ସରକାରଙ୍କ ସହ ନର୍ସିଂ ସଂଘର ଆଲୋଚନା : ଦାବି ପୂରଣ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର : ଦି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଓ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ ମେହେର୍ଦାଙ୍କ ସହିତ ଆଜି ଆଲୋଚନା ହୋଇଛନ୍ତି। ସଂଘର ରହିଥିବା ବିଭିନ୍ନ ଦାବିର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ସଂଘ ପକ୍ଷରୁ ସୂଚନା ମିଳିଛି।

ସଂଘର ସାଧାରଣ ସଂପାଦିକା ପ୍ରଭାତୀ ମହାନ୍ତି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, କ୍ୟାଡର ରୁଲ, ପଦୋନ୍ନତି, ଡିପିସି, ଆରଏସିପି, ଦରମା, ଭତ୍ତା, ଷ୍ଟଡି ଲିଭ୍‌, ନର୍ସିଂ ଭତ୍ତା, ରିସର୍ଚ ଫେଲୋସିପ୍‌, ବିଏସ୍‌ସି ନର୍ସିଂ ଇନ୍‌କ୍ରିମେଣ୍ଟ ଓ ବିଭିନ୍ନ ପଦବି ପୂରଣ ଉପରେ ଆଲୋଚନା ହୋଇଥିଲା। ପରେ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ନର୍ସମାନଙ୍କ ଥିବା ବିଭିନ୍ନ ସମସ୍ୟାକୁ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ଶ୍ରୀମତୀ ମହାନ୍ତି କହିଛନ୍ତି। ଆଲୋଚନା ସମୟରେ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ସୁରଜିତ ଦାସ, ଡିଏମ୍‌ଇଟି, ପୀତାମ୍ବର ଶତପଥୀ ଓ ସଂଘ ପକ୍ଷରୁ ମାଳତି ତ୍ରିପାଠୀ, ଶିବାନୀ ଦାସ, ଝଞ୍ଜାମୟୀ ମହାପାତ୍ର, ସୁରମା ଦାସ, କଲ୍ୟାଣୀ ମହାରଣା ଓ ତିଳୋତ୍ତମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର