ଅଗଷ୍ଟ ୧୫ ଯାଏ ବର୍ଷା ନାହିଁ, ନିଅଣ୍ଟିଆ ବର୍ଷା ସ୍ଥିତି ଆଗକୁ ଆହୁରି ବଢ଼ିବାର ଆଶଙ୍କା

ଭୁବନେଶ୍ବର : ୪ ଦିନ ହେଲା ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି। ମୌସୁମୀ ଟ୍ରଫ୍‌ଲାଇନ୍‌ ଏବେ ଉତ୍ତରମୁହାଁ ହୋଇଥିବାରୁ ଆସନ୍ତା କିଛି ଦିନ ଧରି ମୌସୁମୀ ଦୁର୍ବଳ ରହିବା ସହ କାଁ ଭାଁ ବର୍ଷାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରେକର୍ଡ ହୋଇଥିବା ୨୬.୪% ନିଅଣ୍ଟିଆ ବର୍ଷା ସ୍ଥିତି ଆଗକୁ ଆହୁରି ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଏଥିସହ ଚାଷ କାର୍ଯ୍ୟରେ ନାନା ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ରହିଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଅଗଷ୍ଟ ୧୫ ତାରିଖ ଯାଏ ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ମୌସୁମୀ ଦୁର୍ବଳ ରହିବ। ସମ୍ଭବତଃ ଉପକୂଳ ଓଡ଼ିଶା କେନ୍ଦ୍ରୀୟ ଓ ଗଞ୍ଜାମ ସହିତ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ବିସ୍ତୃତ କିମ୍ବା ବିଶେଷ ବର୍ଷାର ସମ୍ଭାବନା କମ୍‌। ଏହି ସମୟରେ ଲଘୁଚାପର କୌଣସି ସଙ୍କେତ ମିଳୁ ନାହିଁ। ଅଗଷ୍ଟ ପ୍ରଥମ ୬ ଦିନରେ ରାଜ୍ୟରେ ପ୍ରାୟ ୬୯ମିମି ବର୍ଷା ଆଶା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୫.୬ ମିମି ବର୍ଷା ହୋଇଛି। ଏହା ସ୍ବାଭାବିକଠାରୁ ପ୍ରାୟ ୭୭% କମ୍‌। କୌଣସି ଜିଲ୍ଲାରେ ବି ସ୍ବାଭାବିକ ବର୍ଷା ହୋଇନାହିଁ। କୋରାପୁଟ ଜିଲ୍ଲାରେ ସର୍ବାଧିକ ୫୮.୬ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ମାତ୍ର ୧.୪ ମିମି ବର୍ଷା ହୋଇଛି। ଜୁନ୍‌ ୧ରୁ ଅଗଷ୍ଟ ୬ ତାରିଖ ସୁଦ୍ଧା ରାଜ୍ୟରେ ୪୬୪ ମିମି ବର୍ଷା ବର୍ଷା ହୋଇଥିବା ବେଳେ ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ରାଜ୍ୟରେ ୬୩୦ ମିମି ବର୍ଷା ହୋଇଥାଏ। ଅର୍ଥାତ ରାଜ୍ୟରେ ଏବେ ସୁଦ୍ଧା ୨୬.୪% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

ଆକଳନ କରାଯାଉଛି ଯେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭଦ୍ରକ, ଖୋର୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ସମୁଦାୟ ହାରାହାରି ବର୍ଷା ୨୫ ମିମି ‌ରହିବ। ତା’ ପର ସପ୍ତାହରେ ଏହି ୪ଟି ଜିଲ୍ଲା ସମେତ ବାଲେଶ୍ବର, ଯାଜପୁର ଓ କଟକରେ ମଧ୍ୟ ଆଉ ୨୫ ମିମି ବର୍ଷା ହୋଇପାରେ। ଅର୍ଥାତ ଉପକୂଳ ଜିଲ୍ଲାମାନଙ୍କରେ ଆସନ୍ତା ୨ ସପ୍ତାହରେ ପ୍ରାୟ ୭୦% ନିଅଣ୍ଟିଆ ବର୍ଷାର ସଙ୍କେତ ମିଳୁଛି। ଉପକୂଳ ସଂଲଗ୍ନ ଜିଲ୍ଲାମାନଙ୍କରେ ମଧ୍ୟ ପ୍ରାୟ ୫୦% ନିଅଣ୍ଟିଆ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାର ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲା, ଛତିଶଗଡ଼ ସୀମାନ୍ତ ଜିଲ୍ଲା ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ଧାନରୁଆ ବାଧାପ୍ରାପ୍ତ ହେବ। ଅଣଜଳସେଚିତ ଜିଲ୍ଲାରେ ରୁଆ ବେଉଷଣ ଆଗେଇବ ନାହିଁ। ଏପରିକି ତଳି ଘେରା ମଧ୍ୟ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର