ନନ୍ଦନକାନନରେ ଜୀବନ ନେଉଛି ଡମ୍ପିଂୟାର୍ଡ!

ନନ୍ଦନକାନନକୁ ନୂଆ ନୂଆ ଭାଇରସ୍ ପଶୁଛନ୍ତି, ହାତୀ ମଡ଼କ ପାଇଁ ଡମ୍ପିଂୟାର୍ଡ ଦାୟୀ: ଜଟଣୀ ବିଧାୟକ

ଭୁବନେଶ୍ବର : ଦାରୁଠେଙ୍ଗ ଗ୍ରାମ ନିକଟସ୍ଥ ଭୁଆସୁଣୀରେ ଥିବା ଡମ୍ପିଂୟାର୍ଡ ଯୋଗୁଁ ନନ୍ଦନକାନନ ପ୍ରତି ବିପଦ ସୃଷ୍ଟି ହୋଇଛି। ଡମ୍ପିଂୟାର୍ଡରେ ଗଦା ହେଉଥିବା ଆବର୍ଜନା ଓ ଏହାର ବିଷାକ୍ତ ଧୂଆଁରୁ ନୂଆ ନୂଆ ଭୂତାଣୁ ସୃଷ୍ଟି ହେଉଛନ୍ତି। ପ୍ରକୋପରେ ନନ୍ଦନକାନନରେ ଗୋଟିଏ ପରେ ଗୋଟିଏ ପ୍ରାଣୀ ମରି ଚାଲିଛନ୍ତି। ଏପରିକି ନିକଟରେ ସିମ୍ପାଞ୍ଜି, ଅଜଗର, ବାରାଶିଙ୍ଗା, ୱରଙ୍ଗଓଟାନ୍‌, ଜଳହସ୍ତୀ, ନୀଳଗିରି ହନୁ ପରି ବିରଳ ପ୍ରଜାତିର ଜୀବଜନ୍ତୁ ମୃତ୍ୟୁମୁଖରେ ପଡ଼ିଲେଣି। ଆଉ କିଛି ବି ଆକ୍ରାନ୍ତ ହୋଇଛନ୍ତି। କେତେବେଳେ ବି ସେମାନଙ୍କ ଜୀବନ ଚାଲିଯିବ କେହି କହିପାରିବେନି। ବିଶେଷକରି ଡମ୍ପିଂୟାର୍ଡ ଧୂଆଁର ପ୍ରଭାବ ଚିଡ଼ିଆଖାନା ଉପରେ ପଡ଼ୁଛି। ଯେଉଁଥିପାଇଁ ଗୋଟିଏ ପରେ ଗୋଟିଏ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କଲେଣି।

ନିକଟରେ ନନ୍ଦନକାନନରେ ହାତୀଙ୍କୁ ମାରୁଥିବା ହର୍ପିସ୍ ଭୂତାଣୁ ବି ଏହିଠାରୁ ଆସିଛନ୍ତି ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଗୁରୁତର ଅଭିଯୋଗ ଆଣିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଯୁକ୍ତି ବାଢ଼ିଛନ୍ତି ଯେ ସମ୍ପୂର୍ଣ୍ଣ ଭୁବନେଶ୍ବରର ଅଳିଆ ଦାରୁଠେଙ୍ଗ ନିକଟସ୍ଥ ଡମ୍ପିଂୟାର୍ଡରେ ପାହାଡ଼ ଭଳି ଗଦା ହୋଇଛି। ଯେଉଁଥିପାଇଁ ସେଠାକାର ପରିବେଶ ଦୂଷିତ ହୋଇପଡ଼ିଛି। ଏବେ ସ୍ଥିତି ପୂରା ଅଣାୟତ୍ତ ହୋଇଗଲାଣି। ଡମ୍ପିଂୟାର୍ଡରୁ ଜନ୍ମିତ ଭୂତାଣୁ ଦ୍ବାରା ନିକଟରେ ନନ୍ଦନକାନନରେ ୪ଟି ହାତୀ, ଗଣ୍ଡା, ନୀଳ ଗାଈ, ହରିଣ, ଧଳା ବାଘ, ଡେଲେରା ମୂଷା ଓ ଅନ୍ୟାନ୍ୟ ପଶୁପକ୍ଷୀ ମୃତ୍ୟୁବରଣ କଲେଣି। ନନ୍ଦନକାନନ କର୍ତ୍ତୃପକ୍ଷ ଏହି ପଶୁପକ୍ଷୀଙ୍କ ମୃତ୍ୟୁ ପାଇଁ ଡମ୍ପିଂୟାର୍ଡ ହିଁ ଦାୟୀ ବୋଲି ଜାଣିଥିଲେ ହେଁ ସରକାରଙ୍କ ଚାପରେ ମୁହଁ ଖୋଲୁନାହାନ୍ତି।

ଓଡ଼ିଶା ପରିବେଶ ସମିତିର ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ ଡମ୍ପିଂୟାର୍ଡର ପ୍ରଭାବ ପରିବେଶ ଉପରେ ପଡ଼ୁଛି। ଅଳିଆ ଓ ଆବର୍ଜନାକୁ ପୋଡ଼ାଯିବା କଥା ନୁହେଁ। ଏହାଦ୍ବାରା ପରିବେଶ ଅଧିକ ଭୟଙ୍କରଭାବେ ନଷ୍ଟ ହୋଇଥାଏ। ମଣିଷ ତ ଏମିତି ପ୍ରଭାବିତ ହେଉଛନ୍ତି। ଜୀବଜନ୍ତୁ ବି ମରୁଛନ୍ତି। ତେବେ ଡର୍ମ୍ପିଂୟାର୍ଡ ଅଳିଆ ଯୋଗୁଁ ନନ୍ଦନକାନନରେ ହାତୀ ମରୁଛନ୍ତି ବୋଲି କହିହେବନି। ହର୍ପିସ୍‌ ଭୂତାଣୁ ଆସାମ ଓ କେରଳରେ ହୋଇଥିଲା। ପ୍ରଥମ ଥର ପାଇଁ ଏଠାରେ ଭୂତାଣୁ ବ୍ୟାପିବାରୁ ନନ୍ଦନକାନନ କର୍ତୃପକ୍ଷ ହଠାତ୍‌ ଜାଣିପାରିଲେ ନାହିଁ। ଏହି ରୋଗର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ ମେଡିସିନ୍‌ ବାହାରିନି। ଭୂତାଣୁ ଶରୀର ଭିତରେ ପଶିବାର ୫ ଦିନ ମଧ୍ୟରେ ହାତୀ ମରିଯାଇଯାଏ। ଏଭଳି ଘଟଣାରେ ୮୦ ପ୍ରତିଶତ ହାତୀଙ୍କର ମୃତ୍ୟୁ ହୋଇଥାଏ। ଚିକିତ୍ସା କଲେ ବି ଏକ ତୃତୀୟାଂଶ ବଞ୍ଚିବାର ସମ୍ଭାବନା ରହୁଛି। ଏବେ ଯେଉଁ ୪ଟି ହାତୀ ବଞ୍ଚିରହିଛନ୍ତି ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବାର ଆବଶ୍ୟକତା ରହିଛି।

ଗ୍ରାମବାସୀଙ୍କ କହିବା କଥା ହେଉଛି ଯେ ଅଳିଆ ଯୋଗୁଁ ନିକଟରେ ଥିବା ଗାଁ ଲୋକଙ୍କୁ ଚର୍ମ ରୋଗ, ଆଖି ପୋଡ଼ିବା, ମୁହଁ କୁଣ୍ଡାଇ ହେବା ପରି ସମସ୍ୟା ସୃଷ୍ଟି ହେଉଛି। ବହୁ ଲୋକ କ୍ୟାନସରରେ ବି ଆକ୍ରାନ୍ତ ହେଉଛନ୍ତି। ଏହା ପ୍ରଭାବରେ ଭୂତଳ ଜଳ ବି ପ୍ରଦୂଷିତ ହୋଇଥିବାରୁ ମଣିଷ ବଞ୍ଚିପାରୁନି। ନନ୍ଦନକାନନ ଜୀବଜନ୍ତୁ କିଭଳି ବଞ୍ଚିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷେ ବିଏମ୍‌ସି କର୍ତ୍ତୃପକ୍ଷ ଭୁଆସୁଣୀରୁ ଡମ୍ପିଂୟାର୍ଡ ସ୍ଥାନାନ୍ତର ନେଇ କହିଛନ୍ତି ଯେ, ଆସନ୍ତା ଜାନୁଆରି/ଫେବ୍ରୁଆରିରୁ ଭୁଆସୁଣୀ ଡମ୍ପିଂୟାର୍ଡରେ ଆବର୍ଜନା ନପକାଇବାକୁ ଯୋଜନା କରିଛୁ। ରାଜଧାନୀରେ ୪୦ରୁ ଅଧିକ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମା‌ଣ ହେଉଥିବାରୁ ଏହା କାର୍ଯ୍ୟକ୍ଷମ ହେଲେ ଭୁଆସୁଣିକୁ ଆଉ ଆବର୍ଜନା ଯିବନି।

ସମ୍ବନ୍ଧିତ ଖବର