ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ବିକ୍ଷୋଭ

ହୋମଗାର୍ଡଙ୍କୁ ଭିଲେଜ ପୁଲିସର ମାନ୍ୟତା ପାଇଁ ଦାବି

ଭୁବନେଶ୍ୱର: ୬ଦଫା ଦାବି ନେଇ ଆଜି ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ସଭାପତି ଅମରେଶ୍ୱର ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଗ୍ରାମରକ୍ଷୀ ରେଳ ଷ୍ଟେସନ୍‌ରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ସଂଘର ଦାବି ମଧ୍ୟରେ ରହିଛି, ଗ୍ରାମରକ୍ଷୀମାନଙ୍କ ମାସିକ ବେତନ ୯ହଜାର ୩ଶହ ଟଙ୍କା ସହିତ ଡିଏ, ଏଡିଏ, ଗ୍ରେଡ ପେ, ଇଏସ୍‌ଏ ଓ ପିଏସ୍‌ଆଇ ପ୍ରଦାନ କରାଯାଉ। ଗ୍ରାମରକ୍ଷୀଙ୍କୁ ଭିଲେଜ ଗାର୍ଡ ପରିବର୍ତେ ଭିଲେଜ ପୁଲିସର ମାନ୍ୟତା ଘୋଷଣା କରାଯାଉ। ଓଡ଼ିଶାରେ ଖାଲି ପଡ଼ିଥିବା ସମସ୍ତ ଗ୍ରାମରକ୍ଷୀ ପଦବିକୁ ପୂରଣ, ପୁଲିସ କର୍ମଚାରୀଙ୍କ ହିସାବରେ ଗ୍ରାମରକ୍ଷୀଙ୍କୁ ସ୍ୱତନ୍ତ୍ର ଭତ୍ତା ଓ ଉତ୍ସବ ଭତ୍ତା ପ୍ରଦାନ କରାଯାଉ। ଗ୍ରାମରକ୍ଷୀଙ୍କୁ ଉନ୍ନତ ମାନର ପୁଲିସ ପ୍ରଶିକ୍ଷଣ ଦେବା ସହିତ ପୋଷାକ ଭତ୍ତା ପ୍ରଦାନ କରାଯାଉ। କୌଣସି ଗ୍ରାମରକ୍ଷୀ ପଦବିରେ ଥାଇ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଅତିକମ୍‌ରେ ୧୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ବିକ୍ଷୋଭରେ ସଂଘର ଉପସଭାପତି ହେମନ୍ତ ନାୟକ, ସଂପାଦକ କାଳନ୍ଦୀ ଚରଣ ନାୟକ, ନାରାୟଣ ଦାସ ଓ ଗନ୍ଧର୍ବ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର