କରୋନା ଦ୍ୱିତୀୟ ଲହର! ରାଜ୍ୟରେ ଦୈନିକ ସଂକ୍ରମଣ ଦେଢ଼ଶହ ନିକଟତର

ସାରା ଦେଶରେ ୨୪ ଘଣ୍ଟାରେ ୪୬୯୫୧ ଆକ୍ରାନ୍ତ

ଏକ୍ସଆଇଏମ୍‌ବିରେ ୨୮ ଆକ୍ରାନ୍ତ
ଇନ୍‌ଡୋର କାର୍ଯ୍ୟକ୍ରମକୁ ବନ୍ଦ କରାଯାଉ: ବିଶେଷଜ୍ଞ

ଭୁବନେଶ୍ବର : ରାଜ୍ୟରେ କରୋନା ପୁଣିଥରେ କଡ଼ ଲେଉଟାଇବା ଆରମ୍ଭ କରିଛି। ଗତ କିଛିଦିନ ଧରି ସଂକ୍ରମଣ ଶହେ ଉପରେ ରହୁଥିବା ବେଳେ ଗତ ୨୪ଘଣ୍ଟାରେ ରାଜ୍ୟରେ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଖୋର୍ଦ୍ଧାରେ ସର୍ବାଧିକ ୩୫ଜଣ, କଟକ ୨୫, ମୟୂରଭଞ୍ଜ ୧୩, ସୁନ୍ଦରଗଡ଼ ଓ ନୂଆପଡ଼ାରେ ୧୨ ଲେଖାଏଁ ଓ ବଲାଙ୍ଗୀରରେ ୯ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଶେଷଥର ପାଇଁ ଗତ ଜାନୁଆରି ୨୨ତାରିଖରେ ରାଜ୍ୟରେ ୧୫୦ ଆକ୍ରାନ୍ତ ‌ଚିହ୍ନଟ‌ ହୋଇଥିଲେ। ଏହାପରଠୁ ସଂକ୍ରମଣ ତଳମୁହାଁ ହେବା ଆରମ୍ଭ ହୋଇ ଧୀରେ ଧୀରେ ୫୦ ତଳକୁ ମଧ୍ୟ ଖସି ଯାଇଥିଲା। କିନ୍ତୁ କିଛିମାସର ବ୍ୟବଧାନ ପରେ ରାଜ୍ୟରେ ସଂକ୍ରମଣ ପୁଣି ବଢ଼ିବା ଆରମ୍ଭ କରିଛି। ବିଶେଷ କରି ଖୋର୍ଦ୍ଧା ଓ କଟକ ଜିଲ୍ଲା କରୋନା ସଂକ୍ରମଣର ହଟସ୍ପଟ୍‌ ଆଡ଼କୁ ଗତି କରିବା ଆରମ୍ଭ କରିଛି। ତିନି ଦିନ ତଳେ କଟକର ଏକ ଶିକ୍ଷାନୁଷ୍ଠାନରୁ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ଦିନ ରାଜଧାନୀର ଏକ୍ସଆଇଏମ୍‌ବିରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାହାର ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଯୋଗୁଁ ଦୁଇ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି। ଏହାସହ ବିଦେଶ ଫେରନ୍ତା ୨ଜଣ ମଧ୍ୟ ନିକଟରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯଦିଓ ରାଜ୍ୟରେ ଏ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟ କିମ୍ବା ବିଦେଶରେ ଦେଖା ଦେଇଥିବା କରୋନାର ଭୂତାଣରୁ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ; ତଥାପି ଏହି ଆଶଙ୍କା ଏବେ ବି ଦୂର ହୋଇ ନ ଥିବା ବିଶେଷଜ୍ଞମାନେ ମତ ରଖୁଛନ୍ତି।

ବରିଷ୍ଠ ଚିକିତ୍ସକ ଡା.ନିରଜ ମିଶ୍ରଙ୍କ କହୁଛନ୍ତି, ରାଜ୍ୟରେ ଏବେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇ ସାରିଲାଣି। କଟକ ଓ ଭୁବନେଶ୍ବରରେ ନିକଟରେ ହୋଇଥିବା ସଂକ୍ରମଣ ବୃଦ୍ଧି ଏହାର ବଳିଷ୍ଠ ଉଦାହରଣ। ତେଣୁ ଇନ୍‌ଡୋରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ଦରକାର। ଗତ ୧୫ଦିନ ଭିତରେ ଦେଶବ୍ୟାପୀ ସଂକ୍ରମଣରେ ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ମୁମ୍ବାଇରେ ୩ଶହରୁ ଅଧିକ ଆପାର୍ଟମମେଣ୍ଟକୁ ସିଲ୍‌ କରି ଦିଆଯାଇଛି। ତେଣୁ ରାଜ୍ୟ ସରକାର ମଧ୍ୟ ଏବେଠାରୁ ପଦକ୍ଷେପ ନେବା ଜରୁରୀ। ସଂକ୍ରମଣ କମିବା ଯୋଗୁଁ ରାଜ୍ୟ ସରକାର ମଲ୍, ସିନେମା ହଲ୍ ଓ କାର୍ଯ୍ୟାଳୟ ଇତ୍ୟାଦିକୁ ଖୋଲି ଦେଇଥିଲେ। ହେଲେ ଏବେ ଏଥିରେ ପୁଣିଥରେ କଟକଣା ଲଗାଇବାର ସମୟ ଆସିଯାଇଛି। ଗମନାଗମନରେ କୌଣସି କଟକଣା ନ ଥିବାରୁ ବାହାର ରାଜ୍ୟରେ ଦେଖା ଯାଇଥିବା କରୋନା ଷ୍ଟ୍ରେନ୍‌ ଓଡ଼ିଶାକୁ ମଧ୍ୟ ଆସିପାରେ। ତେଣୁ ରାଜ୍ୟ ସରକାର ସମସ୍ତ ରାଜନୈତିକ, ସାମାଜିକ ଓ ଧାର୍ମିକ ସମ୍ମିଳନୀକୁ ବନ୍ଦ କରିବା ଦରକାର ବୋଲି ଡା.ମିଶ୍ର କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୫,୩୧୫ କୋଭିଡ ନମୁନା ପରୀକ୍ଷା କରାଯାଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆଇ ୦.୫୭ ପ୍ରତିଶତ ରହିଛି। ଆଜି ୮୨ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୨୦୬କୁ ବୃଦ୍ଧି ପାଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ମାଲକାନଗିରି, ଗଜପତି ଓ ବୌଦ୍ଧରେ ଜଣେ ହେଲେ ଚିକିତ୍ସାଧୀନ ରୋଗୀ ନାହାନ୍ତି। ଅପରପକ୍ଷରେ ଏଯାଏ ରାଜ୍ୟରେ କରୋନାରେ ସମୁଦାୟ ୧୯୧୯ ଜଣଙ୍କ ମୃତ୍ୟୁ ହୋଇଛି।

ସାରା ଦେଶରେ ୨୪ ଘଣ୍ଟାରେ ୪୬୯୫୧ ଆକ୍ରାନ୍ତ
ନୂଆଦିଲ୍ଲୀ : ସପ୍ତାହକ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ବହୁମାତ୍ରାରେ ବଢ଼ିଛି। ୨.୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ୬୭ ପ୍ରତିଶତ ବୃଦ୍ଧି ପାଇଛି। ଗତକାଲି ଦେଶରେ ୪୬,୯୫୧ ନୂଆ ମାମଲା ଚିହ୍ନଟ ହୋଇଛି। ମାତ୍ର ଦୁଇ ଦିନରେ ସଂକ୍ରମଣ ୯୦ ହଜାରରୁ ଅଧିକ ରହିଛି। ସାରା ଦେଶରେ ମୋଟ୍ ସଂକ୍ରମରଣ ମାମଲା ମଧ୍ୟରୁ ୮୦ ଭାଗ କେବଳ ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ରହିଛି।

ସମ୍ବନ୍ଧିତ ଖବର