ଓଡ଼ିଶା-ଆନ୍ଧ୍ର ଅଫିସର ଆଲୋଚନା : ପୁଣି ଝୁଲିଲା ସୀମା ବିବାଦ

ସୀମାରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ପ୍ରଶାସନର ଅପିଲ

ପଟାଙ୍ଗି/କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ତହସିଲ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୁନାବେଡ଼ାରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଚାଲିଥିବା ବିବାଦର ସମାଧାନ ଆଜି ବି ହୋଇ ପାରିନି। ଆଜି ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ମିଳିତ ବୈଠକ କରିବା ସହ ବିବାଦୀୟ ଜାଗାର ଅନୁଧ୍ୟାନ କରିଛନ୍ତି। ପୁରୁଣା ନକ୍ସା ଓ ପୋତା ହୋଇଥିବା ପଥର ଦେଖିଛନ୍ତି। କିନ୍ତୁ ବିବାଦର ସମାଧାନ ନେଇ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯାଇ ପାରିନି। ଏପଟେ ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ସୀମାନ୍ତ ଗ୍ରାମବାସୀ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାର ରଖିବା ପାଇଁ ଅନୁରୋଧ କରିଛନ୍ତି ଦୁଇ ରାଜ୍ୟର ଅଧିକାରୀ।

ପାଖାପାଖି ମାସେ ହେଲା କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍‌ର ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଗାଁ ନିକଟରେ ସୀମା ଚିହ୍ନଟ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଛି। ଏହା ଧୀରେ ଧୀରେ ଜଟିଳ ହେଉଥିଲା ବେଳେ ଏହାର ସମାଧାନ ପାଇଁ ଆଜି ପ୍ରଶାସନିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଓଡ଼ିଶା ପକ୍ଷରୁ କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର, ଏସ୍‌ପି ମୁକେଶ କୁମାର ଭାମୋ, ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ, ଉପଜିଲ୍ଲାପାଳ ଲଳିତ କୁମାର କଅଁର, ସହକାରୀ ଜିଲ୍ଲାପାଳ ଅର୍ଚ୍ଚନା ଦାସ, ସୁନାବେଡ଼ା ଏସ୍‌ଡିପିଓ ନିରଂଜନ ବେହେରାଙ୍କ ଆଜି ବିବାଦୀୟ ସ୍ଥାନରେ ପହଞ୍ଚିଥିଲେ। ଏପଟେ ଆନ୍ଧ୍ର ପକ୍ଷରୁ ପାଡ଼େରୁ ଆରଡିଓ ଶିବା ଜ୍ୟୋତି, ଡୁମୁରିଗୁଡ଼ା ମଣ୍ଡଳର ତାହସିଲଦାର ଜୟ ପ୍ରକାଶ, ଡିଏଫ୍‌ଓ ବିନୋଦ କୁମାର, ଫରେଷ୍ଟ ରେଂଜ ଅଫିସର ଚନ୍ଦ୍ର ଶେଖର, ଜିଲ୍ଲା ସର୍ଭେ ଅଫିସର ବିଜୟ କୁମାର ରେଡି, ପାଡ଼େରୁ ସିଆଇ ପାଇଡ଼ାୟା ପ୍ରମୁଖ ଆସିଥିଲେ। ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ପ୍ରଥମେ ସୀମାନ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଉଭୟ ପ୍ରଶାସନ ପାଖରେ ରହିଥିବା ନଥିପତ୍ର ଉପରେ ଆଲୋଚନା କରାଯାଇଥିଲା।

ନଥିପତ୍ର ଅନୁଯାୟୀ ପ୍ରଥମେ ଓଡ଼ିଶା ପକ୍ଷରୁ ସର୍ଭେ ରେକର୍ଡ ଦାଖଲ କରି ସୀମା ସଂପର୍କରେ ଆଲୋଚନା କରିଥିଲେ। କିନ୍ତୁ ଏହାକୁ ଦେଖି ଆନ୍ଧ୍ର ପକ୍ଷରୁ ଅନ୍ୟ ଏକ ନକ୍ସା ଦେଖାଯାଇଥିଲା। ଏଥିରେ ସୁନାବେଡ଼ା ଗ୍ରାମର ଠିକଣା ନଥିଲା। ଏଥିପାଇଁ ଓଡ଼ିଶା ପକ୍ଷରୁ ସର୍ଭେ ଅଫ ଇଣ୍ଡିଆ ମ୍ୟାଫ ଅନୁଯାଇ ପୂର୍ବରୁ ରହିଥିବା ପାହାଡ଼ ଉପରେ ଚିହ୍ନଟ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଉଭୟ ପକ୍ଷ ନିଷ୍ପତ୍ତି ନେଇଥିଲେ। ଏହାପରେ ପ୍ରଶାସନିକ ଅଧିକାରୀ ପାହାଡ଼ ଚଢ଼ି ସ୍ଥିତି ଅନୁଧ୍ୟାନ ନିମନ୍ତେ ପହଞ୍ଚିଥିଲେ। ସେଠାରେ ପ୍ରଥମେ ଗୋଟିଏ ସୀମା ନିର୍ଦ୍ଧାରଣକାରୀ ପଥର ପାଇଥିଲେ। ପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ୧୯୬୩ ସେଟେଲମେଣ୍ଟ ଅନୁଯାୟୀ ସୀମା ନିର୍ଦ୍ଧାରଣ କରାଯିବ।

ସେହିପରି ଆଜି ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ସରକାରୀ ରେକର୍ଡ ଅନୁସାରେ ସର୍ଭେ କରାଯିବ। ଏହା ଶେଷ ହେବା ପର୍ଯ୍ୟନ୍ତ ଉଭୟ ରାଜ୍ୟର ସୀମାନ୍ତବାସୀ କୌଣସି ଅପ୍ରୀତିକର ପରିସ୍ଥିତି ନ ସୃଷ୍ଟି କରିବା ସହ ନିଜ ଭିତରେ ଶାନ୍ତି ବଜାୟ ରଖିବେ। ଆଗରୁ ଯେପରି ମିଳି ମିଶି ଚଳୁଥିଲେ ସେହିପରି ନିଜ ନିଜ ଭିତରେ ଭାତୃଭାବ ବଜାୟ ରଖିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିନେଇ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ବୁଝାସୁଝା କରିଥିଲେ। ଆଜି ଏହି ଆଲୋଚନାରେ ଆନ୍ଧ୍ର ପକ୍ଷରୁ ଛୋଟ ଛୁଆଠାରୁ ଆରମ୍ଭ କରି ୮୦ବର୍ଷର ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ସମ୍ବାଇର ଲୋକମାନେ ମଧ୍ୟ ଆଲୋଚନାସ୍ଥଳରେ ଉପସ୍ଥିତ ଥିଲେ। ପଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ, ପଟାଙ୍ଗି ଥାନା ଅଧିକାରୀ ବିଜୟରାଜ ମାଝୀ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ଜିଲ୍ଲା ପରିଷଦ ସଭ୍ୟ ଲଇଛନ ଖରାଙ୍କ ସମେତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର