ଆନ୍ଦୋଳନରୁ ଓହରିଲେ ନର୍ସ

ଭୁବନେଶ୍ୱର : ଗତ ୧୦ ଦିନ ଧରି ଚାଲିଥିବା ଆନ୍ଦୋଳନ ଚଳାଇଥିବା ଠିକା ନର୍ସ ଆଜି ଆନ୍ଦୋଳନରୁ ଓହରି ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିରଞ୍ଜନ ସାହୁଙ୍କ ସହ ଆଲୋଚନା ପରେ ସଂଘ ଆନ୍ଦୋଳନରୁ ଓହରି ଯାଇଥିବା ସୂଚନା ଦେଇଛି। ନିକଟସ୍ଥ ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟ କରୁଥିବା ନର୍ସମାନେ ଆଜିଠାରୁ ଏବଂ ଦୂରରେ ଥିବା ନର୍ସମାନେ ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ଏନ୍‌ଏଚ୍‌ଏମ୍‌ ଠିକା ଷ୍ଟାଫ୍‌ ନର୍ସ କର୍ମଚାରୀ ସଂଘର ୩ ଜଣିଆ କର୍ମକର୍ତା ଆଜି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କ ସହିତ ଆଲୋଚନା କରିଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ରାଜଲକ୍ଷ୍ମୀ ପରିଡ଼ାଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ସଂଘର ୫ ଦଫା ଦାବି ଉପରେ ଆଲୋଚନା ହୋଇଥିଲା। ଆଜି ଆଉ ୨ଟି ଦାବି ଉପରେ ଆଲୋଚନା ହୋଇଥିଲା। ଏନ୍‌ଏଚ୍‌ଏମ୍‌ ଅଧୀନରେ କାର୍ଯ୍ୟ କରୁଥିବା ନର୍ସଙ୍କୁ ରାଜ୍ୟ ସରକାରଙ୍କ ଅଧୀନକୁ ଆଣିବା ପାଇଁ ଦାବି ହୋଇଥିଲା। ପ୍ୟାନେଲ ଅନୁଯାୟୀ ବରିଷ୍ଠ ନର୍ସମାନଙ୍କୁ ଏଥିରେ ଅଗ୍ରାଧିକାର ଦେବାକୁ କୁହାଯାଇଥିଲା। ସେହିପରି ପୂର୍ବରୁ ସରକାରଙ୍କ ପକ୍ଷରୁ ୩୪୦୦ ନର୍ସଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ପରବର୍ତୀ ସମୟରେ ଏହା ଏହାକୁ ସ୍ଥଗିତ ରଖାଯାଇଥିଲା। ତେଣୁ ଆଇସିଏମ୍‌ଆର ନିୟମ ଅନୁଯାୟୀ ୩ଜଣ ରୋଗୀଙ୍କ ପିଛା ଜଣେ ନର୍ସ ରହିବାର ନିୟମ ରହିଛି। ତେଣୁ ଏହି ଆଧାରରେ ରାଜ୍ୟ ସରକାର ନିଯୁକ୍ତି ଦେବାକୁ ସଂଘ ଦାବି ରଖିଥିଲା। ଏହି ଦାବି ଉପରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ସଂଘର ସଭାପତି ଗଙ୍ଗାଧର ପାଣିଗ୍ରାହୀ ଓ ଯୁଗ୍ମ ସଚିବ ଜୀବନକୃଷ୍ଣ ଜେନା ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୭ ଦଫା ଦାବି ନେଇ ଚଳିତମାସ ୧୮ତାରିଖରୁ ନର୍ସିଂ ସେବା ସଂଘ ଆହ୍ଵାନରେ ନର୍ସମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିସନ ଅଧୀନରେ କାର୍ଯ୍ୟ କରୁଥିବା ନର୍ସମାନେ ଏହି ଆନ୍ଦୋଳନରେ ସାମିଲ ହେବାରୁ ରାଜ୍ୟବ୍ୟାପୀ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ଗତ ୨୧ତାରିଖରେ ନର୍ସିଂ ସେବା ସଂଘ ସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇଥିଲା। ପରେ ସଂଘ ଆନ୍ଦୋଳନରୁ ଓହରି ଯାଇଥିବା ସୂଚନା ଦେବା ସହିତ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ସଂଘର କେତେକ ସଦସ୍ୟ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜିଦ୍‌ କରିଥିଲେ। ପରବର୍ତୀ ସମୟରେ ମଧ୍ୟ ଆନ୍ଦୋଳନ ଜାରି ରହିଥିଲା। ପରବର୍ତୀ ସମୟରେ ଏନ୍‌ଏଚ୍‌ଏମ୍‌ ଠିକା ଷ୍ଟାଫ୍‌ ନର୍ସ କର୍ମଚାରୀ ସଂଘ ଆନ୍ଦୋଳନ ଜାରି ରଖିବା ସହିତ ସରକାରଙ୍କ ସହିତ ଆଲୋଚନା କରିଥିଲା।

ସମ୍ବନ୍ଧିତ ଖବର