ନର୍ସ ନୀହାରିକା ହତ୍ୟାକାଣ୍ତ : ତିନିଦିନିଆ ରିମାଣ୍ଡରେ ଅଭିଯୁକ୍ତ ରାଜା

ଜଗତସିଂହପୁର ଟାଉନ୍ : ବହୁଚର୍ଚ୍ଚିତ ଷ୍ଟାଫ୍‌ ନର୍ସ ନୀହାରିକା ପାତ୍ର (ରୁପାଲି) ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଲ ଓରଫ ରାଜାକୁ ଆଜି ବିରିଡ଼ି ପୁଲିସ ୩ ଦିନିଆ ରିମାଣ୍ତରେ ଆଣିଛି। ୫ଦିନ ରିମାଣ୍ତରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲେ ହେଁ କୋର୍ଟ ୩ ଦିନ (୨୩ରୁ ୨୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ) ଅନୁମତି ଦେଇଛନ୍ତି। ଏହି ସମୟରେ ରାଜା ନିକଟରୁ ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ୍ ସୂଚନା ଦେଇଛନ୍ତି।

ରାଜା ନିଜେ ନୀହାରିକାଙ୍କ ତଣ୍ଟି ଚିପି ହତ୍ୟା କରିଛି ବୋଲି ସ୍ବୀକାର କରିଥିବା ପୁଲିସ କହୁଛି। ସେ କେମିତି ନୀହାରିକାଙ୍କୁ ମାରିଥିଲା ଓ ପ୍ରମାଣ ନଷ୍ଟ କରିବାକୁ କେମିତି ବିଲୁଆଖାଇ ନଦୀରେ ମୃତଦେହକୁ ପକାଇଥିଲା ତାହା ପୁଲିସକୁ ‘ଡେମୋ’ କରି ବି ଦେଖାଇଛି। ହେଲେ ରାଜା ପ୍ରକୃତରେ ଏ କାମ କରିଛି ନା’ ଏହା ପଛରେ ଆଉ କାହାର ହାତ ଅଛି, ତାହା ସନ୍ଦେହ ଭିତରେ ରହିଛି। ରାଜା କାହା ଚାପରେ ଏଭଳି କହୁଛି ନା’ ସତ କହୁଛି ତାହା ନାହିଁ ତ? ପ୍ରମାଣ ନଷ୍ଟ ପାଇଁ ରାଜା ନୀହାରିକାଙ୍କ ଚପଲ ଓ ମନିପର୍ସ କେଉଁଠାରେ ପକାଇଛି, ପଚରାଉଚରା କରାଯାଇ ତାହା ଉଦ୍ଧାର କରାଯିବ ବୋଲି ପୁଲିସ୍‌ କହିଛି। ଏହାଛଡ଼ା ପୂରା ତଦନ୍ତରେ କଟକ ଏମ୍ଏମ୍ ମେଡିକେୟାରର କଣ ସଂପୃକ୍ତି ରହିଛି ତାକୁ ନେଇ ମଧ୍ୟ ଖୋଳତାଡ଼ କରାଯିବ ବୋଲି ପୁଲିସ୍‌ କହିଛି। ରିମାଣ୍ତ ସମୟରେ ଆଉ କଣ ସବୁ ନୂଆ ତଥ୍ୟ ଆସୁଛି ଓ ଘଟଣା ପଛରେ ଆଉ କାହାର ହାତ ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର