ଆଉ ନାହାନ୍ତି ଆଲ୍‌ବମ୍‌ ଅଭିନେତ୍ରୀ ମେଘାଞ୍ଜନା

ବାରିପଦା: ବାରିପଦା ସହରର ଜଣାଶୁଣା ଆଲବମ୍‌ ଅଭିନେତ୍ରୀ ମେଘାଞ୍ଜନା ଦାସଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ସେ ୨୦୦ରୁ ଊର୍ଦ୍ଧ୍ବ ସାନ୍ତାଳୀ ଓ ଝୁମର ଆଲ୍‌ବମ୍‌ରେ ଅଭିନୟ କରିଥିଲେ। ନିଖୁଣ ଅଭିନୟ ଓ ନୃତ୍ୟ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ବି ହୋଇଥିଲେ। ବାରିପଦା ସହର ପାଲବଣି ୱାର୍ଡ ନଂ ୨୫ର ଅଜୟ କୁମାର ଦାସ ଓ ଅପର୍ଣ୍ଣା ସାହୁଙ୍କ ଝିଅ ମେଘାଞ୍ଜନା ପିଲାଟି ଦିନରୁ ନୃତ୍ୟ ଶିକ୍ଷା‌ କରୁଥିଲେ। ପରବର୍ତ୍ତୀ ସମୟରେ ଆଲ୍‌ବମ୍‌ରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ।

ମେଘାଞ୍ଜନାଙ୍କ ବ୍ରେନ୍‌ଷ୍ଟ୍ରୋକ୍‌ ହେବାରୁ ତାଙ୍କୁ ପ୍ରଥମେ ବାରିପଦା ପିଆର୍‌ଏମ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ସେ କୋମାକୁ ଚାଲିଯାଇଥିଲେ। ସୁସ୍ଥ ହେବାର କୌଣସି ଆଶା ନଥିବାରୁ ତାଙ୍କୁ ଘରକୁ ନେଇଯିବାକୁ କହିଥିଲେ ଡାକ୍ତର। ମେଘାଞ୍ଜନାଙ୍କୁ ଆଜି ବାରିପଦାସ୍ଥିତ ଘରକୁ ଆଣିବାର କିଛି ସମୟ ପ‌ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ଖବର ପାଇ ବହୁ କଳାକାର ଓ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ମେଘାଞ୍ଜନାଙ୍କ ଅକାଳ ବିୟୋଗରେ ବାରିପଦାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର