ପାନୀୟ ଜଳ ପ୍ରକଳ୍ପରେ ଓଡ଼ିଶାର ପାଣି ପାଇପ ମିସ୍ତ୍ରୀ ଓ ଠିକାଦାରଙ୍କୁ କାମ ମିଳୁ: ସୌମ୍ୟରଂଜନ

ଭୁବନେଶ୍ବର: ବିଧାନସଭାରେ ଉଠିଲା ରାଜ୍ୟ ବାହାର ଠିକାଦାରଙ୍କୁ ପାନୀୟ ଜଳ ପ୍ରକଳ୍ପ କାମ ଦେବା ପ୍ରସଙ୍ଗ। ବିଭିନ୍ନ ପ୍ରକଳ୍ପକୁ ମେଗା ପ୍ରକଳ୍ପର ନାଁ ଦେଇ ବାହାର କମ୍ପାନିକୁ କାମ ଦିଆଯାଉଛି। ଏଥିପାଇଁ ମଧ୍ୟ ମାପଦଣ୍ଡ ନିର୍ଦ୍ଧାରଣ କରାଯାଉଛି। ଯାହାଦ୍ୱାରା ସ୍ଥାନୀୟ ଠିକାଦାରମାନେ ସୁଯୋଗ ପାଉନାହାନ୍ତି। ଯଦିଓ ସାରା ବିଶ୍ୱରେ କେନ୍ଦ୍ରାପଡ଼ା ଜିଲ୍ଲାର ଓଡ଼ିଆ ପାଣି ପାଇପ ମିସ୍ତ୍ରୀ ଓ ଠିକାଦାର ଅଛନ୍ତି ସେମାନଙ୍କୁ ସୁଯୋଗ ମିଳୁନି, ଯାହାକୁ ନେଇ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି।
ସୌମ୍ୟରଂଜନ ପଟ୍ଟନାୟକ ପ୍ରଶ୍ନ ଉପରେ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଦେଇ କହିଛନ୍ତି, ୫୦କୋଟି ଟଙ୍କା ଉପରେ କାମ ହେଲେ ଇପିସି ମୋଡରେ କରାଯାଉଛି। ଯାହା ନିୟମ ଅଛି, ସେହି ଅନୁସାରେ କାମ କରୁଛୁ। କୌଣସି ବେଆଇନ କାମ କରାଯାଇନାହିଁ। ୫୦ କୋଟି ଭିତରେ ହେଲେ ଓଡ଼ିଶାର ଠିକାଦାରମାନେ କାମ କରୁଛନ୍ତି।
ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତରରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ମୁଁ ମନ୍ତ୍ରୀଙ୍କ ଉତ୍ତରକୁ ଶତ ପ୍ରତିଶତ ଗ୍ରହଣ କରି ପାରୁନାହିଁ। ଯଦି ମେଗା ପ୍ରକଳ୍ପ ମାଧମରେ ୪ଟି ପର୍ଯ୍ୟାୟରେ ଘରକୁ ଜଳ ଯୋଗାଣର କଥା ମନ୍ତ୍ରୀ କହୁଛନ୍ତି, ତେବେ ଏଥିରୁ କାହିଁକି ବି ଗୋଟିଏ ପର୍ଯ୍ୟାୟର କାମରେ ଓଡ଼ିଆ ଲୋକ କାମ ପାଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

 

ସମ୍ବନ୍ଧିତ ଖବର