ରାଜି ହେଲେ ନାହିଁ ଆମ୍ବୁଲାନ୍ସ ! ବାଇକରେ ବିଦେଶୀ ପର୍ଯ୍ୟଟକଙ୍କୁ ଡାକ୍ତରଖାନା ନେଲେ ଷ୍ଟେସନ ମ୍ୟାନେଜର, ଡାକ୍ତର କହିଲେ ସେ ସଂପୂର୍ଣ୍ଣ ସୁସ୍ଥ

କୋରାପୁଟ: ବିଦେଶୀ ପର୍ଯ୍ୟଟକଙ୍କୁ ଡାକ୍ତରଖାନାକୁ ନେବା ପାଇଁ ମିଳିଲା ନାହିଁ ଆମ୍ବୁଲାନ୍ସ । ନିଜ ମଟରସାଇକେଲରେ ବସାଇ ଡାକ୍ତରଖାନାକୁ ନେଲେ ଷ୍ଟେସନ ମ୍ୟାନେଜର । କୋରାପୁଟ ରେଲବାଇ ଷ୍ଟେସନ ମ୍ୟାନେଜର ନରେନ୍ଦ୍ର କୁମାର ଭିତିରିଆ ମାନବିକତା ଦେଖାଇ ନିଜ ମଟରସାଇକେଲରେ ଜଣେ ବିଦେଶୀଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ନେଇଥିଲେ । ୧୦୮ ଆମ୍ବୁଲାନ୍ସ ବିଦେଶୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ବାରଣ କରିବାରୁ ଷ୍ଟେସନ ମାଷ୍ଟର ନିଜେ ଡାକ୍ତରଖାନାକୁ ନେଇଥିବା ପ୍ରକାଶ କରିଛନ୍ତି । ଭୁବନେଶ୍ୱରରୁ ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ କୋରାପୁଟରେ ପହଂଚିଥିଲେ ୭୦ ବର୍ଷୀୟ ଫ୍ରାନସ ନାଗରିକ ଦେମୟ ଜାକୋ ଦିଦି ।

ପରେ ଜିଲ୍ଲା ପ୍ରଶାସନ ଓ ରେଲବାଇ କର୍ତୃପକ୍ଷ ତାଙ୍କର ସବୁ ନଥିପତ୍ର ଯାଂଚ କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋରାପୁଟ ମେଡିକାଲ ନେଇଥିଲେ । ଡାକ୍ତର ପରୀକ୍ଷା କରିବା ପରେ କରୋନା ସଂକ୍ରମଣର ଲକ୍ଷଣ ନଥିବାରୁ ବିଶ୍ରାମ କରିବାକୁ କହିଥିଲେ । ବିଦେଶୀ ନାଗରିକ ଜଣଙ୍କ ଏବେ କୋରାପୁଟର ଏକ ହୋଟେଲରେ ଥିବା ଜଣାପଡିଛି । ତେବେ ଫ୍ରାନ୍ସରୁ ଆସିଥିବା ଏହି ବିଦେଶୀ ଯାତ୍ରୀ ଜଣକ ପୁରୀ ବୁଲିବା ପାଇଁ ଆସିଥିଲେ। କିନ୍ତୁ ତାଙ୍କୁ ସେଠାରେ ବାରଣ କରାଯାଇଥିଲା।

ଏହାପରେ ସେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ କୋରାପୁଟ ଯିବା ପାଇଁ ପୁରୀରୁ ଏକ ଗାଡ଼ି କରି ସେ ଭୁବନେଶ୍ୱର ପହଞ୍ଚିଥିଲେ। କିନ୍ତୁ ଭୁବନେଶ୍ୱରରେ ତାଙ୍କୁ ଟ୍ରେନ୍‌ରେ ଚଢ଼ିବାକୁ ଅନୁମତି ଦିଆଯାଇ ନ ଥିଲା। ନିରାଶ ହୋଇ ବିଦେଶୀ ଯାତ୍ରୀ ଜଣକ ଭୁବନେଶ୍ୱର ଷ୍ଟେସନ୍‌ରୁ ପୁଣି ଏକ ଗାଡ଼ି କରି ନିରାକାରପୁରରେ ପହଞ୍ଚିଥିଲେ। ସେଠାରୁ ସେ ହୀରାଖଣ୍ଡ ଏକ୍ସପ୍ରେସ୍‌ର ଏସ୍‌-୬ କୋଚର ସିଟ୍‌ ନମ୍ବର ୩୯ରେ ବସି ଯାତ୍ରା ଆରମ୍ଭ କରିଥିଲେ। ତେବେ ଏସ୍‌-୬ ବଗିରେ ଟିକେଟ କାଟି ଥିବା ଅନ୍ୟ ଯାତ୍ରୀ ୩୯ନମ୍ବର ସିଟ୍‌ରେ ଉକ୍ତ ବିଦେଶୀ ଯାତ୍ରୀଙ୍କୁ ଦେଖି ଭୟଭୀତ ହୋଇ ଏସଂକ୍ରାନ୍ତରେ ଟିଟିଙ୍କୁ ଜଣାଇଥିଲେ। ଟିଟି ଯାତ୍ରୀଙ୍କ ସମସ୍ୟା ବୁଝି ପାରି ଉକ୍ତ ଯାତ୍ରୀଙ୍କ ସ୍ଥାନ ପରିବର୍ତ୍ତନ କରି ଏସ୍‌-୨ ବଗିରେ ସିଟ୍‌ ଦେଇଥିଲେ। ଆଉ କୋରାପୁଟ ଷ୍ଟେସନରେ ପହଂଚିବା ପରେ ତାଙ୍କୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ନିଆଯାଇଥିଲା | ଏହା ପରେ କରୋନା ସଂକ୍ରମଣର ଲକ୍ଷଣ ନଥିବାର ଜଣାପଡିଛି |

ସମ୍ବନ୍ଧିତ ଖବର