ଶୃଙ୍ଖଳାରେ ହେଲା ଠାକୁରଙ୍କ ନୀତି

ପୁରୀ : ଠିକ୍ ସମୟରେ ଉପସ୍ଥିତ ହେଲେ ସେବକ। ବେହରଣ ଦ୍ବାର ଖୋଲିବ ମାତ୍ରେ ପାଳିଆ ସେବକମାନେ ପହଞ୍ଚିଗଲେ। ପାଟ୍ଟଯୋଶୀ ମହାପାତ୍ର ବି ଉପସ୍ଥିତ ଥିଲେ। ଠିକ୍ ସମୟରେ ନୀତି ଚାଲିଲା। ଆଜି ଭକ୍ତମାନଙ୍କୁ ଅପେକ୍ଷା କରିବାକୁ ପଡ଼ି ନଥିଲା। ବେଶ ସୁସଂଯୋଜିତ ଥିଲା ନୀତି। ନୀତି ଶୃଙ୍ଖଳା ପାଇଁ ପ୍ରଶାସନିକ ତାଗିଦ୍ ପରେ ବି ସୁଧୁରୁ ନଥିଲେ କିଛି ପାଳିଆ ସେବକ। ୧୫ ମିନିଟ୍‌ରୁ ଅଧଘଣ୍ଟାଏ ବିଳମ୍ବରେ ପହଞ୍ଚୁଥିଲେ। ଦେଖିବାକୁ ବି କେହି ନଥିଲେ। ପାଳିଆମାନଙ୍କ ହିସାବ ରଖିବାକୁ ଥିବା ସେବକମାନେ ବି ରିପୋର୍ଟ କରୁନଥିଲେ। କେମିତି ପାଳିଆମାନେ ବିଳମ୍ବରେ ଆସୁଛନ୍ତି, ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।

ବିଶୃଙ୍ଖଳା ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ ସେବାୟତମାନେ ସୁଧୁରିଛନ୍ତି। ଠାକୁରଙ୍କ ରୀତିନୀତିରେ ବିଳମ୍ବ ନକରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ପାଳିଆ ସେବକମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚି ଦ୍ବାର ଫିଟା ହେବା ମାତ୍ରେ ସମସ୍ତେ ଯାଇ ଠାକୁରଙ୍କ ନୀତି କରିଥିଲେ। ଆଜିର ଶୃଙ୍ଖଳା ନେଇ ଭକ୍ତମାନେ ସେବାୟତମାନଙ୍କୁ ବେଶ ପ୍ରଶଂସା କରିବା ସହ ଆଗକୁ ଏପରି ଶୃଙ୍ଖଳା କାମନା କରିଥିଲେ। ପୁରୀ ସହରର ମଧୁବନସ୍ଥିତ ଅବନ୍ତି ମହାରଣା(୬୨) କୁହନ୍ତି, ସେବକମାନେ ଏପରି ଶୃଙ୍ଖଳିତ ହୋଇ ସେବା ପୂଜା କଲେ ଠାକୁରଙ୍କ ନୀତିରୀତିରେ ବିଶୃଙ୍ଖଳା ହୁଅନ୍ତା ନାହିଁ କି ଭକ୍ତମାନେ ହଇରାଣ ହୁଅନ୍ତେ ନାହିଁ।

ସମ୍ବନ୍ଧିତ ଖବର