ନିଜର ପକ୍ଷ ରଖିବାକୁ ଟିକଟକ ଓ ଅନ୍ୟ ଚାଇନିଜ ଆପ କମ୍ପାନିଙ୍କୁ ଡକାଇଲେ ସରକାର

ନୂଆଦିଲ୍ଲୀ : ଗତକାଲି ଟିକଟକ, ସେୟାରିଟ, ୟୁସି ବ୍ରାଉଜର ପରି ୫୯ଟି ଚାଇନିଜ୍‌ ଆପକୁ ନିଷିଦ୍ଧ କରିବା ପରେ ଏହି କମ୍ପାନିମାନଙ୍କୁ ନିଜ ନିଜର ପକ୍ଷ ରଖିବାକୁ ସରକାର ୪୮ ଘଣ୍ଟା ପ୍ରଦାନ କରିବେ । ଏହି ସମୟ ମଧ୍ୟରେ ସେମାନେ ନିଜର ତଥ୍ୟ ସୁରକ୍ଷା ବ୍ୟବସ୍ଥା ଓ ସ୍ୱଚ୍ଚତା ସମ୍ପର୍କରେ ସରକାରଙ୍କୁ ଜଣାଇବେ । ସେମାନଙ୍କ ସ୍ପଷ୍ଟୀକରଣ ଓ ଉତ୍ତରରେ ସନ୍ତୁଷ୍ଟ ହେଲେ ସରକାର ସେମାନଙ୍କ ଉପରୁ ନିଷେଧାଜ୍ଞା ଉଠାଇବାର ସମ୍ଭାବନା ରହିଛି ।
ଏହି ଚୀନ ଆପଗୁଡ଼ିକର ପକ୍ଷ ଶୁଣିବାକୁ ସରକାର ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି । ଏଥିରେ ଆୟକର ବିଭାଗ, ରାଜସ୍ୱ ଗୁଇନ୍ଦା ବିଭାଗ, ଗୃହ ମନ୍ତ୍ରାଳୟ, ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ, ଆଇନ ମନ୍ତ୍ରାଳୟ, ଭାରତର କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ (ସିଇଆରଟି)ର ବୈଷୟିକ ବିଶେଷଜ୍ଞମାନେ ରହିବେ ।

ସରକାରଙ୍କ ପକ୍ଷରୁ ଡକରା ଆସିଥିବା କଥା ଟିକଟକ ମଧ୍ୟ ସ୍ୱୀକାର କରିଛି । ଟିକଟକ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ନିଜର ପକ୍ଷ ରଖିବାକୁ ଓ ଆବଶ୍ୟକ ସ୍ପଷ୍ଟୀକରଣ ଦେବାକୁ ସରକାରଙ୍କ ପକ୍ଷରୁ ଡକାଯାଇଛି । କମ୍ପାନି ନିଜ ୟୁଜରଙ୍କ ତଥ୍ୟ ଚୀନ କିମ୍ବା ଅନ୍ୟ କୌଣସି ବିଦେଶୀ ସରକାରଙ୍କୁ ପ୍ରଦାନ କରିନାହିଁ । ସରକାର ଅନୁମତି ଦେଲେ ଆଗକୁ ମଧ୍ୟ ଏହା ବଜାୟ ରଖାଯିବ । ଗତ କାଲି ସରକାର ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରିଥିଲେ ।

ସମ୍ବନ୍ଧିତ ଖବର