ଚାଉଳ ସଂଗ୍ରହ ନେଇ ଆଗ୍ରହ ନାହିଁ; ରବିରେ ଧାନ କମ୍‌ କିଣିବାକୁ ରାଜ୍ୟ ଯୋଗାଣ ବିଭାଗର ମସୁଧା

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଦାବି

କେସିଙ୍ଗା : ଗୋଟିଏ ପଟେ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଶସ୍ୟ ଶ୍ୟାମଳା ସହ ଜିଲ୍ଲାକୁ ଭାତ ହାଣ୍ଡିର ଆଖ୍ୟ ଦେଇ ଚାଷୀଙ୍କୁ ପ୍ରେରଣା ଦେଉଛନ୍ତି। ଅନ୍ୟପଟେ ଯୋଗାଣ ବିଭାଗର ଭୁବନେଶ୍ୱରରେ ବସିଥିବା ଅଧିକାରୀଙ୍କ ଏକଛତ୍ରବାଦ ଏବଂ ଭୁଲ୍‌ ନୀତି ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଖରିଫରେ ଜିଲ୍ଲାରେ ପ୍ରଚୁର ଧାନ କିଣା ଯାଇଥିବାରୁ ଏବେ ରବିରେ ଧାନ କମ୍‌ କିଣିବାର ମସୁଧା ଚାଲିଛି। ଏଥିପାଇଁ କମ୍‌ ଚାଉଳ ସଂଗ୍ରହ କରାଯାଉଛି ବୋଲି ଚାଷୀ ଦୃଢ଼ ଅଭିଯୋଗ କରିଛି।

ଚାଉଳ ରାଜନୀତି ଭୁବନେଶ୍ୱରରୁ ଦିଲ୍ଲୀ ପହଞ୍ଚିଲାଣି। ବିଜେଡି ଓ ବିଜେପି ସାଂସଦ ମାନେ ପୃଥକ ଭାବରେ ମନ୍ତ୍ରୀଙ୍କୁ ଭେଟିଲେଣି। ହେଲେ ଏହି ସମସ୍ୟାର ସମାଧାନ ହେଉନାହିଁ। ଏଫସିଆଇ ସ୍ଥାନ ଅଭାବ କହି ଚାଉଳ ସଂଗ୍ରହ କରୁନାହିଁ। ରାଜ୍ୟ ସରକାର ଏମ୍‌ଡିଏମ, ସାଧାରଣ ବଣ୍ଟନ ଓ ଅନ୍ୟାନ୍ୟ ଯୋଜନା ପାଇଁ ଆବଶ୍ୟକ ଚାଉଳ ଗୋଟିଏ ମାସ ପାଇଁ ସଂଗ୍ରହ କରୁଛନ୍ତି। କୋଟିକୋଟି ଟଙ୍କା ଭଡ଼ା ଦେଇ ଗୋଦାମରେ ସ୍ଥାନ ଖାଲି ଥିଲେବି ଚାଉଳ ସଂଗ୍ରହ କରୁ ନାହିଁ ବିଭାଗ। ଏନେଇ ଜିଲ୍ଲାସ୍ତରର ଅଧିକାରୀ ଓ ପ୍ରଶାସନ ଅସୁବିଧା ସ୍ଥିତିରେ ଥିଲେ ବି ପରୋକ୍ଷରେ ସିନା କହୁଛନ୍ତି, କିନ୍ତୁ ସିଧାସଳଖ ହାକିମଙ୍କ ଡରରେ କହିପାରୁନାହାନ୍ତି। ଖରିଫରେ ପ୍ରାୟ ୬୦ ଲକ୍ଷ କ୍ବିଣ୍ଟାଲା ଧାନ ହୋଇଥିଲା। ସେଥିରୁ ୫୦ ଲକ୍ଷ ୩୦ ହଜାର କ୍ବିଣ୍ଟାଲ ଧାନ କିଣିଲେ। ରବି ଧାନ ଅମଳ ହେବାର ସମୟ ପାଖେଇ ଆସିଲାଣି, ଅଥଚ ୪୮ ପ୍ରତିଶତ ଚାଉଳ ସଂଗ୍ରହ ହୋଇଛି। ଖୋଦ୍‌ ଏଫସିଆଇ ଯେତିକି ଟାର୍ଗେଟ୍‌ ଦେଉଛି ମାସକୁ ତାକୁ ବି ଗତ ୩ମାସ ହେଲା ସଂଗ୍ରହ କରୁନାହିଁ। ମାର୍ଚ୍ଚ ମାସରେ ଟାର୍ଗେଟ୍‌ ଥିଲା ୩ ଲକ୍ଷ ୫୦ ହଜାର, କିନ୍ତୁ ଉଠିଲା ମାତ୍ର ୨ଲକ୍ଷ କ୍ବିଣ୍ଟାଲ। ମିଲ୍‌ ମାନନଙ୍କରେ ଧାନ ଭର୍ତ୍ତି ହୋଇରହିଛି। ଚାଉଳ ସଂଗ୍ରହ ନହେବାରୁ ସେମାନେ ମିଲ୍‌ ଗୁଡ଼ିକ ବନ୍ଦ କରି ରଖିଛନ୍ତି।

ପଡ଼ୋଶୀ ଜିଲ୍ଲାମାନଙ୍କରେ ଚାଉଳ ସଂଗ୍ରହ ସମସ୍ୟା ନଥିବାବେଳେ ଏହି ଜିଲ୍ଲାରେ ସମସ୍ୟା ହେଉଥିବାରୁ ରବି ଫସଲ ବିକ୍ରି ପ୍ରତି ବିପଦ ସୃଷ୍ଟି କରିଛି। କାରଣ ଚାଉଳ ନଗଲେ ମିଲର୍ସ ଧାନ ଉଠାଇବ ନାହିଁ। ନିଜେ ସରକାର ଏପ୍ରିଲ ୩୦ ସୁଦ୍ଧା ଚାଉଳ ସଂଗ୍ରହର ଶେଷ ତାରିଖ ବୋଲି ନିୟମ ରଖିଛନ୍ତି। ପୂର୍ବ ବର୍ଷମାନଙ୍କରେ ଏହି ତାରିଖ ମଧ୍ୟରେ ଯିଏ ଚାଉଳ ଦେଇନପାରିବ ତାକୁ ରବି ଧାନ କିଣାରେ ସାମିଲ୍‌ କରାଯାଉ ନଥିଲା। କିନ୍ତୁ ବର୍ତ୍ତମାନ ଏହି ନିୟମକୁ ଅଣଦେଖା କରାଯାଉଛି। କେନ୍ଦ୍ରକୁ ଚାଉଳ ଗଲେ ରାଜ୍ୟକୁ ପଇସା ଆସିବ। ଏଣୁ କେନ୍ଦ୍ର ଭରସାରେ ରାଜ୍ୟ ରହିଛି। ଏହି ସମସ୍ୟାର ସମାଧାନ ରାଜ୍ୟସ୍ତରରେ ବି କରିବା ପାଇଁ ଉଦ୍ୟମ ହେଉନାହିଁ। ଭୁବନେଶ୍ୱରରେ ବସିଥିବା ଅଧିକାରୀଙ୍କ ଏଥିପ୍ରତି ଚିନ୍ତା ବି ନାହିଁ। ଯାହାର ପ୍ରଭାବ ସିଧାସଳଖ ରବି ଚାଷରେ ପଡ଼ିବ ବୋଲି ଚାଷୀ କହିଛି।

ଏଥର ଖାରିପାଣିଆରେ ପ୍ରଚୁର ଧାନ ଉତ୍ପାଦନ ହୋଇଥିଲା। କିନ୍ତୁ ଯୋଗାଣ ବିଭାଗ ଆରମ୍ଭରୁ ବେତାଳିଆ କରିବାରୁ ଚାଷୀ ଧାନ ବିକ୍ରି ପାଇଁ ବହୁତ ହଇରାଣ ହରକତ ହେଲା। ଦିନଦିନ ଧରି ଲକ୍ଷ ଲକ୍ଷ କ୍ବିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଲା। ଯାହାର ଫାଇଦା ଦଲାଲମାନେ ନେଲେ। ଚାଉଳ ସଂଗ୍ରହ ନହେବାରୁ ମିଲ୍‌ରେ ଶ୍ରମିକମାନେ ରୋଜଗାର ହରାଇଲେଣି। ଆଗକୁ ଚାଷୀ ବି ହାଇରାଣ ହେବ ବୋଲି ଆଲୋଚନା ହେଲାଣି। ଏସବୁ ଅବ୍ୟବସ୍ଥା ରାଜ୍ୟ ଯୋଗାଣ ବିଭାଗର ଏକ ଚକ୍ରାନ୍ତ ବୋଲି ଚର୍ଚ୍ଚା ହେଉଛି। ଏମିତି ହେଲେ ଧାନ କମ୍‌ କିଣିବାକୁ ପଡ଼ିବ ବୋଲି ଚାଷୀ କହିଛି। ଏଣୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନ କରିବାକୁ ଚାଷୀମାନେ ଦୃଢ଼ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର