ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି: ଆଜି ଓଡ଼ିଶା ବନ୍ଦ

ବନ୍ଦକୁ ଶାନ୍ତିପୂର୍ଣ୍ଣ କରାଯିବ: ନିରଞ୍ଜନ

ଭୁବନେଶ୍ୱର : ଆଜି ରାଜ୍ୟ କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ। ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳିତ ହେବ। ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ସହିତ ଜରୁରୀକାଳୀନ ସେବାରେ ନିଯୁକ୍ତ ବ୍ୟକ୍ତିବିଶେଷ, ମୋଟରଯାନ ଓ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଯିବାର ସୁଯୋଗ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତାରେ କହିଛନ୍ତି ଯେ ରାଜ୍ୟରେ ମା’ ଓ ଭଉଣୀଙ୍କ ଉପରେ ହେଉଥିବା ନିର୍ଯାତନାର ପ୍ରତିବାଦରେ କଂଗ୍ରେସ ଦଳ ବନ୍ଦ ଡାକରା ଦେଇଛି। ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି। ମାତ୍ର ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ହାଇକୋର୍ଟ ଗୁରୁବାର ଏକ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇ କଂଗ୍ରେସ ପକ୍ଷରୁ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବ। ଯଦି କେହି ଜୋର ଜବରଦସ୍ତ ବନ୍ଦ ପାଳନ କରନ୍ତି ତାହାଲେ କଂ‌ଗ୍ରେସ ଦଳ ଏଥିରେ ଭାଗୀଦାର ନୁହେଁ। ତେବେ ରାଜ୍ୟବାସୀ ଏହି ବନ୍ଦରେ ସାମିଲ ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ କରିଛନ୍ତି।

ଅପରପକ୍ଷରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଦେଶ କଂଗ୍ରେସ ଉପ-ସଭାପତି ଦେବାଶିଷ ପଟ୍ଟନାୟକ ଓ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ମା’କୁ ସମ୍ମାନ ଦେବା ନାଁରେ ସରକାରକୁ ଆସିଥିବା ବିଜେଡି ରାଜ୍ୟର ଅଗଣିତ ମା’ ଭଉଣୀମାନଙ୍କୁ ଉପହାସ କରି ଚାଲିଛି। ବିଗତ ୨୨ବର୍ଷ ଭିତରେ ବେବିନା, ଇତିଶ୍ରୀ, ମାଧବୀଲତା ଓ ମମିତାଙ୍କ ଭଳି ବହୁ ଦୁଷ୍କର୍ମ ଓ ହତ୍ୟାରେ ବିଜେଡି ଦଳର ନେତା, ମନ୍ତ୍ରୀ ଜଡ଼ିତ ଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ରଙ୍କ ଭଳି ସେମାନଙ୍କୁ ସମର୍ଥନ ଦେଉଛନ୍ତି। ମମିତା ଘଟଣା ଗତ ୨୨ବର୍ଷର ସବୁ ଘଟଣାକୁ ଟପିଯାଇଛି। ଏହି ହତ୍ୟା ମାମଲାରେ ଗୃହ ରାଜ୍ୟ ମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ଉଠୁଥିବା ବେଳେ ମୁଖ୍ୟମନ୍ତ୍ରୀ ଦୁଇଦିନ ତଳେ ତାଙ୍କୁ ସଭାମଞ୍ଚରେ ବସାଇବା ଅତ୍ୟନ୍ତ ଲଜ୍ଜାଜନକ।

ମନ୍ତ୍ରୀଙ୍କୁ ବହିଷ୍କାର କରିବା ଲାଗି ରାଜ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରିବା ତ ଦୂରର କଥା ବରଂ ମନ୍ତ୍ରୀଙ୍କୁ ତାଳିମାରି ଉତ୍ସାହିତ କରିବାକୁ ପଛାଇ ନାହାନ୍ତି। ତେଣୁ ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସଫଳ କରିବା ଲାଗି ରାଜ୍ୟବାସୀ ଓ ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ସମର୍ଥନ ଦେବା ଲାଗି କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି। ସାଧାରଣ, ମଧ୍ୟବିତ୍ତ ପରିବାର ଓ ଛୋଟ ବ୍ୟବସାୟୀଙ୍କ ହିତ ଦୃଷ୍ଟିରୁ ବନ୍ଦକୁ ୬ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ହୋଇଛି। ବନ୍ଦ ସମୟରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ। ବସ୍, ଟ୍ରକ ମାଲିକ ସଂଘ, ଅଟୋ ଚାଳକ ସଂଘ ଓ ବ୍ୟବସାୟୀ ସଂଘକୁ ଏହି ବନ୍ଦରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି।

ସକାଳେ ସାଢ଼େ ୯ଟା ସୁଦ୍ଧା ପହଞ୍ଚିବେ କର୍ମଚାରୀ
ରାଜ୍ୟ କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ନଜରରେ ରଖି ଲୋକସେବା ଭବନ, ଖାରବେଳ ଭବନରେ କଡ଼ାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। କଡ଼ା ସୁରକ୍ଷା ପାଇଁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ନିର୍ଦେଶ ଦେଇଛନ୍ତି। ଏହାସହ ଲୋକସେବା ଭବନ, ରାଜୀବ ଭବନ ଓ ଅନ୍ୟ ବିଭାଗୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା କାର୍ଯ୍ୟାଳୟ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଛି। କର୍ମଚାରୀଙ୍କ ପରିଚୟ ପତ୍ର ଓ ପାସ୍ ଚେକିଂକୁ କଡ଼ାକଡ଼ି କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର