ନୂଆପଡ଼ା ଜିଲ୍ଲାରେ ଅଦାକିଣାରେ ଦୁର୍ନୀତି ଅଭିଯୋଗ, ନିମ୍ନମାନର ହୋଇଥିବାରୁ ଗଜା ହେଉନାହିଁ ଅଦା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୃଷି ବିଭାଗ ତଥା ଆତ୍ମା ଯୋଜନାରେ ଅଦା କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷ ଚାଷୀଙ୍କୁ ଅତି ନିମ୍ନମାନର ଅଦା ଦିଆଯାଇଥିବାରୁ ଚାଷୀଙ୍କ ଜମିରେ ଅଦା ଗଜା ନ ହୋଇ ନଷ୍ଟ ହେବାରେ ଲାଗିଛି। ଅଦା ଗଜା ନହେବାରୁ ଚିନ୍ତାରେ ପଡ଼ିଛନ୍ତି।
ପ୍ରକାଶ ଯେ ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ଆତ୍ମା ଯୋଜନାରେ ନୂଆପଡ଼ା ବ୍ଳକଭେରା ଗ୍ରାମରେ ସୋଭନ ସାହୁ, ଭୁକୁରାମ ପଟେଲ, ସେବକରାମ ପଟେଲ,ଲିଖନ କୁମାର ସାହୁ, କିଶନଲାଲ ସାହୁ, ୟାଦାରାମ ପଟେଲ,ଦାମୋଦର ସାହୁ, ହେମସାଗର ସାହୁ, ବାବୁଲାଲ ପଟେଲ, ମୋହନ ପଟେଲ, କୁଞ୍ଜବିହାରୀ ସାହୁ, ଦୌଲତ ସାହୁ, ବୁଧୁବାରୁ ପଟେଲ ଏପରି ୨୫ ଜଣ ଚାଷୀଙ୍କୁ ୧୦ ଡିସିମିଲ ହିସାବରେ ୨ ଏକର ୫୦ ଡିସିମିଲ ପାଇଁ ମାଗଣରେ ଅଦା ଚାଷ କରିବାକୁ ଜଣେ ଚାଷୀଙ୍କୁ ୫୦ କେଜି ଲେଖାଏଁ ଅଦା ଦିଆଯାଇଥିଲା। ଚାଷୀଙ୍କ କହିବା ଅନୁସାରେ ଅଦା ଲଗାଇବାର ୧୫ ଦିନ ଭିତରେ ଗଜା ହୋଇଯାଏ। ଆଜିକୁ ୨୦ ଦିନ ହେବ ଚାଷୀଙ୍କ ଅଦା ଗଜା ହେଉନଥିବା ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲା କୃଷି ବିଭାଗ ଚାଷୀମାନଙ୍କୁ ନିମ୍ନମାନର ଅଦା ଦେଇଥିବା ଅଭିଯୋଗ ହୋଇଛି।

ଚାଷୀମାନଙ୍କ କହିବା ଅନୁଯାୟୀ ଆତ୍ମା ଦେଇଥିବା ଅଦାର ଗୁଣବତ୍ତା ପରୀକ୍ଷା କରିବା ସହ ଜିଲ୍ଲାସ୍ତରୀୟ କ୍ରୟ କମିଟି ଗଠନ କରାନଯାଇ ଚାଷୀଙ୍କୁ କିପରି ଅଦା ଦିଆଯାଇଛି। ଏହା ଉପରେ ଜିଲ୍ଲାପାଳ ତଦନ୍ତ କରିବାକୁ ଚାଷୀ ଦାବି କରିଛନ୍ତି। ଚାଷୀ ବର୍ତ୍ତମାନ ଅଦା ଜମିରେ ଲଗାଇ ଥିବା ବେଳେ ନିମ୍ନମାନର ଅଦା ହୋଇଥିବାରୁ ଚାଷୀଙ୍କ କିଛି ମାତ୍ରରେ ଗଜା ହୋଇଥିବା ବେଳେ ବହୁ ମାତ୍ରାରେ ଅଜା ଗଜା ନ ହୋଇ ଜମିରେ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କୁ ଏଭଳି ନିମ୍ନମାନର ଅଦା ଦେଇଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଚାଷୀମାନେ ଦାବି କରିଛନ୍ତି।

ଏହା ଉପରେ ନୂଆପଡ଼ା ଡିଡିଏଙ୍କୁ ପଚାରିବାରୁ ଅଦାଟି ନୂଆପଡ଼ା କୃଷି ବିଜ୍ଞାନ କେନ୍ଦ୍ର ଦେଇଛି। କେମିତି ଅଦା ଆମେ ଜାଣି ନାହୁଁ। ଚାଷୀମାନଙ୍କଠାରୁ ଅଦା ଗଜା ହୋଇନଥିବା ଖବର ପାଇଛି। ତଦନ୍ତ କଲା ପରେ ସତକଥା ଜଣାପଡ଼ିବ ବୋଲି ସେ କହିଛନ୍ତି। ଏହା ଉପରେ ନୂଆପଡ଼ା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଲକ୍ଷ୍ମୀଲାଲ୍ ମିନା କହିଛନ୍ତି ଯେ ଗତ ୧୦ ତାରିଖ ଦିନ ଚାଷୀଙ୍କୁ ଅଦା ଦିଆଯାଇଛି। ଅଦା ଗଜ ହେବା ପାଇଁ ୩୫ ଦିନ ଲାଗିଥାଏ ବୋଲି ସେ କହିଛନ୍ତି। ବର୍ତ୍ତମାନ ୩୫ ଦିନ ପରେ ଅଦା ଗଜା ହେଉଛି କି ନାହିଁ ଦେଖିବାର ବାକି ରହିଛି।

ସମ୍ବନ୍ଧିତ ଖବର