ଶେଷ ଅଧିବେଶନ ଶେଷ

ଭୁବନେଶ୍ବର : ପଞ୍ଚଦଶ ବିଧାନସଭାର ପଞ୍ଚଦଶ ତଥା‌ ଶେଷ ଅଧିବେଶନର ଆଜି ସନ୍ଧ୍ୟାରେ ଯବନିକା ପଡ଼ିଛି। ଦିନତମାମ ହଟ୍ଟଗୋଳ, ପରସ୍ପର ବିରୋଧରେ ନାରାବାଜି, ଆଲୋଚନା ବେଳେ ପରସ୍ପରକୁ ଆକ୍ଷେପ ଦିନତମାମ ଚାଲିଲା। କିନ୍ତୁ ଅଧିବେଶନ ଶେଷ ହେବାକୁ କିଛି ସମୟ ଥିଲା ବେଳେ ଗୃହର ପରିବେଶ ବଦଳିଯାଇଥିଲା। ସରଗରମ ପରିସ୍ଥିତି ବଦଳି ଭାବବିହ୍ବଳ ପରିବେଶ ସୃଷ୍ଟି ହେଲା। ସମସ୍ତେ ପରସ୍ପରକୁ ଧନ୍ୟବାଦ ଜଣାଇ ଅଧିବେଶନକୁ ଶେଷ କରିଥିଲେ। ଆଉ ‌ତାହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ଗହଣରେ ସଦସ୍ୟମାନେ ବେଶ୍ ଉତ୍ସାହର ମିଳିତ ଭାବେ ଫଟୋ ଉଠାଇଥିଲେ।

ଶେଷ ଦିବସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରଦୀପ କୁମାର ଅମାତ୍‌, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ରବି ନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଧନ୍ୟବାଦ ଦିଆନିଆ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହର ବିଭିନ୍ନ ବିତର୍କରେ ଭାଗ ନେଇ ଆଲୋଚନାକୁ ରୁଦ୍ଧିମନ୍ତ କରିଥିବା ପ୍ରକାଶ କରିଥିଲେ। ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ବାଚସ୍ପତିଙ୍କ ନିରପେକ୍ଷ ଭୂମିକା ଓ ମୁଖ୍ୟମନ୍ତ୍ରୀଙ୍କ ଗୃହ ପରିଚାଳନାକୁ ପ୍ରଶଂସା କରିଥିଲେ। ସେହିପରି ବିଜେପି ନେତା ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ପରମ୍ପରା ଦୃଷ୍ଟିରୁ ସେ ଓ ବିରୋଧୀ ସଦସ୍ୟମାନେ ବିରୋଧୀ ଭୂମିକା ନିର୍ବାହ କରିଥିବା କହିଥିଲେ। ଶେଷରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ପରେ ବିଧାନସଭାର ପଞ୍ଚଦଶ ଅଧିବେଶନର ଯବନିକା ପଡ଼ିଥିଲା।

ଏହି ଅଧିବେଶନରେ ୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାନସଭାର ୯ଜଣ ପୂର୍ବତନ ମନ୍ତ୍ରୀ ଓ ସଦସ୍ୟ ଏବଂ ଜଣେ ପୂର୍ବତନ ଭାରତୀୟ ସେନାର ଜଣେ ଜବାନଙ୍କ ପରଲୋକ ନେଇ ଶୋକ ବ୍ୟକ୍ତ କରାଯାଇଥିଲା। ଗୃହରେ ୨୬୦ଟି ତାରକା ପ୍ରଶ୍ନ ଓ ୪୦୭ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିବା ବେଳେ ୩ଟି ତାରକା ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। ୪୩୭ଟି ଅଣତାରକା ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ସେହିପରି ୧୫ଟି ପେପର୍‌, ୧୪ଟି ବାର୍ଷିକ ରିପୋର୍ଟ ଓ ୮ଟି କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଗୃହରେ ଗୋଟିଏ ସରକାରୀ ବିଲ୍‌ ଉପସ୍ଥାପନ ହୋଇଥିଲା। ଗୋଟିଏ ସରକାରୀ ବିଲ୍‌ ପାରିତ ହୋଇଥିଲା। ଏହି ଅଧିବେଶନରେ ଗୋଟିଏ ବିବୃତି ଉପସ୍ଥାପିତ ହୋଇଥିବା ବିଧାନସଭା ସଚିବାଳୟ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର