ଡାକ୍ତରଖାନାରେ ରୋଗୀ ନାହାନ୍ତି, ଆତଙ୍କିତ ହୁଅନ୍ତୁ ନାହିଁ: ସ୍ବାସ୍ଥ୍ୟ ବିଭାଗ

କରୋନାର ସମ୍ଭାବ୍ୟ ଚତୁର୍ଥ ଲହର ଭୟ

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୧୫ ତଳେ ରହିଛି। ୫/୬ଟି ଜିଲ୍ଲାରେ ନୂଆ ମାମଲା ଆସୁଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶହେ ତଳେ ରହିଛି। ଡାକ୍ତରଖାନାରେ ଏବେ କୌଣସି ରୋଗୀ ନାହାନ୍ତି। ତେଣୁ କରୋନାର ସମ୍ଭାବ୍ୟ ଚତୁର୍ଥ ଲହରକୁ ନେଇ ଏବେଠାରୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର।

ଡା.ମିଶ୍ର କହିଛନ୍ତି ଯେ କରୋନାର ପ‌ାଣ୍ଡେମିସିଟି(ମହାମାରୀ)ରୁ ଏଣ୍ଡେମିସିଟି(ଶେଷ) ଆଡ଼କୁ ଯାଉଛେ। ତେଣୁ ଏହା ଭିତରେ ଏମିତି ଗୋଟିଏ ଗୋଟିଏ ସ୍ପାଇକ ଆସିବ। ଏହି ଭୂତାଣୁ କୁଆଡ଼େ ଯିବନାହିଁ, କିନ୍ତୁ ଏହାର ରୋଗ ସୃଷ୍ଟି କରିବାର କ୍ଷମତା ହ୍ରାସ ପାଇବ। ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼େ ତାହାଲେ ବିଶେଷ ଅସୁବିଧା ହେବନାହିଁ। ଗତ ୩ଟି ଲହରର ଅଭିଜ୍ଞତା ସହି ଭିତ୍ତିଭୂମି ଓ ଔଷଧ ରହିଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଯେଉଁଠାରେ ସଂକ୍ରମଣ ବଢ଼ିବ ନିର୍ଦ୍ଦିଷ୍ଟଭାବେ ସେଠାରେ ପଦକ୍ଷେପ ନିଆଯିବାକୁ କୁହାଯାଇଛି। ସଂକ୍ରମଣକୁ ଦେଖି ପଦକ୍ଷେପ ନେବାକୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ଲୋକମାନଙ୍କୁ କୋଭିଡ ନିୟମକୁ ପାଳନ କରିବାକୁ ହେବ। ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ବୋଲି ଡା.ମିଶ୍ର କହିଛନ୍ତି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୮ହଜାର ୩୪କୁ ବୃଦ୍ଧି ପାଇଛି। ଏହାସହ ୧୦ ଜଣ ରୋଗୀ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୮କୁ ଖସି ଆସିଛି। ରାଜ୍ୟରେ ଆଜି ୬୭,୩୩୫ ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ୬୦ବର୍ଷରୁ ଅଧିକ ୪୫୯୩ଜଣ ଓ ୧୮ବର୍ଷରୁ ଅଧିକ ୧୦୧୮ଜଣ ଘରୋଇ ହସ୍ପିଟାଲରେ ପ୍ରିକସନ୍ ଡୋଜ୍ ଟିକା ନେଇଛନ୍ତି। ବର୍ତମାନ ସୁଦ୍ଧା ୬୦ରୁ ଅଧିକ ୬,୨୨,୫୨୯ଜଣ ଓ ୧୮ବର୍ଷରୁ ୧୯,୨୪୨ଜଣ ପ୍ରିକସନ୍ ଡୋଜ୍ ନେଇ ସାରିଲେଣି। ରାଜ୍ୟରେ ପ୍ରିକସନ୍ ଡୋଜ୍ ଟିକାକରଣ ସେତେଟା ଉତ୍ସାହଜନକ ହେଉ ନ ଥିବାରୁ ଏ ନେଇ ନିକଟରେ କେନ୍ଦ୍ର ସରକାର ରାଜ୍ୟକୁ ଚିଠି ଲେଖିଥିଲେ। ରାଜ୍ୟ ସରକାର ମଧ୍ୟ ଜିଲ୍ଲାମାନଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖି ପ୍ରିକସନ୍ ଡୋଜ୍ ଟିକାକରଣ ବଢ଼ାଇବା ଲାଗି ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର