କଟକର ସର୍ବସାଧାରଣସ୍ଥଳରେ ଚଳିତ ବର୍ଷ ହେବନି ଗଣେଶ ପୂଜା

ମାଟି ଅନୁକୂଳରେ ୪ ଜଣ ଯିବେ, ଦୁର୍ଗପୂଜା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି

କଟକ: ଚଳିତ ବର୍ଷ କଟକବାସୀଙ୍କୁ ଆକର୍ଷଣୀୟ ଗଣେଶ ପୂଜା ଦେଖିବାକୁ ସୁଯୋଗ ମିଳିପାରିବ ନାହିଁ। କରୋନା ଭାଇରସ କଟକଣା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସର୍ବସାଧାରଣ କିମ୍ବା କୌଣସି ସଂସ୍ଥା ପକ୍ଷରୁ ଗଣେଶ ପୂଜା କରାଯାଇପାରିବ ନାହିଁ । ଗଣେଶ ପୂଜା ବ୍ୟତୀତ ପ୍ରସିଦ୍ଧ ଦୁର୍ଗାପୂଜା ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି।

ଜନ୍ମାଷ୍ଟମୀ ଠାରୁ ସୁନିଆ ପର୍ଯ୍ୟନ୍ତ କଟକର ୧୬୫ଟି ଦୁର୍ଗାପୂଜା କମିଟି ମାଟି ଅନୁକୂଳ କରିବେ। ଏଥର କିନ୍ତୁ ମାଟି ଅନୁକୂଳ ସମୟରେ ପୂଜା କମିଟିର ୪ ଜଣଙ୍କୁ ଅନୁମତି ମିଳିବ। କିନ୍ତୁ ଦୁର୍ଗାପୂଜା ହେବ ନା ନାହିଁ, ତାହା ପରବର୍ତ୍ତୀ ସମୟରେ ସୁନିଶ୍ଚିତ କରାଯିବ। ଆଜିର ବୈଠକରେ ଡିସିପି, କଟକ ମହାନଗର ଶାନ୍ତି କମିଟି ଓ କଟକ ପୂର୍ବାଂଚଳ ଶାନ୍ତି କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ପୂର୍ବରୁ ଗତ ୧୭ ତାରିଖର ବୈଠକରେ ଡିସିପି ଅଖିଳେଶ୍ୱର ସିଂହ କହିଥିଲେ, ଚଳିତ ବର୍ଷ କଟକ କମିସନରେଟ ଅଂଚଳରେ କୌଣସି ସଂସ୍ଥା ପକ୍ଷରୁ ଗଣେଶ ପୂଜାର ଆୟୋଜନ କରିପାରିବେ ନାହିଁ। କେବଳ ଘରେ ପୂଜା ହୋଇପାରିବ। ଗଣେଶ ପୂଜା ନେଇ ଡିସିପିଙ୍କ କାର୍ଯ୍ୟାୟଳରେ ଅନୁଷ୍ଠିତ ବୈଠକରେ ଶାନ୍ତି କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

କଟକରେ ଯଦିଓ କୌଣସି ସଂସ୍ଥା କିମ୍ବା ସର୍ବସାଧାରଣସ୍ଥଳରେ ଗଣେଶ ପୂଜା ଅନୁଷ୍ଠିତ ହୋଇପାରିବ ନାହିଁ, କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ କେବଳ ମୂର୍ତ୍ତି କିମ୍ବା ଘଟ ପୂଜା କରାଯାଇପାରିବ। କଟକ ମହାନଗର ନିଗମର ସଂପାଦକ ପ୍ରଭାତ ତ୍ରିପାଠୀ କହିଥିଲେ, ଲୋକେ ବ୍ୟକ୍ତିଗତ ଭାବରେ ଘରେ ପୂଜା କରିବାରେ କୌଣସି ଅସୁବିଧା ନାହିଁ।

ସୂଚନାଯୋଗ୍ୟ, ଐତିହାସିକ ସହର କଟକରେ ଗଣେଶ ପୂଜା ଠାରୁ ପୂଜା ଋତୁ ଆରମ୍ଭ ହୋଇଯାଇଥାଏ। ଭାଇଚାରର ସହରରେ ପ୍ରାୟ ସାଢେ ୩ ହଜାର କ୍ଲବ ରହିଥିବା ବେଳେ ଏଥିରୁ ପ୍ରାୟ ଅଢେଇ ହଜାର କ୍ଲବ ପକ୍ଷରୁ ଗଣେଶ ପୂଜାର ଆୟୋଜନ କରାଯାଇଥାଏ। କିନ୍ତୁ ସହରରେ ପ୍ରାୟ ଦେଢ ଶହ ଅନୁଷ୍ଠାନ ଆକର୍ଷଣୀୟ ଭାବେ ଗଣେଶ ପୂଜାର ଆୟୋଜନ କରିଥାନ୍ତି।

ସମ୍ବନ୍ଧିତ ଖବର