ଓଡ଼ିଆ ପୁଅ ସୁଶାନ୍ତଙ୍କ ବଡ଼ ସଫଳତା, ସୌର ଶକ୍ତିକୁ ବିଜୁଳି ଶକ୍ତିରେ ରୂପାନ୍ତରିତ କରି ତିଆରିଲେ ମୋବାଇଲ୍‌ ଚାର୍ଜର

ଭୁବନେଶ୍ଵର: ଦୀର୍ଘସମୟ ମୋବାଇଲ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଆଲୋକବର୍ତ୍ତିକା ସଦୃଶ ଇଲେକ୍ଟ୍ରନିକ ଗ୍ୟାଜେଟ୍‌ ସୃଷ୍ଟି କରିଛନ୍ତି ଓଡ଼ିଆ ଟେକ୍ନୋକ୍ରାଟ୍‌ ସୁଶାନ୍ତ ପଟ୍ଟନାୟକ। ଏହି ନୂଆ ଇଲେକ୍ଟ୍ରନିକ୍‌ ଗାଜେଟ୍‌ ପାଇଁ ବିଜୁଳି ଶକ୍ତିର ଆବଶ୍ୟକତା ନାହିଁ। ସୌର ଶକ୍ତିକୁ ବିଜୁଳିଶକ୍ତିରେ ରୂପାନ୍ତରିତ କରି ଏହା ମୋବାଇଲ୍‌କୁ ଚାର୍ଜ କରିବାରେ ସକ୍ଷମ ହେଉଛି। ଖାଲି ସେତିକି ନୁହେଁ, ଏହା କୌଣସି ସ୍ଵତନ୍ତ୍ର ଡିଭାଇସ୍‌ ହେବ ନାହିଁ ବରଂ ମୋବାଇଲ୍‌ ସୁରକ୍ଷା ପାଇଁ ବ୍ୟବହାର କରାଯାଉଥିବା କଭର ବା ଖୋଳରେ ହିଁ ଏହି ଟେକ୍ନୋଲୋଜିକୁ ଉପଯୋଗ କରାଯିବ। ଫଳରେ ବିନା କୌଣସି ଦ୍ଵିଧାରେ ମୋବାଇଲ୍‌ ଧାରକ ଏହି ସୌର ଚାର୍ଜରକୁ ମୋବାଇଲ୍‌ ସହ ଧରି ବୁଲିପାରିବେ।

ସୌର ଶକ୍ତିକୁ ପକେଟରେ ଧରି ତାହାକୁ ମୋବାଇଲ୍‌ ବ୍ୟାଟେରି ଚାର୍ଜ କରିବାର କଳ୍ପନା ତାଙ୍କୁ ସେତିକି ବେଳେ ଆନ୍ଦୋଳିତ କରିଥିଲା ଯେତେବେଳେ ସେ ଏମିତି କିଛି ସମସ୍ୟାକୁ ସମ୍ମୁଖୀନ ହୋଇଥିଲେ। ସେ କହନ୍ତି ‘ ମୁଁ ନିଜେ ସେହି ପରିସ୍ଥିତିକୁ ଅନୁଭବ କରିଛି। ଆଉ ଏହାର ସମାଧାନ କରିବା ପାଇଁ ଟେକ୍ନୋଲୋଜିକୁ ବ୍ୟବହାର କରି ଏକ ସ୍ଵତନ୍ତ୍ର ଗ୍ୟାଜେଟ୍‌ ପ୍ରସ୍ତୁତ କରିଛି। ଏହାର ନାଁ ସୋଲ୍‌-କା। ଆପଣଙ୍କ ପାୱାର ବ୍ୟାଙ୍କ୍‌ଠୁ ଏହା ଶସ୍ତା ଓ ପ୍ରଭାବଶାଳୀ ହେବ।

ପୁଣି ଏହି ସୋଲାର ଚାର୍ଜର କୌଣସି ସ୍ଵତନ୍ତ୍ର ଇଲେକ୍ଟ୍ରନିକ ଗ୍ୟାଜେଟ୍‌ ନୁହେଁ। ଏହା ଆପଣଙ୍କ ମୋବାଇଲ୍‌କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଖୋଳ ( କଭର)ର ଆଉ ଏକ ବ୍ୟବହାର। ଅର୍ଥାତ୍‌ ଏହା ଏକ ସ୍ଵତନ୍ତ୍ର ମୋବାଇଲ୍‌ ଖୋଳ ଯାହା ମୋବାଇଲ୍‌କୁ ସୁରକ୍ଷା ଦେବା ସହ ବ୍ୟାଟେରିକୁ ରିଜାର୍ଜ ବି କରିବ। ଯେତେବେଳେ ବି ସୌର ଶକ୍ତି ବା ଦିବାଲୋକ ପାଇବ ସେତେବେଳେ ଏହି ଚାର୍ଜର ଆକ୍ଟିଭ୍‌ ହୋଇ ବ୍ୟାଟେରିକୁ ବିଜୁଳି ଶକ୍ତି ଯୋଗାଇବ।

ବଜାରରେ ଏହା ମାର୍ଚ ମାସରେ ପହଞ୍ଚିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଗ୍ରାହକଙ୍କ ଲାଗି ଏହା ୧୫୦୦ରୁ ୨ହଜାର ଟଙ୍କା ରହିବ। କିନ୍ତୁ ପରବର୍ତ୍ତୀର ସମୟରେ ଏହା କମ୍‌ ହୋଇପାରେ।

ସମ୍ବନ୍ଧିତ ଖବର