ଲୋକଙ୍କଠାରୁ କେହି ଅଧିକ ଗୁରୁତ୍ବପୂର୍ଣ୍ଣ ନୁହେଁ: ମୁଖ୍ୟମନ୍ତ୍ରୀ

‘ମୋ ସରକାର’ ରେ ସାମିଲ ହେଲା ଯୋଗାଣ ବିଭାଗ

ଭୁବନେଶ୍ବର: ‘ମୋ ସରକାର’ ହେଉଛି ଲୋକଙ୍କ ସରକାର। ଲୋକଙ୍କ ଠାରୁ କେହି ଅଧିକ ଗୁରୁତ୍ବପୂର୍ଣ୍ଣ ନୁହେଁ। ‘ମୋ ସରକାର’ ଅଭିଯାନ ମାଧ୍ୟମରେ ଲୋକଙ୍କ ନିକଟରେ ସରକାରୀ କର୍ମଚାରୀଙ୍କୁ ଉତ୍ତରଦାୟୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଲୋକସେବା ଭବନ‌େର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ‘ମୋ ସରକାର’ରେ ସାମିଲ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ। ଏହି ବିଭାଗରେ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାରେ ଏବେ ୩.୩୦ କୋଟି ହିତାଧିକାରୀ ଅଛନ୍ତି, ଯାହା କି ରାଜ୍ୟର ଲୋକସଂଖ୍ୟାର ୭୯ ପ୍ରତିଶତ। ଏପରି ଏକ ବଡ଼ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ବ୍ୟାପକ ତଥ୍ୟ ସହ କର୍ମଚାରୀମାନଙ୍କ ଦକ୍ଷତା ଓ ନିଷ୍ଠାର ଆବଶ୍ୟକତା ରହିଛି। ଏ ଦିଗରେ ବିଭାଗର ଉଦ୍ୟମ ନିଶ୍ଚିତ ପ୍ରଶଂସନୀୟ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ‘ମୋ ସରକାର’ ଏକ ଭିନ୍ନ ତଥା ନୂଆ ସରକାରୀ ପରିଚାଳନା ପଦ୍ଧତ୍ତି। ଏହା ମାଧ୍ୟମରେ ସରକାରୀ କର୍ମଚାରୀଙ୍କ ମନୋଭାବକୁ ବିକଶିତ କରାଯାଉଛି, ଯାହା ଫଳରେ କି ସାଧାରଣ ଲୋକଙ୍କୁ ସମ୍ମାନର ସହ ବ୍ୟବହାର କରିବେ ଓ ପେଶାଦାର ମନୋଭାବ ନେଇ ସେମାନଙ୍କୁ ସେବା ଯୋଗାଇ ଦେବେ। ଭୁବନେଶ୍ବରରେ ପିଡିଏସ୍‌ ବ୍ୟବସ୍ଥାରେ ଜଣେ ବ୍ୟକ୍ତି ଯେ କୌଣସି ସରକା‌ରୀ ଦୋକାନରୁ ରାସନ୍ ସାମଗ୍ରୀ ଉଠାଇପାରିବ। ଏହା ଏକ ଫଳପ୍ରଦ ବ୍ୟବସ୍ଥା ଓ ଏହା ଦ୍ବାରା ହିତାଧିକାରୀମାନେ ସଶକ୍ତ ହେଉଛନ୍ତି। ଧୀରେ ଧୀରେ ସାରା ରାଜ୍ୟରେ ଏହା ଲାଗୁ ହେବ। ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ଓ ଅସୁସ୍ଥ ହିତାଧିକାରୀଙ୍କ ଘରେ ରାସନ୍ ସାମଗ୍ରୀ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଏମିତି ହିତାଧିକାରୀଙ୍କୁ ଅଧିକ ଚିହ୍ନଟ କରାଯାଇ ସେମାନଙ୍କ ଘରେ ରାସନ୍ ସାମଗ୍ରୀ ପହଞ୍ଚାଯାଉ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସଂପୃକ୍ତିକୁ ପ୍ରୋତ୍ସାହନ ଦେଲେ ମହିଳା ସଶକ୍ତୀକରଣ ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜଣେ ବି ହିତାଧିକାରୀ ଯେପରି ବାଦ୍ ନ ପଡ଼ନ୍ତି, ସେ ଦିଗ ପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ‌େଦଇଥିଲେ। ଯଦି ପେଶାଦାର ମନୋଭାବ ନେଇ ଅଧିକାରୀମାନେ କାମ କରନ୍ତି, ତେବେ ସରକାରଙ୍କ ସମସ୍ତ ପଦକ୍ଷେପ ଫଳପ୍ରଦ ହୋଇପାରିବ ବୋଲି ସେ ଆଶାପ୍ରକଟ କରିଥିଲେ। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ନିଷ୍ଠାପର ଭାବେ ପେଶାଦାର ମନୋଭବ ନେଇ କାମ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ, ମୋ ସରକାର ପଦକ୍ଷେପର ଆତ୍ମା ହେଲା ଉତ୍ତରଦାୟିତ୍ବ। ଲୋକଙ୍କ ଠାରୁ ମିଳୁଥିବା ମତାମତ ଆଧାରରେ ହିଁ କର୍ମଚାରୀଙ୍କୁ ସରକାର ପୁରସ୍କୃତ କରିବେ ନଚେତ ଦଣ୍ଡ ଦେବେ। ୫-ଟି ସଚିବ ଭି କେ ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ। ସେ କହିଥିଲେ, ଯେଉଁ ବ୍ୟକ୍ତି ସରକାରୀ କାର୍ଯ୍ୟାଳୟକୁ ଆସୁଛନ୍ତି ସେ ‘ମୋ ସରକାର’ ଅଧୀନରେ ସେ ଜଣେ ହିତାଧିକାରୀ। ଖାଦ୍ୟ ଯୋଗାଣ ବିଭାଗରେ ମହିଳା‌ ସ୍ବୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ କର୍ମକର୍ତ୍ତା, ହୋଲ୍‌ସେଲର୍‌, ରିଟେଲର୍‌ ଯିଏ ବି ସରକାରୀ କାର୍ଯ୍ୟାଳୟ ଆସୁଛନ୍ତି, ସେମାନେ ଜଣେ ଜଣେ ହିତାଧିକାରୀ। ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇବାକୁ ପଡ଼ିବ। ବିଭାଗର ସଚିବ ଭି ଭି ଯାଦବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର