ଅବହେଳିତ ଅବସ୍ଥାରେ ମାଲକାନଗିରି ଜିଲ୍ଲାର ସୀମାନ୍ତ ଗ୍ରାମ : ଗମନାଗମନର ସୁବିଧା ନଥିବାରୁ ବିପଦପୂର୍ଣ୍ଣ ଭାବେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି ଲୋକେ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସୀମାନ୍ତ ଗ୍ରାମ ଗୁଡିକରେ ଠିକ୍ ରୂପେ ପହଞ୍ଚି ପାରୁନାହିଁ ମୌଳିକ ସୁବିଧା। ଏହି ଗ୍ରାମ ଗୁଡିକକୁ ନା’ ପକ୍କା ରାସ୍ତା ରହିଛି ନା’ ଯିବା ଆସିବା ପାଇଁ କୌଣସି ସାଧନ ରହିଛି। ଲୋକେ ଏବେ ମଧ୍ୟ ସାଇକେଲ ଉପରେ ହିଁ ଭରସା କରୁଛନ୍ତି। ଯଦି କେତେବେଳେ ଗାଁକୁ କମାଣ୍ଡର କିମ୍ବା ଅଟୋ ଆସେ ତେବେ ସେହି ଗାଡିରେ ଲଦାଲଦି ହୋଇ ବ୍ଲକ ସଦର ମହକୁମା କିମ୍ବା ପଞ୍ଚାୟତ ସଦର ମହକୁମାକୁ ଯିବାକୁ ପଡିଥାଏ। ତେବେ ଏହି ଗାଡି ପୁଣି ଗାଁକୁ ଫେରେ ନାହିଁ। ସେମାନଙ୍କୁ ବାଧ୍ୟ ହୋଇ ମାଇଲ ମାଇଲ ବାଟ ଚାଲିବାକୁ ପଡିଥାଏ। ବିଶେଷକରି ମାଥିଲି, କାଲିମେଳା, ପଡିଆ, ଚିତ୍ରକୋଣ୍ଡା ଅଂଚଳରେ ଏଭଳି ଦୃଶ୍ୟ ନିୟମିତ ଦେଖିବାକୁ ମିଳିଥାଏ।

ଦେଖିବାକୁ ଗଲେ ଜିଲ୍ଲାର ସମସ୍ତ ବ୍ଲକରେ ଏଭଳି ଅବସ୍ଥା ରହିଛି। କୌଣସି ଦୁର୍ଗମ ଗ୍ରାମକୁ ଚାରି ଚକିଆ ଯାନ ନିୟମିତ ଯାଇନଥାଏ। କାଁ ଭାଁ କେତେବେଳେ ଯଦି ଯାଏ ଲୋକେ ସେଥିରେ ବିପଦପୂର୍ଣ୍ଣ ଯାତ୍ରା କରିଥାନ୍ତି। ଜୀବନକୁ ପାଣି ଛଡାଇ ଲୋକେ ଏଭଳି ଅସୁରକ୍ଷିତ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି। ବ୍ଲକ ସଦର ମହକୁମା କିମ୍ବା ଜିଲ୍ଲା ସଦର ମହକୁମାକୁ ଯିବାକୁ ହେଲେ ଏଭଳି ଅସୁରକ୍ଷିତ ଭାବେ ଯିବାକୁ ବାଧ୍ୟ ହେଉଥିବା ମାଥିଲି ବ୍ଲକର ଟେମରୁପାଲ୍ଲୀ ଅଂଚଳର ଲୋକେ ପ୍ରକାଶ କରିଛନ୍ତି। ସୀମାନ୍ତ ଛତିଶଗଡକୁ ଲାଗି ରହିଥିବା ଏହି ପଞ୍ଚାୟତ ସଂପୂର୍ଣ୍ଣ ନକ୍ସଲ ପ୍ରବଣ ହୋଇଥିବା ବେଳେ ଏଠାକୁ ନିୟମିତ ଗାଡି ଯିବା ଏକ ପ୍ରକାର ସମସ୍ୟା ରହିଥିବା କିଛି ଡ୍ରାଇଭର କହିଛନ୍ତି। କିନ୍ତୁ ଏହି ଅଂଚଳରେ ଲୋକଙ୍କୁ ଯିବା ଆସିବାରେ କୌଣସି ମାଧ୍ୟମ ନଥିବାରୁ ବାଧ୍ୟ ହୋଇ ଏହି ଅଂଚଳକୁ କମାଣ୍ଡର କିମ୍ବା ଅଟୋ ଯାଇଥାଏ। ଯେଉଁଥିରେ ଲୋକେ ଏଭଳି ବିପଦପୂର୍ଣ୍ଣ ଯାତ୍ରା କରିଥାନ୍ତି।

କାଲିମେଳା ବ୍ଲକ ଏବଂ ପଡିଆ ବ୍ଲକକୁ ଲାଗି ରହିଥିବା ଛତିଶଗଡ ସୀମାରେ ମଧ୍ୟ ଲୋକେ ଛତିଶଗଡକୁ ଯିବାକୁ ହେଲେ ଏଭଳି ଯାତ୍ରା କରିଥାନ୍ତି। ପ୍ରଶାସନ ତରଫରୁ ଦୁର୍ଗମ ଅଂଚଳକୁ ବସ ଚଳାଚଳର ବ୍ୟବସ୍ଥା କରିନଥିବାରୁ ଲୋକେ ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଏଭଳି ଯାତ୍ରା କରୁଛନ୍ତି। କିଛି ଆଦିବାସୀ ଲୋକ ଏବେ ବି ସାଇକେଲରେ ମାଇଲ ମାଇଲ ବାଟ ଯାଇଥାନ୍ତି। ପୁଣି ମହିଳାମାନେ ଚାଲି ଚାଲି ପଞ୍ଚାୟତ ଓ ବ୍ଲକରେ ପହଞ୍ଚିଥାନ୍ତି। ଦୁର୍ଗମ ଗ୍ରାମ ଗୁଡିକ ପ୍ରାୟତଃ ନକ୍ସଲ ପ୍ରବଣ ହୋଇଥିବାରୁ ବସ ଚଳାଚଳ ହେଉନଥିବା ଜଣାପଡିଛି। ଗତ ଦୁଇ ମାସ ତଳେ ସାଲିମିରେ ଗୋଟିଏ ଘରୋଇ ବସକୁ ନକ୍ସଲ ଜାଳି ଦେଇଥିଲେ। ଯାହାଫଳରେ ଏହି ଅଂଚଳ ଗୁଡିକରେ ପ୍ରାୟତଃ ବସ ଚଳାଚଳ ହୋଇନଥାଏ। କେବଳ ବ୍ଲକ ସଦର ମହକୁମା ଏବଂ କିଛି ପଞ୍ଚାୟତ ସଦର ମହକୁମାକୁ ବସ ଚଳାଚଳ କରିଥାଏ। ନିଜ ଜୀବନକୁ ପାଣି ଛଡାଇ ଲୋକେ ଏଭଳି ଯିବା ଆସିବା କରୁଥିବାରୁ ପ୍ରଶାସନ ତରଫରୁ ଏମାନଙ୍କ ପାଇଁ ନିୟମିତ ଗାଁକୁ ଯିବା ପାଇଁ ଚାରିଚକିଆ ଯାନର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର