ସ୍ଥାୟୀ ନିଯୁକ୍ତି ଦାବି କଲେ ନର୍ସିଂ କର୍ମଚାରୀ, ଏମ୍‌କେସିଜି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ନିୟନ୍ତ୍ରଣ କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗର ପ୍ରତ୍ୟେକ କର୍ମଚାରୀ ଆଗଧାଡ଼ିର ଯୋଦ୍ଧା ଭାବେ କାମ କରିଛନ୍ତି। ଡାକ୍ତରଙ୍କ ସହିତ ନର୍ସିଂ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରିଛନ୍ତି। ରୋଗୀଙ୍କୁ ଆବଶ୍ୟକ ସେବା ଯୋଗାଇବା ପାଇଁ ଏମ୍‌କେସିଜି ମେଡିକାଲ ସହିତ ଜିଲ୍ଲାର ଅନ୍ୟ କୋଭିଡ୍‌ ହସ୍ପିଟାଲ୍‌ରେ ୨୩୨ଜଣ ନର୍ସିଂ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି କରାଯାଇଥିଲା। ଆସନ୍ତା ୩୧ତାରିଖରେ ଏହି କର୍ମଚାରୀଙ୍କ ଚୁକ୍ତି ସରିବ। ସେପଟେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ହସ୍ପିଟାଲ୍‌ରେ ଖାଲିଥିବା ପ୍ରାୟ ୬ହଜାର ନର୍ସିଂ ପଦବି ପୂରଣ ପାଇଁ ବିଜ୍ଞାପନ ପ୍ରକାଶ କରିଛନ୍ତି। ସେହି ପଦବିରେ ପ୍ରଥମେ କୋଭିଡ୍‌ ଯୋଦ୍ଧା ଭାବେ କାମ କରିଥିବା ନର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି।

ଏହି ଦାବି ପୂରଣ ନେଇ ବହୁ ନର୍ସିଂ ଛାତ୍ରଛାତ୍ରୀ ଆଜି ସଂଧ୍ୟାରେ ଏମ୍‌କେସିଜି ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଯେଉଁ ସମୟରେ ସରକାରଙ୍କ ଆବଶ୍ୟକ ଥିଲା ସେ ସମୟରେ ନର୍ସିଂ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରିଛନ୍ତି। ଏଣୁ ପ୍ରାଥମିକତା ଭିତ୍ତିରେ ପ୍ରଥମେ କୋଭିଡ୍‌ ହସ୍ପିଟାଲ୍‌ରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର