ଖୋର୍ଦ୍ଧା: ମେ’ ୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ, ନୋଟିସ୍‌ ଜାରି

ଖୋର୍ଦ୍ଧା: ସାମୁଦ୍ରିକ ଝଡ଼ ‘ଫୋନି’କୁ ଦୃଷ୍ଟିରେ ରଖି ଆଗାମୀ ମେ’ ମାସ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରାଯାଇଛି। ଏହି ସମୟ ମଧ୍ୟରେ ଚିଲିକା ହ୍ରଦରେ ଡଙ୍ଗା ଦେଖାଯିବ ନାହିଁ। ଏଥି ପାଇଁ ମଙ୍ଗଳବାର ନୋଟିସ ଜାରି ହୋଇଛି। ଚିଲିକାର ଜଳରେ ୧ରୁ ୫ ମଧ୍ୟରେ ପର୍ଯ୍ୟଟକମାନେ ମଧ୍ୟ ବୁଲିପାରିବେ ନାହିଁ। ପ୍ରଶାସନର ନିର୍ଦ୍ଦେଶ ପରେ କାଳିଜାଇ ମୋଟର ବୋଟ୍‌ ଆସୋସିଏସନର ନୋଟିସ୍‌ ହୋଇଛି। ସଂଘ ପକ୍ଷରୁ ନୋଟିସ ଜାରି କରାଯାଇଛି ଯେ, ଚିଲିକା ମଧ୍ୟକୁ କୌଣସି ମାଛମରା ଡଙ୍ଗା ଯାଇ ପାରିବ ନାହିଁ। ସଂଘ କହିଛି, ମେ’ ମାସ ୧ ତାରିଖ ସକାଳ ସୁଦ୍ଧା ସମସ୍ତ ଡଙ୍ଗା ଓ ବୋଟ ଚିଲିକା ଉପରକୁ ଉଠିବ।

ସୂଚନାଯୋଗ୍ୟ ଓଡ଼ିଶା ଆଡକୁ ଆସୁଥିବା ମହାବାତ୍ୟା ଫୋନିର ମୁକାବିଲା ନେଇ ରାଜ୍ୟ ସରକାର ସଜାଗ ହୋଇଯାଇଛନ୍ତି। ଫୋନି ମୁକାବିଲା ପ୍ରସ୍ତୁତି ନେଇ ସଚିବାଳୟରେ ସୋମବାର ଏକ ସମୀକ୍ଷା ବୈଠକ ବସିଛି। ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ବି ଉପସ୍ଥିତି ଥିଲେ। ବାତ୍ୟା ନେଇ ରାଜ୍ୟ ସରକାର ସତର୍କ ଥିବା ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି। ସମସ୍ତ ଉପକୂଳବର୍ତୀ ଅଂଚଳ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି। ୮୮୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି।

ଆସନ୍ତା ୨ ତାରିଖରୁ ଉପକୂଳବର୍ତୀ ଅଂଚଳ ଲୋକମାନଙ୍କୁ ସତର୍କ କରାଯାଇଛି। ରିଲିଫ ସାମଗ୍ରୀ, ଖାଦ୍ୟ ପ୍ରସ୍ତୁତ ରଖାଯାଇଛି। ପୂର୍ବାନୁମାନ ଅନୁସାରେ ୩ ତାରିଖରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଓଡ଼ିଶାର ୧୪ଟି ଜିଲ୍ଲାରେ ଫୋନିର ପ୍ରଭାବ ପଡିବ। ଏସବୁ ଜିଲ୍ଲା ହେଲେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂପୁର, ଭଦ୍ରଖ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର।

ସମ୍ବନ୍ଧିତ ଖବର