ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ ବିଜ୍ଞପ୍ତି : ୨୩ ଓ ୨୪ରେ ୟୁଜି, ୨୮ରେ ପିଜି ପରୀକ୍ଷା
ବିଜ୍ଞପ୍ତିରେ ସ୍ପଷ୍ଟତା ନାହିଁ, ଛାତ୍ରୀ ଦ୍ୱନ୍ଦ୍ୱରେ, ପରୀକ୍ଷା ନିୟନ୍ତ୍ରକ ଚୁପ୍
ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି), ସ୍ନାତକୋତ୍ତର(ପିଜି) ଓ ବିଏଡ୍ ଶେଷ ସେମିଷ୍ଟର ପରୀକ୍ଷା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥର ପରୀକ୍ଷା ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ କରାଯିବ। ଛାତ୍ରୀମାନେ କେଉଁ ମାଧ୍ୟମରେ ପରୀକ୍ଷା ଦେବେ ସେ ନେଇ ବିଶ୍ବବିଦ୍ୟାଳୟକୁ ଅବଗତ କରିବେ। ତେବେ କେବେ ସୁଦ୍ଧା ଅବଗତ କରିବେ ସେନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବବିଦ୍ୟାଳୟ ସମେତ ଏହା ଅଧୀନ ୯ ଜିଲ୍ଲାର ୪୮ ମହିଳା ମହାବିଦ୍ୟାଳୟ ପାଇଁ ଏକା ସମୟରେ ପରୀକ୍ଷା ଅନୁଷ୍ଠିତ ହେବ। ୟୁଜି ଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ। ୨୪ ତାରିଖରେ ଅନର୍ସ ଛାତ୍ରୀମାନେ ଇଲେକ୍ଟିଭ ବିଷୟର ଆସାଇନମେଣ୍ଟ ଉଭୟ ଅନ୍ଲାଇନ୍ ଓ ଅଫଲାଇନ୍ରେ ଦାଖଲ କରିପାରିବେ। ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ୟୁଜି ଥିଓରି ଶେଷ ତଥା ଷଷ୍ଠ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ପିଜି ଅନ୍ତିମ ତଥା ଚତୁର୍ଥ ସେମିଷ୍ଟର ଏମ୍.ଏସ୍ସି ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୨୧ ତାରିଖରେ ହେବ। ୨୫ ତାରିଖରେ ପିଜି ଛାତ୍ରୀ ସେମାନଙ୍କର ଆସାଇନମେଣ୍ଟ ଦାଖଲ କରିବେ। ୨୮ ତାରିଖରେ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ବିଏଡ୍ ଛାତ୍ରୀଙ୍କ ଥିଓରି ପରୀକ୍ଷା ଆସନ୍ତା ୨୧ ଓ ୨୪ରେ ଅନୁଷ୍ଠିତ ହେବ ଏବଂ ୩୦ ତାରିଖରେ ଛାତ୍ରୀମାନେ ସେମାନଙ୍କର ଆସାଇନମେଣ୍ଟ ଦାଖଲ କରିପାରିବେ।
କୋଭିଡ୍-୧୯ ନିୟମ ଅନୁଯାୟୀ ପରୀକ୍ଷା କରାଯିବ। ପରୀକ୍ଷାର ସମୟ ସୀମା ଏକ ଘଣ୍ଟା ରହିବ। ପରୀକ୍ଷା ପୂର୍ବରୁ ଗବେଷଣାଗାର ଓ ଶ୍ରେଣୀଗୃହ ବିଶୋଧନ ହେବ। ପରୀକ୍ଷା ସମୟରେ ସାମାଜିକ ଦୂରତା ରଖାଯିବା ସହ ସମସ୍ତ କୋଭିଡ୍-୧୯ ନିୟମ ପାଳନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷା ତାରିଖ ଘୋଷଣା ନେଇ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବ୍ରଜ କିଶୋରଙ୍କ ଦସ୍ତଖତ ଥିବା ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ସେ କିଛି ଜାଣି ନ ଥିବା ଗଣମାଧ୍ୟମକୁ କହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ବିଜ୍ଞପ୍ତିକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କେଉଁ ମାଧ୍ୟମରେ ସେମାନେ ପରୀକ୍ଷା ଦେବେ ସେନେଇ କେବେ ସୁଦ୍ଧା ଜଣାଇବା ବିଷୟରେ ବିଜ୍ଞପ୍ତିରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। କେଉଁଭଳି ପ୍ରଶ୍ନ ଆସିବ(ସଂକ୍ଷିପ୍ତ କିମ୍ବା ଦୀର୍ଘ) ତାହାକୁ ନେଇ ଛାତ୍ରୀମାନେ ଦ୍ବନ୍ଦ୍ବରେ ପଡିଛନ୍ତି। ହଜାର ହଜାର ଛାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ଚୁପ୍ ରହିବା ପରୀକ୍ଷାର ସଫଳ ପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।