ପୁଣି ହେଲାନି ବିଧାନସଭା ପ୍ରଶ୍ନକାଳ

ଉଭୟ ଶାସକ ଓ ବିରୋଧୀଙ୍କ ଗର୍ଜନରେ କମ୍ପିଲା ଗୃହ, ଲଗାତର ଅଷ୍ଟମ ଦିନ ପ୍ରଶ୍ନକାଳ ବାତିଲ୍‌

ଭୁବନେଶ୍ୱର: ଲଗାତର ଅଷ୍ଟମ ଦିନ ପାଇଁ ବିଧାନସଭାରେ ପ୍ରଶ୍ନକାଳ ହୋଇପାରି ନାହିଁ। କେବେ ଶାସକ ଦଳ ତ କେବେ ବିରୋଧୀ ଦଳଙ୍କ ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ସମ୍ଭବ ହୋଇ ନାହିଁ। ଆଜି ଉଭୟ ଶାସକ ଓ ବିରୋଧୀ ଗୃହ ଅଚଳ କରିଦେଇଥିଲେ। ଶାସକ ଦଳ ଚିଲିକାରେ ହେଲିକପ୍ଟର୍‌ ଉଡ଼ାଣକୁ ପ୍ରସଙ୍ଗ କରିଥିଲା ବେଳେ କଂଗ୍ରେସ ହାଇକୋର୍ଟର ଅଚଳାବସ୍ଥା କଥା ଉଠାଇଥିଲା। ବିଜେପି ସମବାୟ ଓ ଓମ୍‌ଫେଡ୍‌ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା। ତିନି ଦଳଙ୍କ ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ଗୋଟିଏ ମିନିଟ୍‌ ଭିତରେ ସୀମିତ ରହିଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ବିଜେଡି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। ବିଜେପି ସଭ୍ୟମାନେ ନାରାବାଜି କଲେ, ସମବାୟ ଓ ଓମ୍‌ଫେଡ୍‌ ଦୁର୍ନୀତିର ତଦନ୍ତ ଆମର ଦାବି…ରାଜ୍ୟ ସରକାର ହାଏ ହାଏ…। କଂଗ୍ରେସ ସଭ୍ୟମାନେ ଆରୋପ ଲଗାଇଲେ, ୨୦ ଦିନ ହେଲା ହାଇକୋର୍ଟରେ ଅଚଳାବସ୍ଥା ଜାରି ରହିଛି। ଲୋକ ହଇରାଣ ହେଉଛନ୍ତି। ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ। ଏପରି ଆରୋପ ଲଗାଇ ସେମାନେ ହୋହଲ୍ଲା କରିଥିଲେ। ବିଜେଡି ସଭ୍ୟ ସମୀର ଦାଶ ଅଭିଯୋଗ କରିଥିଲେ, ଜଣେ ସାମ୍ବାଦିକ ଅଭିଜିତ ଆୟାର ସୋସିଆଲ୍‌ ମିଡିଆରେ କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଶାସକ ଦଳ ସଭ୍ୟମାନେ ଅଭିଜିତଙ୍କ ବିରୋଧରେ ନାରାବାଜି କରିଥିଲେ। ତିନି ଦଳର ସଭ୍ୟଙ୍କ ଏମିତି ହୋହଲ୍ଲା ଗୃହ ଚାଲିବା ସମ୍ଭବ ହୋଇ ନ ଥିଲା। ଏକ ମିନିଟ୍‌ ପରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ। ଏହା ପରେ ବିଜେଡି ସଭ୍ୟମାନେ ସିଧାସଳଖ ଗାନ୍ଧୀ ମୂର୍ତ୍ତି ତଳକୁ ଯାଇଥିଲେ। ସେଠାରେ ବ୍ୟାନର୍‌ ଦେଖାଇ ବୈଜୟନ୍ତ ପଣ୍ଡା ଓ ଅଭିଜିତ ଆୟରଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ପରିବେଶ ଉଲ୍ଲଂଘନକାରୀ ବୈଜୟନ୍ତ ପଣ୍ଡା ଓ ଓଡ଼ିଆଙ୍କୁ ମାନସିକ ଆଘାତ ଦେଇଥିବା ଅଭିଜିତ ଆୟାରଙ୍କୁ ଗିରଫ ଦାବି କରିଥିଲେ। ବିଜେଡି ସଭ୍ୟମାନେ ଗାନ୍ଧୀ ମୂର୍ତ୍ତି ତଳୁ ଗଲା ପରେ ବିଜେପି ସଭ୍ୟମାନେ ସେଠାରେ ପହଞ୍ଚିଥିଲେ। ସମବାୟ ଓ ଓମ୍‌ଫେଡ୍‌ ଦୁର୍ନୀତି ତଦନ୍ତ ଦାବି କରି ସେମାନେ ଧାରଣା ଦେଇଥିଲେ। ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ ବି ଦେଇଥିଲେ। ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ହାଇକୋର୍ଟ ୨୦ ଦିନ ହେଲାଣି ବନ୍ଦ ହୋଇଛି। ସେପଟେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍‌ ପାଇଁ ଆଇନଜୀବୀମାନେ ଆନ୍ଦୋଳନ ଚଳାଇଛନ୍ତି। ତଳ କୋର୍ଟଗୁଡ଼ିକ ପ୍ରତି ମାସରେ ୩/୪ ଦିନ ବନ୍ଦ ରହୁଛି। ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଆଇନ୍‌ ଅଦାଲତରୁ ନ୍ୟାୟ ପାଇବା ନାଗରିକର ମୌଳିକ ଅଧିକାର। କିନ୍ତୁ ନାଗରିକମାନେ ଏବେ ସେହି ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏଥି ପାଇଁ ରାଜ୍ୟ ସରକାର ଉତ୍ତରଦାୟୀ। ସରକାର ତୁରନ୍ତ ହସ୍ତକ୍ଷେପ କରି ଏପରି ଅଚଳାବସ୍ଥା ଦୂର କରାନ୍ତୁ। ବିଜେପି ବିଧାୟକ ଦଳ ନେତା କେ ଭି ସିଂହଦେଓ ଶୂନ୍ୟକାଳରେ ଏହି ପ୍ରସଙ୍ଗରେ କହିଥିଲେ, ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ନେଇ ସରକାର ଆବଶ୍ୟକ ସୂଚନା ଦେଉ ନାହାନ୍ତି। ଏହି ପ୍ରସଙ୍ଗରେ ତଦନ୍ତ କରିଥିବା ଜଷ୍ଟିସ୍‌ ସି ଆର୍‌ ପାଲ୍‌ କମିସନ୍‌ଙ୍କ ରିପୋର୍ଟକୁ ସରକାର ଗୃହରେ ଉପସ୍ଥାପନ କରିବା ସହ କେନ୍ଦ୍ରକୁ ପଠାନ୍ତୁ। ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ।

ସମ୍ବନ୍ଧିତ ଖବର