କୋଟିଆରେ ନାହିଁ ନେଟ୍‌ୱାର୍କ, ଟିକା ପାଇଁ ପଞ୍ଜିକରଣ ହୋଇଛି, ହେଲେ ସ୍ଲଟ୍‌ ମିଳୁନି

କୋରାପୁଟ: କୋଭିଡ-୧୯କୁ ହରାଇବାକୁ ଦେଶରେ ଚାଲିଛି ବିଶ୍ବର ସର୍ବାଧିକ ଟିକାକରଣ ବ୍ୟବସ୍ଥା। ପ୍ରଥମେ ୬୦ବର୍ଷରୁ ଅଧିକ ନାଗରିକ, ପରେ ୪୫ରୁ ୬୦ ଅଧିକ ନାଗରିକ ଓ ୧୮ରୁ ବର୍ଷରୁ ଅଧିକ ନାଗରିକଙ୍କୁ ଟିକାକରଣ‌ରେ ସାମିଲ କରାଯିବାକୁ ଯୋଜନା ହୋଇଥିଲା। ଏଥିପାଇଁ କୋୱିନ ଓ‌େ୍ବସାଇଟରେ ନାମ ପଞ୍ଜିକରଣ କରିବାକୁ ପଡ଼ିବ। କିନ୍ତୁ ଏହି ବ୍ୟବସ୍ଥାରେ ଅନ୍ତରାୟ ହୋଇ ଠିଆ ହୋଇଛି ନେଟୱାର୍କ ସମସ୍ୟା। ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ନେଟ୍‌ୱାର୍କ ନାହିଁ। ପଡୋଶୀ ଆନ୍ଧ୍ରକୁ ଯାଇ ଲୋକେ ପଞ୍ଜିକରଣ କରୁଥିଲେ ମଧ୍ୟ ଖରାପ ନେଟୱାର୍କ ପାଇଁ ପଞ୍ଜିକରଣ ହେଉ ନ ଥିବା ଜଣାପଡିଛି। ଫଳରେ ଗ୍ରାମପୁଞ୍ଜରେ ୧୮ରୁ ୬୦ ବର୍ଷ ଯାଏ ରହିଥିବା ୧୮ରୁ ଅଧିକ ଅଧିବାସୀ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଥିବା ଜଣାପଡିଛି।

ଖାଲି କୋଟିଆ କାହିଁକି କୋରାପୁଟ ଜିଲ୍ଲାରେ ରହୁଥିବା ଅନ୍ୟ ଆଦିବାସୀମାନେ ମଧ୍ୟ ସମାନ ସମସ୍ୟା ଭୋଗୁଥିବା ଜଣାପଡିଛି। ଅତ୍ୟନ୍ତ ଗରିବ ଶ୍ରେଣୀୟ ହୋଇଥିବା ବେଳେ ନେଟୱର୍କ ନ ଥିବାରୁ ପଞ୍ଜିକରଣ ହୋଇ ପାରୁ ନ ଥିବା ଜଣାପଡିଛି। କୋରାପୁଟ ଜିଲ୍ଲାର ପଟାଙ୍ଗୀ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର, ବୋରିଗୁମ୍ମା, ବୈପାରିଗୁଡା, ସେମିଳିଗୁଡା, ଲମତାପୁଟ, କୋରାପୁଟ, ଜୟପୁର, କୋଟପାଡ, ଲକ୍ଷ୍ମୀପୁର ଓ ବୈପାରିଗୁଡା ବ୍ଲକର ଏକାଧିକ ପଞ୍ଚାୟତରେ ଆଦୌ ନେଟୱାର୍କ ନାହିଁ। ଜ୍ଞାତି କୁଟୁମ୍ବଙ୍କ ସହ କଥା ହେବାକୁ ସେମାନେ ପଡୋଶୀ ରାଜ୍ୟ ତଥା ବ୍ଲକ ଉପରେ ନିର୍ଭର କରିଥାନ୍ତି। ମୁଖ୍ୟତଃ କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଲମତାପୁଟ, ବନ୍ଧୁଗାଁ, ଦଶମନ୍ତପୁର ଓ ନାରାୟଣପାଟଣାରେ ସବୁବେଳେ ନେଟୱର୍କ ସମସ୍ୟା ରହିଛି। କେବଳ ବିଏସଏନଏଲ ସହ ଅନ୍ୟ କାଁ ଭାଁ ନେଟ୍‌ୱର୍କ ପ୍ରଦାନକାରୀଙ୍କୁ ଛାଡ଼ିଦେଲେ ଏହିଠାରେ ଅନ୍ୟ କୌଣସି ନେଟୱର୍କ କାମ କରୁନାହିଁ। ସପ୍ତାହକରୁ ଅଧାଦିନ ନେଟୱାର୍କ ରହୁ ନ ଥିବାବେଳେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଲୋକେ। ଏହିପରି ସ୍ଥଳ‌େ କିପରି କୋୱିନ ୱେବସାଇଟରେ ପଞ୍ଜିକରଣ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ମୋବାଇଲ ନମ୍ବର ଓ ଆଧାର ନମ୍ବର ସହ ଜନ୍ମ ହେବାର ମସିହା ଦେଇ କୋୱିନ ୱେବସାଇଟରେ ପଞ୍ଜିକରଣ ଆରମ୍ଭ ହେଲା। ଓଟିପି ଆସିବାପରେ ପଞ୍ଜିକରଣ ହେଲା। ନା ଜିଲ୍ଲା ୱାରି, ନା ପିନ୍‌କୋଡ୍‌। କେଉଁଥିରେ ବି ମିଳୁନି ସ୍ଲଟ। କେବେ ସ୍କଟ ମିଳିବ ତାହା ମଧ୍ୟ ଜଣାନାହିଁ। କୋୱିନ୍‌ ସାଇଟ୍‌ରେ ଆସନ୍ତା ଜୁନ ୧୫ ମଧ୍ୟ ଯାଏ ସ୍କଟ ଉପଲବ୍ଧ ନ ଥିବା ଦର୍ଶାଉଛି। ଫଳରେ ଆଶା ଓ ଆଶଙ୍କା ମଧ୍ୟକୁ ଠେଲି ହୋଇଗଲାଣି କୋରାପୁଟ ଜିଲ୍ଲାରେ ରହୁଥିବା ୧୮ରୁ ୪୫ ବର୍ଷୀୟ ଜନସାଧାରଣଙ୍କର ଆଦିବାସୀଙ୍କ ଜୀବନ। ଜିଲ୍ଲାରେ ଏବେ ମୋଟ ୨ ଲକ୍ଷ ୫୬ହାଜର ୩୯୬ ଜଣ ଟିକାକରଣରେ ସାମିଲ ହୋଇଥିବା ବେଳେ ୨ ଲକ୍ଷ ୨ହଜାର ୨୫୬ଜଣ ପ୍ରଥମ ଡୋଜ ଓ ୫୪ ହଜାର ୧୩୧ଜଣ ଦ୍ବିତୀୟ ଡୋଜ୍ ନେଇ ସାରିଛନ୍ତି। ଏବ ସୁଦ୍ଧା ଜିଲ୍ଲାରେ ୧ଲକ୍ଷ ୧ହଜାର ୩୧୩ଜଣ ୬୦ବର୍ଷରୁ ଅଧିକ ଲୋକ ଟିକା ନେଇଥିବାବେଳେ ୪୫ବର୍ଷରୁ ୬୦ବର୍ଷ ଯାଏ ୮୨ ହଜାର ୩୯୩, ୩୦ରୁ ୪୫ ବର୍ଷ ମଧ୍ୟରେ ୧୩ ହଜାର ୨୮୮ ଓ୧୮ରୁ ୩୦ ବର୍ଷ ଯାଏ ୫ହଜାର ୨୫୮ଜଣ ଟିକା ନେଇଛନ୍ତି।

୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ୧୪ଟି ବ୍ଲକରେ ୧୩ ଲକ୍ଷ ୭୯ ହଜାର ୬୪୭ଜଣ ଲୋକ ବସବାସ କରୁଛନ୍ତି। ଏବେ ଯାଏ ମାତ୍ର ୨ ଲକ୍ଷ ୫୬ହଜାର ୩୯୬ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଅବଶିଷ୍ଟ ୧୧ ଲକ୍ଷ ୨୩ହଜାର ୨୫୧ଜଣଙ୍କୁ କେବେ ଟିକା ପ୍ରଦାନ କରାଯିବ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି। ଏହାସହ ଜିଲ୍ଲାରେ ୫୬ଟି କେନ୍ଦ୍ରରେ ଟିକା କରଣ ଚାଲିଥିବା ବେଳେ ଟିକା ନ ଥିବାରୁ ଅଧାରୁ ଅଧିକ ଦିନ ଟିକା ପ୍ରଦାନ କରାଯାଇ ପାରୁନାହିଁ। କିଛିଦିନ ହେଲା ବନ୍ଦ ରହିଥିବା ଟିକା ଆଜି ପ୍ରଦାନ କରାଯାଉଥିବବେଳେ ଆସନ୍ତାଦିନରେ ଏହାକୁ କିପରି ନରନ୍ତରଭାବେ ଦିଆଯିବାକୁ ନେଇ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧା ବଢିଗଲାଣି।

ଏନେଇ ସିଡିଏମଓ ମକରନ୍ଦ ବେଉରା କହିଛନ୍ତି ଯେ ପ୍ରର୍ଯ୍ୟୟକ୍ରମେ ଜିଲ୍ଲାକୁ ଟିକା ଆସୁଛି। ୫୬ଟି ‌କେନ୍ଦ୍ରକୁ ଟିକା‌ ଭାଗ କରି ଦିଆଯାଉଛି। ଆସନ୍ତାଦିନରେ କେନ୍ଦ୍ରରୁ ଟିକା ଆସିବାପରେ ସମସ୍ତଙ୍କୁ ଟିକା ଦିଆଯିବାକୁ ଆମେ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର