ସୁରତରେ ଓଡ଼ିଆ ଶ୍ରମିକଙ୍କ ଶବ ଫେରାଇବା ଦାବିରେ ଉତ୍ତେଜନା, ପୁଲିସର ଲାଠିମାଡ଼ରେ ୩୦ ଆହତ

ବେଲଗୁଣ୍ଠା: ସୁରତ ସୂତାକଳରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକଙ୍କ ଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଥିଲା। ସେଠାକାର ପ୍ରଶାସନ ଓ ପୁଲିସ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ନିୟନ୍ତ୍ରଣ କରି ନପାରିବାରୁ ଓଡ଼ିଶା ସରକାରଙ୍କ ସହାୟତା ଲୋଡ଼ିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ୩ ଦିନ ହେଲା ସୁରତରେ ରହି ସମାଧାନ ପାଇଁ ଚେଷ୍ଟା ଚଳାଇଛନ୍ତି। ତଥାପି କୌଣସି ନିଷ୍କର୍ଷ ବାହାରିପାରିନି। ଆଜି ଆନ୍ଦୋଳନରତ ଶ୍ରମିକମାନେ ଅଧିକ ଉତ୍ତ୍ୟକ୍ତ ହୋଇ ପଡ଼ିବାରୁ ବାଧ୍ୟ ହୋଇ ସୁରତ ପୁଲିସ ଲାଠିଚାର୍ଜ କରିଛି। ଏଥିରେ ୩୦ଜଣ ଓଡ଼ିଆ ଶ୍ରମିକ ଆହତ ହୋଇଛନ୍ତି। ସର୍ ଥାନା ଆଗରେ ଧାରଣାରେ ବସିଥିବା ଶ୍ରମିକମାନେ ଛତ୍ରଭଙ୍ଗ ଦେଇଛନ୍ତି।

ସୂତାକଳରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅଧୀନ ଭାବରଡ଼ା ଗ୍ରାମର ପ୍ରଫୁଲ୍ଲ ସେଠୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଦାବିରେ ଓଡ଼ିଆ ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆ ଶ୍ରମିକ ସଂଘର ସଦସ୍ୟ ମାନେ ଡାଇମଣ୍ଡନଗର ସ୍ଥିତ ମୟୂରଭାଇ ଖାତା କାରଖାନା ସମ୍ମୁଖରେ ୪ ଦିନ ହେଲା ଧାରଣା ଦେଇଥିଲେ। ଗତକାଲି ଆଠ ଜଣ ଶ୍ରମିକଙ୍କୁ ପୁଲିସ ଉଠାଇ ନେବାରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇଥିଲା। ଆଲୋଚନା ପାଇଁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସେଠାରେ ପହଞ୍ଚି ଶ୍ରମିକଙ୍କୁ ବୁଝାସୁଝା କରିଥିଲେ। ରାତିରେ ବିଧାୟକ, ଶ୍ରମିକ ପ୍ରତିନିଧି ଏବଂ କାରଖାନାର ମାଲିକ ମୟୂରଭାଇ ପଟେଲଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମାଲିକ ରାଜି ହୋଇଥିଲେ। ଆଜି ସ୍ବତନ୍ତ୍ର ବିମାନ ଯୋଗେ ପ୍ରଫୁଲ୍ଲଙ୍କ ଶବକୁ ଓଡ଼ିଶା ଅଣାଯିବ ଏବଂ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ବିଧାୟକ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗତକାଲି ରାତିରେ ସୂତାକଳ ମାଲିକ ହଠାତ୍ ତାଙ୍କ ନିଷ୍ପତ୍ତିକୁ ବଦଳାଇଥିଲେ। ସୂତାକଳ କାରଖାନା ସଂଘର ଜରୁରୀ ବୈଠକ ଡକାଯାଇ ମୃତ ପ୍ରଫୁଲ୍ଲଙ୍କ ପରିବାରକୁ ଟଙ୍କାଟିଏ ମଧ୍ୟ କ୍ଷତିପୂରଣ ନଦେବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଫୁଲ୍ଲ ତାଙ୍କ କମ୍ପାନିରେ କାମ କରୁ ନଥିଲେ ବୋଲି ମାଲିକ କହିବା ପରେ ପୁଣି ପ୍ରବଳ ଉତ୍ତେଜନା ଆରମ୍ଭ ହୋଇଯାଇଥିଲା। ଆଜି ଶତାଧିକ ଶ୍ରମିକ ଏକାଠି ହୋଇ ସର୍ ଥାନା ଆଗରେ ସାରାଦିନ ଧାରଣା ଦେଇଥିଲେ। ଫଳରେ ପୁଲିସ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଲାଠିଚାଳନା କରିଥିଲା। ଆଉ କିଛି ଶ୍ରମିକଙ୍କୁ ଥାନାରେ ନେଇ ଅଟକ ରଖିଥିଲା। ଫଳରେ ଅନ୍ୟମାନେ ଭୟଭୀତ ହୋଇ ଛତ୍ରଭଙ୍ଗ ଦେଇଥିଲେ। ସେହିପରି ଆଜି ମଧ୍ୟ ଆଲୋଚନା ବିଫଳ ହୋଇଥିବା ଜଣାପଡ଼ିଛି। ଫଳରେ ଅଚଳାବସ୍ଥା ଜାରି ରହିଛି। ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି, ସୂତାକଳ ମାଲିକ ସଂଘ ଏକାଠି ହୋଇ ପୁଲିସ ପ୍ରଶାସନ ଉପରେ ଚାପ ପକାଇ ଓଡ଼ିଆ ଶ୍ରମିକଙ୍କୁ ସାହାଯ୍ୟ କରୁ ନାହାନ୍ତି। ଫଳରେ କମ୍ପାନିର ମାଲିକଙ୍କ ନାମରେ ଏତଲା ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ତେବ‌େ ସମସ୍ୟାର ସମାଧାନ ହେବା ନେଇ ସେ ଆଶାବାଦୀ ବୋଲି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କହିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାର ବିଭିନ୍ନ ସଂଗଠନ ମାନେ ହସ୍ତକ୍ଷେପ କରିବାକୁ ପ୍ରବାସୀ ଓଡ଼ିଆ ଶ୍ରମିକ ସଂଘ ସଦସ୍ୟ ମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଆଜି ପ୍ରଫୁଲ୍ଲଙ୍କ ଶବ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ପହଞ୍ଚିବାର ଥିଲା। କିନ୍ତୁ କୌଣସି ନିଷ୍କ‌ର୍ଷ ବାହାରି ନଥିବାରୁ ତାଙ୍କ ଶବ ବର୍ତ୍ତମାନ ସିମର୍‌ସ୍ଥିତ ସରକାରୀ ଡାକ୍ତରଖାନାରେ ରହିଛି। ୫ ଦିନ ହେଲା ଶବ ଗାଁକୁ ଆସିପାରୁ ନଥିବାରୁ ପରିବାରବର୍ଗ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର