ସରକାରୀ ବାବୁଙ୍କୁ ଓଡ଼ିଆ ବ୍ୟବହାର ପ୍ରଶିକ୍ଷଣ ପ୍ରମାଣପତ୍ର

ଭୁବନେଶ୍ବର : ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟରେ ଉଚିତ୍‌ ବ୍ୟବହାର ପାଇଁ ସରକାରୀ ବାବୁମାନଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ଶେଷ ହୋଇଛି। ଆଜି ଶେଷ ଦିନରେ ୧୫ଟି ବିଭାଗରୁ ଅଂଶଗ୍ରହଣ କରିଥିବା ୪୦ ଜଣ ସରକାରୀ କର୍ତୃପକ୍ଷଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମାଣପତ୍ର ପ୍ରଦାନ ସହ ଏହି ପ୍ରଶିକ୍ଷଣ ସରକାରୀ ନଥିପତ୍ର ଓଡ଼ିଆରେ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କହିଥିଲେ।

‘ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବ୍ୟବହାର’ ସଂକ୍ରାନ୍ତରେ ହୋଇଥିବା ଏହି ପ୍ରଶିକ୍ଷଣ ୫ଦିନ ଧରି ଚାଲିଥିଲା। ଧୂରୀଣ ସାରସ୍ବତ ସ୍ରଷ୍ଟା ତାଲିମ୍‌ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ହିମାଂଶୁ ଭୂଷଣ ପଣ୍ଡା, ଭାଷାବିତ୍‌ ଡ .କୈଳାସ ଚନ୍ଦ୍ର ଟିକାୟତରାୟ ବକ୍ତବ୍ୟ ରଖିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ନିର୍ଦେଶିକା ଡ. ତମସାରାଣୀ ଦାସମହାପାତ୍ର ପ୍ରାରମ୍ଭିକ ସୂଚନା ସହ ଏହିପରି ପ୍ରଶିକ୍ଷଣ ଜିଲ୍ଲାସ୍ତରରେ ମଧ୍ୟ ଦିଆଯିବ ବୋଲି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ସାମିଲ୍‌ ଥିବା ସୁରେନ୍ଦ୍ର କୁମାର ଦାଶ, ଡ. ହରପ୍ରସାଦ ମିଶ୍ର, ଡ. ସୀତାଂଶୁ କୁମାର ଦାଶ ଓ ବୈଷ୍ଣବ ଚରଣ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର