ମିଳିଲାନି ମନରେଗା ମଜୁରି, ଗାଁ ଛାଡ଼ିଲେ ୪୦ରୁ ଊର୍ଦ୍ଧ୍ବ ଶ୍ରମିକ

କୋରାପୁଟ : ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ସାମିଲ ହୋଇଥିଲେ। ତେଣୁ ଗାଁ ଆଖପାଖରେ ହିଁ କାମ ମିଳିଥିଲା। କିନ୍ତୁ କାମ ସରିବା ସତ୍ତ୍ବେ ମଜୁରି ମିଳିଲା ନାହିଁ। ତଥାପି ୬ମାସ ପର୍ଯ୍ୟନ୍ତ ଅପେକ୍ଷା କଲେ। ଶେଷରେ ନିରାଶ ହୋଇ କାମ ଅନ୍ବେଷଣରେ ଆନ୍ଧ୍ର ଚାଲିଗଲେ ୪୦ରୁ ଊର୍ଦ୍ଧ୍ବ ଶ୍ରମିକ। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ପୁକାଲି ପଞ୍ଚାୟତରୁ ଦାଦନଙ୍କ ଏମିତି ସୁଅ ଛୁଟିଥିବା ଦେଖିବାକୁ ମିଳିଛି।

ସୋମବାର ସକାଳୁ ସକାଳୁ ପୁକାଲି ପଞ୍ଚାୟତର ୪୦ରୁ ଅଧିକ ଶ୍ରମିକ ପରିବାର ସହ ଆନ୍ଧ୍ରର ସାଲୁର ସହରରେ ପହଞ୍ଚି ଯାଇଥିଲେ। ଏତେ ସଂଖ୍ୟାରେ ଲୋକ ସାଲୁର ସହରରେ ପହଞ୍ଚିବା ଆନ୍ଧ୍ର ପୁଲିସକୁ ମଧ୍ୟ ଚକିତ କରିଥିଲା। ସନ୍ଦେହରେ ପୁଲିସ ସେମାନଙ୍କୁ ପଚରାଉଚୁରା ଆରମ୍ଭ କରିଥିଲା। ଏହାପରେ ଜଣାପଡ଼ିଲା ଯେ ସମସ୍ତେ ଦାଦନ ଶ୍ରମିକ। ଗାଁରେ କାମ କରି ମଜୁରି ନ ପାଇ ଗାଁ ଛାଡ଼ିଥିବା ସ୍ପଷ୍ଟ ହୋଇଥିଲା। ତେଣୁ ସେମାନଙ୍କୁ ନିଜ ନିଜ ବାଟରେ ଚାଲି ଯିବାକୁ ଦେଇଥିଲା ପୁଲିସ। ପୁଲିସ ଛାଡ଼ିବା ପରେ ଆଉ ଗହଳି ନ କରି ସମସ୍ତ ଶ୍ରମିକ କାମ ଅନ୍ବେଷଣରେ ନିଜ ନିଜ ରାସ୍ତାରେ ଚାଲି ଯାଇଥିଲେ। କେବଳ ଏହି ଶ୍ରମିକ ନୁହଁନ୍ତି , ଏମାନଙ୍କ ଭଳି ଆହୁରି ବହୁ ପରିବାର ପୂର୍ବରୁ ଗାଁ ଛାଡ଼ିଥିବା ଜଣାପଡ଼ିଛି।

ଏତେ ଶ୍ରମିକ ଗାଁ ଛାଡ଼ିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏତେ ଶ୍ରମିକଙ୍କୁ କେହି ଦଲାଲ ପ୍ରଲୋଭିତ କରି ନେଇଛି ନା ଶ୍ରମିକମାନେ ସ୍ବଇଚ୍ଛାରେ ଯାଇଛନ୍ତି ତାହା ତଦନ୍ତ ସାପେକ୍ଷ। ସେହିପରି ଜିଲ୍ଲା ପ୍ରଶାସନ ବି ଏଥିପ୍ରତି ଗୁରୁତ୍ବ ଦେବାକୁ ଦାବି ହୋଇଛି। ଅପରପକ୍ଷରେ ଗାଁ ଛାଡ଼ିଥିବା ଶ୍ରମିକଙ୍କ ମଧ୍ୟରୁ ମେଟା ଖେମୁଣ୍ଡୁଙ୍କୁ ପଚାରିବାରୁ ନିଜ ପଞ୍ଚାୟତରେ ମନରେଗାରେ କାମ କରିଥିଲେ। ଜଣେ ଜଣେ ଶ୍ରମିକ ପିଛା ହଜାର ହଜାର ଟଙ୍କା ବାକି ପଡ଼ିଛି। ଏହି ଟଙ୍କା କେବେ ମିଳିବ ଏବଂ କେମିତି ମିଳିବ ସେମାନେ ଜାଣିନାହାନ୍ତି। ପରିଶ୍ରମ କରିବା ସତ୍ତ୍ବେ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଗଲା ନାହିଁ। ରୋଜଗାରର ଅନ୍ୟ କୌଣସି ପନ୍ଥା ନଥିବାରୁ ରୋଜଗାର ସନ୍ଧାନରେ ରହିଥିଲେ। ରାଜ୍ୟ ବାହାରେ ଦୈନିକ ମଜୁରି ୬ଶହ ଟଙ୍କା ମିଳିବ ବୋଲି ଶୁଣିବାକୁ ମିଳିବାରୁ ଆନ୍ଧ୍ର ଚାଲି ଆସିଛନ୍ତି। ମାସ ମାସ ଧରି ଗାଁରେ ପ୍ରାପ୍ୟ ପାଇଁ ଅପେକ୍ଷା କଲେ କଣ ପିଲାଙ୍କ ପେଟକୁ ଦାନା ଯିବ। ବାଧ୍ୟ ହୋଇ ପରିବାର ସହ ଗାଁ ଛାଡ଼ି ଚାଲି ଆସିଥିବା କହିଥିଲେ।

ସମ୍ବନ୍ଧିତ ଖବର