ଏବେ ମଧ୍ୟ ଆଇସିୟୁରେ ୭% କରୋନା ରୋଗୀ

୭୭୯ ପଜିଟିଭ୍, ୬୮ ମୃତ

ଭୁବନେଶ୍ବର : ରାଜ୍ୟରେ ଏବେ ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ପ୍ରତିଶତରୁ କମ୍ (୦.୭୨)। ହେଲେ ଏହି ୧ ପ୍ରତିଶତରୁ କମ୍ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ ୭ପ୍ରତିଶତ ଆଇସିୟୁରେ। ଏପରିକି ଅନେକ ଭେଣ୍ଟିଲେଟର୍‌ରେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ‌ଦୈନିକ ସଂକ୍ରମଣ ନିମ୍ନଗାମୀ ହେଉଥିଲେ ହେଁ କରୋନାରେ ସଂକ୍ରମିତ ହୋଇ ଗୁରୁତର ହେଉଥିବା ରୋଗୀଙ୍କ ସଂଖ୍ୟା ସେଭଳି କମି ନାହିଁ। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ସୁଦ୍ଧା ରାଜ୍ୟରେ ୭୨୮୫ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ ୬୪୬୭ ଗୃହ ପୃଥକବାସରେ ରହିଛନ୍ତି। ସାଧାରଣ ଶଯ୍ୟାରେ ୩୧୩, ଆଇସିୟୁ/ଏଚ୍‌ଡିୟୁରେ ୫୦୫ ଓ ଭେଣ୍ଟିଲେଟରରେ ୧୨୦ଜଣ ଅଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ରାଜ୍ୟରେ ଏବେ ଦ୍ବିତୀୟ ଲହର ସରି ନ ଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ନିର୍ଦ୍ଦିଷ୍ଟ ଭାବେ ତୃତୀୟ ଲହର କେବେ ଆରମ୍ଭ ହେବ ଓ ସଂକ୍ରମିତଙ୍କ ସଂଖ୍ୟା କେତେ ଛୁଇଁବ, ତାହାକୁ ନେଇ ଆକଳନ ଜାରି ରହିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଜାତୀୟସ୍ତରରେ ଯେତେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ତହିଁରୁ ସିଂହଭାଗ କେରଳରୁ ରହିଛନ୍ତି। ତେଣୁ ରାଜ୍ୟରେ ଯେପରି ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ନ ହୁଏ ଓ ଗୁରୁତର ରୋଗୀଙ୍କ ସଂଖ୍ୟା ନ ବଢ଼େ, ସେଥିପାଇଁ ରାଜ୍ୟ ସରକାର ସର୍ଭେଲାନ୍‌ସ ଜାରି ରଖିଛନ୍ତି। ପାର୍ବଣ ସମୟରେ ଯେପରି ଲୋକମାନଙ୍କ ଅଯଥା ଭିଡ଼ ନ ହୁଏ, ସେଥିପାଇଁ ଏସ୍‌ଆରସିଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବ। ତେବେ କରୋନାର ତୃତୀୟ ଲହର ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ସେ କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦୫ଜଣ ୧୮ବର୍ଷରୁ କମ୍ ବୟସର ପିଲା ରହିଛନ୍ତି। ତେବେ ୧୪ ଜିଲ୍ଲାରେ ଦୈନିକ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ହେଲେ ଖୋର୍ଧା ୨୫୯, କଟକ ୮୪, ବାଲେଶ୍ବର ୫୯, ପୁରୀ ୩୯, ଯାଜପୁର ୩୪, ଜଗତସିଂହପୁର ୩୧, ମୟୂରଭଞ୍ଜ ୨୭, ସୁନ୍ଦରଗଡ଼ ୨୦ ଓ ଷ୍ଟେଟ୍‌ ପୁଲରୁ ୫୭ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୫ହଜାର ୬୫୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬୮ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ମୃତକଙ୍କ ମଧ୍ୟରେ କଟକ ୨୫, କେନ୍ଦ୍ରାପଡ଼ା-ଖୋର୍ଧାରୁ ୭ ଲେଖାଏଁ, ଜଗତସିଂହପୁର ୬, ମୟୂରଭଞ୍ଜ-ଅନୁଗୁଳ ୫ ଲେଖାଏଁ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳରେ ୩‌ ଲେଖାଏଁ, ନୟାଗଡ଼ ୨, ବୌଦ୍ଧ, ପୁରୀରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୭୭୬୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୯୫୬ କରୋନା ରୋଗୀ ସୁସ୍ଥ ହୋଇଥିବା ସରକାରୀ ସୂଚନା ଦିଆଯାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୦୪୦କୁ ଖସି ଆସିଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୯୦ହଜାର ୭୯୬ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର