୋଇଥିବାରୁ ଅଭିଯୋଗ ହୋଇପାରିବ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା। ଫଳରେ ବାଧ୍ୟ ହୋଇ ପରିବାରଲୋକ ୪୦ କିମି ଦୂର ଡାଳଚୁଆ ସାମୁଦ୍ରିକ ଥାନାରେ ପହଞ୍ଚି ଅଭିଯୋଗ କରିବାରୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶିଶୁର ଶବକୁ ବ୍ୟବଚ୍ଛେଦ ପାଇଁ ଆଳି ପଠାଇଥିଲା। ଏହି ଘଟଣାରେ ମାନବାଧିକାର କର୍ମୀ ଦିଲ୍ଲୀପ ଦାସ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର