ନନ୍ଦନକାନନରେ ନୀଳଗିରି ହନୁ ବଂଶ ବୁଡ଼ିଲା

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକମାତ୍ର ୬ ବର୍ଷର ମାଈ ନୀଳଗିରି ହନୁର ଆଜି ମୃତ୍ୟୁ ଘଟିଛି। ଅସୁସ୍ଥ ଥିବାରୁ ଗତ ରବିବାର ସନ୍ଧ୍ୟାରେ ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେନଣ୍ଟାଇନ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ଅପରାହ୍ନରେ ସେ ସବୁ ଦିନ ପାଇଁ ଆଖି ବୁଜିଦେଇଛି। ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ଲାଗି ଓୟୁଏଟିକୁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।

ନନ୍ଦନକାନନରେ ଏହି ପ୍ରଜାତିର ହନୁଙ୍କ ବଂଶ ବୃଦ୍ଧି ପାଇଁ ତାକୁ ୨୦୧୭ ମସିହା ସେପ୍ଟେମ୍ବର ୨୬ରେ ମାଡ୍ରାସର ଭନ୍ଦାଲୁର ଚିଡ଼ିଆଖାନାରୁ ପୁରୁଷ ସାଥୀ ସହ ଅଣାଯାଇଥିଲା। ଗତ ମଇ ମାସ ୩୧ ତାରିଖରେ ତରଳ ଝାଡ଼ାରେ ପୀଡ଼ିତ ହୋଇ ପୁରୁଷ ସାଥୀର ମୃତ୍ୟୁ ହୋଇଥିଲା। ସାଥୀ ମୃତ୍ୟୁର ପର ଦିନ ମାଈଟି ଏକ ପୁରୁଷ ଛୁଆକୁ ଜନ୍ମ ଦେଇଥିଲା। ଛୁଆଟିକୁ ନେଇ ବଂଶ ସୁରକ୍ଷିତ ରହିବା ଆଶା କରିଥଲେ କର୍ତ୍ତୃପକ୍ଷ। ମାତ୍ର ସେ ଆଶା ବି ବେଶି ଦିନ ରହି ନ ଥିଲା। ଅଚାନକ ଗତ ଅଗଷ୍ଟ ୧୪ ତାରିଖରେ ମାତ୍ର ଅଢେଇ ମାସର ହୋଇଥିବା ଛୁଆଟିର ମୃତ୍ୟୁ ହୋଇଥିଲା। ଆଜି ପୁଣି ଏକ ମାତ୍ର ମାଈ ହନୁଟିର ମୃତ୍ୟୁ ହେଲା। ଗୋଟି ଗୋଟି କରି ୩ଟି ହନୁର କ୍ରମାଗତ ମୃତ୍ୟୁ ଫଳରେ ନନ୍ଦନକାନନରୁ ଏହି ପ୍ରଜାତିର ହନୁ ବଂଶ ବୁଡ଼ିଯାଇଛି।

ସମ୍ବନ୍ଧିତ ଖବର