ନୂଆ ସଭାପତି ପାଇଁ ବିଜେପିରେ କସରତ: ନୂଆ ନେତୃତ୍ବ ଧରିବେ ମଙ୍ଗ, ଦିଲ୍ଲୀ ଯାଏ ଚାଲିଛି ଲବି

ଜିଲ୍ଲା ସଭାପତି ନିର୍ବାଚନ ଶେଷ

ଭୁବନେଶ୍ବର: ବିଜେପିର ସାଂଗଠନିକ ନିର୍ବାଚନ ଏବେ ରାଜ୍ୟ ରାଜନୀତିରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ତିନି ଦିନ ଧରି ଜିଲ୍ଲା ସଭାପତି ଚୟନ ପାଇଁ ଚାଲିଥିବା କସରତ ଆଜି ଶେଷ ହୋଇଛି। ଯେ କୌଣସି ମୁହୂର୍ତ୍ତରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇପାରେ। ଏବେ ସମସ୍ତଙ୍କ ନଜର ରାଜ୍ୟ ସଭାପତି ଚୟନ ଉପରେ। ସଭାପତି ଦୌଡ଼ରେ ଥିବା ନେତାଙ୍କ ପାଇଁ ବିଭିନ୍ନ ବାଟରେ ଲବି ଜୋର୍‌ଦାର୍ ଚାଲିଛି। କିନ୍ତୁ ବିଜେପିର ସଭାପତି ଚୟନ ଏକାଧିକ ମାପକାଠି ଉପରେ ନିର୍ଭର କରୁଥିବାରୁ କୌଣସି ଗୋଷ୍ଠୀ ନିଶ୍ଚିତ ହୋଇ ପାରୁ ନାହାନ୍ତି।

ରାଜ୍ୟରେ ବିଜେପି ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଉଭା ହୋଇଥିବାରୁ ଏହାର ରାଜ୍ୟ ସଭାପତି ପଦବି ଉପ‌େର ସମସ୍ତଙ୍କ ନଜର ରହିଛି। ଏହା ପୂର୍ବରୁ ସାଂଗଠନିକ ନିର୍ବାଚନର ପ୍ରଥମ ପର୍ବ ଭାବେ ମଣ୍ଡଳ ସଭାପତିଙ୍କୁ ନିର୍ବାଚିତ କରାଯାଇଥିଲା। ଦଳର ବରିଷ୍ଠ ନେତାମାନେ ବେଶ୍‌ ସତର୍କତାର ସହ ବିଭିନ୍ନ ପର୍ଯ୍ୟାୟରେ ତୃଣମୂଳ ସ୍ତରର ନେତାଙ୍କ ସହ ଆଲୋଚନା କରି ମଣ୍ଡଳ ସଭାପତି ଚୟନ କରିଥିଲେ। କାଁ ଭାଁ କିଛି ଜାଗାକୁ ବାଦ୍ ଦେଲେ ସବୁଠି ଏହି ପ୍ରକ୍ରିୟା ଆପୋସ ଆଲୋଚନା ମାଧ୍ୟମରେ ହୋଇଥିଲା। ଏହା ପରେ ଗତ ୧୪ ତାରିଖ ଠାରୁ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦଳର ବରିଷ୍ଠ ନେତାମାନେ ଜିଲ୍ଲାର ଛାମୁଆ ନେତାମାନଙ୍କ ସହ ତୁହାକୁ ତୁହା ଆଲୋଚନା କରି ସଭାପତି ମନୋନୟନ ନେଇ ନିଷ୍କର୍ସରେ ପହଞ୍ଚିଛନ୍ତି। ଜିଲ୍ଲା ସଭାପତି ତାଲିକା ଏକପ୍ରକାର ଚୂଡ଼ାନ୍ତ ହୋଇଯାଇଛି। ଦିନେ ଦୁଇ ଦିନ ଭିତରେ ତାଲିକା ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ହେବ ବୋଲି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଦୁଇ ଦିନ ତଳେ ସୂଚନା ଦେଇଥିଲେ। ଏହା ପରେ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଅଧିକ ଚଳଚଞ୍ଚଳ ହୋଇଯାଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ବିଜେପି ନେତାମାନଙ୍କର ଗୁପ୍ତ ବୈଠକ ବସି ଏ ସମ୍ପର୍କରେ ଆଲୋଚନା ଚାଲିଛି। ସଭାପତି ଦୌଡ଼ରେ ଥିବା ନେତାମାନଙ୍କ ପାଇଁ ବିଭିନ୍ନ ବାଟରେ ଲବି ଚାଲିଛି। ବିଜେପି ସଭାପତି ଚୟନରେ ଆ‌ର୍‌ଏସ୍‌ଏସ୍‌ର ଏକ ପ୍ରମୁଖ ଭୂମିକା ରହିଥିବାରୁ ସେଠାରେ ମଧ୍ୟ ଏ ନେଇ ଅଙ୍କକଷା ଚାଲିଛି।

ବର୍ତ୍ତମାନ ସଭାପତି ଚୟନ ଚର୍ଚ୍ଚାରେ ‘ପଶ୍ଚିମ ଓଡ଼ିଶା ବନାମ ଉପକୂଳ ଓଡ଼ିଶା’ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ବିଜେପିର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମ ଓଡ଼ିଶାକୁ ଏଥର ସଭାପତି ପଦ ମିଳିବାର ସମ୍ଭାବନା କମ୍। କାରଣ ଗତ କିଛି ବର୍ଷ ଧରି ଲଗାତର ଭାବେ ପଶ୍ଚିମ ଓଡ଼ିଶାର ନେତାଙ୍କୁ ସଭାପତି ଦାୟିତ୍ବ ଦିଆଯାଇଛି। ଏଥର ବିରୋଧୀ ଦଳ ନେତା ପଦବି ବି ପଶ୍ଚିମ ଓଡ଼ିଶାକୁ ଯାଇଛି। ଉପକୂଳ ଓଡ଼ିଶାରେ ବିଜେପି କମ୍ ଆସନ ପାଇଥିଲେ ବି ଭୋଟ୍‌ ହାର ପୂର୍ବାପେକ୍ଷା ଯଥେଷ୍ଟ ବଢ଼ିଛି। ତେଣୁ ଉପକୂଳ ଓଡ଼ିଶାରେ ଜଣେ ନିର୍ବିବାଦୀୟ ନେତାଙ୍କୁ ସଭାପତି କରି ଦଳ ଏଠାରେ ସାଂଗଠନିକ ସ୍ଥିତି ମଜବୁତ୍ କରିବାକୁ ଆଶା ରଖିଛି।

ଏହା ସତ୍ତ୍ବେ ପଶ୍ଚିମ ଓଡ଼ିଶାର ତିନି ଜଣ ପ୍ରମୁଖ ନେତା ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ ସଭାପତି ଦୌଡ଼ରେ ଅଛନ୍ତି। ବିଜେପିରେ ଜଣେ ଟାଣୁଆ ନେତା ଭାବେ ପରିଚିତ ଜୁଏଲ୍‌ ଓରାମ ରାଜ୍ୟ ଓ ଜାତୀୟ ସ୍ତରରେ ବିଜେପି ସଂଗଠନର ବିଭିନ୍ନ ପଦପଦବିରେ ରହିବା ସହ ଦୁଇ ଦୁଇ ଥର ରାଜ୍ୟରେ ଦଳର ନେତୃତ୍ବ ନେଇଛନ୍ତି। ତୃତୀୟ ଥର ପାଇଁ ତାଙ୍କ ଉପରେ ଦଳ ପୁଣି ଭରସା କରିବାର ସମ୍ଭାବନା କମ୍। ଆହୁରି ମଧ୍ୟ ଜୁଏଲ୍‌ ଜାତୀୟ ସ୍ତରର ଆଦିବାସୀ ନେତା ହୋଇଥିବାରୁ ଦିଲ୍ଲୀରେ କୌଣସି ଏକ ପଦବି ଦେବା ନିମନ୍ତେ ବିଚାର କରାଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ସେହିପରି ଅନ୍ୟତମ ପ୍ରମୁଖ ଦାବିଦାର କନକ ବର୍ଦ୍ଧନ ନିଜର ଅଭିଜ୍ଞତା ଓ ଲମ୍ବା ରାଜନୈତିକ କ୍ୟାରିୟର୍‌ ଦୃଷ୍ଟିରୁ ଦଳ ଭିତରେ ନିଜର ସ୍ଥିତି ସୁଦୃଢ଼ କରିଛନ୍ତି। ତେବେ ତାଙ୍କ ନେତୃତ୍ବରେ ୨୦୧୪ ନିର୍ବାଚନରେ ଦଳ ଲଢ଼ିଥିଲେ ବି କୌଣସି ଆଖିଦୃଶିଆ ସଫଳତା ମିଳି ନ ଥିଲା। ଆହୁରି ମଧ୍ୟ ଗତ ନିର୍ବାଚନରେ କେଭିଙ୍କୁ ବିଧାୟକ ଓ ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓଙ୍କୁ ସାଂସଦ ଟିକେଟ୍‌ ଦିଆଯାଇଥିଲା। ସଙ୍ଗୀତା ବିଜୟୀ ହୋଇଥିଲା ବେଳେ କେଭି ପରାଜୟର ସାମ୍ନା କରିଥି‌େଲ। ଯେହେତୁ ପତ୍ନୀ ସାଂସଦ ଅଛନ୍ତି, ତେଣୁ କେଭିଙ୍କୁ ସଭାପତି କରି ପାରିବାରିକ ରାଜନୀତିର ଛାପ ଛାଡ଼ିବାକୁ ଶୀର୍ଷ ନେତୃତ୍ବ ଅମଙ୍ଗ ହୋଇପାରନ୍ତି ବୋଲି କୁହାଯାଉଛି। ସେହିପରି ପୂର୍ବତନ ସଭାପତି ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନାମ ଚର୍ଚ୍ଚାରେ ରହିଥିଲେ ବି ତାଙ୍କୁ ଦ୍ବିତୀୟ ଥର ସୁଯୋଗ ମିଳିବାର ସମ୍ଭାବନା କ୍ଷୀଣ। କାରଣ ଶ୍ରୀ ପୂଜ‌ାରୀଙ୍କ ନେତୃତ୍ବକୁ ଦଳ ଆଗରୁ ପରୀକ୍ଷା କରିସାରିଛି ଓ ବର୍ତ୍ତମାନ ସେ ସାଂସଦ ଥିବାରୁ ଜଣଙ୍କୁ ଦୁଇଟି ପଦବି ଦେବା ସପକ୍ଷରେ ଶୀର୍ଷ ନେତୃତ୍ବ ନାହାନ୍ତି ବୋଲି କୁହାଯାଉଛି। ବର୍ତ୍ତମାନର ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଦ୍ବିତୀୟ ଥର ସୁଯୋଗ ପାଇପାରନ୍ତି ବୋଲି ଆଲୋଚନା ଚାଲିଛି। ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଉ ନ ଥିଲେ ବି ଶ୍ରୀ ପଣ୍ଡାଙ୍କ ପ୍ରଦର୍ଶନ ସେପରି ଉତ୍ସାହଜନକ ନ ଥିଲା ବୋଲି ବହୁ ନେତା ଯୁକ୍ତି ବାଢ଼ୁଛନ୍ତି।

ଉପକୂଳ ଓଡ଼ିଶାରେ ବି ଏକାଧିକ ନେତାଙ୍କ ନାମ ସଭାପତି ଚର୍ଚ୍ଚାକୁ ଆସିଛି। ଜଣେ ନୂଆ ନେତାଙ୍କୁ ସଭାପତି ପଦବିରେ ବସାଯିବ ନା ପୁରୁଣା ନେତାଙ୍କ ଉପରେ ଦଳ ଭରସା କରିବ, ତାହା ସ୍ପଷ୍ଟ ହେଉ ନାହିଁ। ପୂର୍ବତନ ସଭାପତି ମନମୋହନ ସାମଲ ସଭାପତି ଦୌଡ଼ରେ ରହିଛନ୍ତି। ପୂର୍ବରୁ ଶ୍ରୀ ସାମଲ ଦଳର ମଙ୍ଗ ଧରିଥିଲେ। ବିଜେଡି-ବିଜେପି ମେଣ୍ଟ ସରକାରର ଦ୍ବିତୀୟ ପାଳିରେ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ ବି ବିବାଦୀୟ ପରିସ୍ଥିତିରେ ତାଙ୍କୁ ବିଦା ହେବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ତିନି ତିନିଟି ନିର୍ବାଚନରେ ସେ ପ୍ରାର୍ଥୀ ହୋଇଥିଲେ ବି ପରାଜୟ ବରଣ କରି ଆସୁଛନ୍ତି। ଶ୍ରୀ ସାମଲ ଉପକୂଳ ଅଞ୍ଚଳର ଜଣେ ବରିଷ୍ଠ ନେତା ହୋଇଥିବାରୁ ଓ ଥରେ ସଭାପତି ଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଆଉ ଥରେ ସୁଯୋଗ ‌େଦବା ପାଇଁ ତାଙ୍କ ସମର୍ଥକ ଗୋଷ୍ଠୀ ଲବି କରୁଛନ୍ତି। ଅବଶ୍ୟ ଉପକୂଳରେ ବିଜେପି ସଂଗଠନରେ ଶ୍ରୀ ସାମଲଙ୍କୁ ନେଇ ବିରୋଧାଭାଷ ରହିଛି। ପୁଣି ମନ୍ତ୍ରୀ ଥିଲା ବେଳେ ଦଳର ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଖିଦୃଶିଆ ପଦକ୍ଷେପ ନେଇ ନ ଥିବାର ଅପବାଦ ବି ସେ ମୁଣ୍ଡାଇଛନ୍ତି। ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ନାମ ବି ଚର୍ଚ୍ଚାରେ ରହିଛି। ଏ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ନେତୃତ୍ବ ଭାର କେବେ ମହିଳାଙ୍କୁ ଦିଆଯାଇ ନ ଥିବାରୁ ଶ୍ରୀମତୀ ପାଢ଼ୀଙ୍କୁ ଦଳ ଭରସାକୁ ନେଇପାରେ ବୋଲି କୁହାଯାଉଛି। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଲା ପରେ ଲଗାତର ଭାବେ ଶ୍ରୀମତୀ ପାଢ଼ୀ ପରାଜୟ ବରଣ କରିଆସୁଥିବାରୁ ଦଳରେ ତାଙ୍କର ପତିଆରା ସେ ସେତେଟା ଜାହିର କରି ପାରି ନାହାନ୍ତି। ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ଉସପଭାପତି ସମୀର ମହାନ୍ତିଙ୍କ ନାମ ସଭାପତି ଦୌଡ଼ର ଆଗରେ ରହିଛି। ଗତ କିଛି ବର୍ଷ ଧରି ବିଜେପିର ସମସ୍ତ ଆନ୍ଦୋଳନ ଓ ସାଂଗଠନିକ କାର୍ଯ୍ୟର ଅଗ୍ରଭାଗରେ ସେ ରହୁଥିବାର ଦେଖାଯାଉଛି। ୨୦୦୯ରେ ସେ ବିଧାୟକ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ। ତାହା ପର ଠାରୁ ସେ ନିର୍ବାଚନ ଲଢ଼ି ନାହାନ୍ତି। କିନ୍ତୁ ସଂଗଠନରେ ବିଭିନ୍ନ ପଦପଦବିରେ ରହି ରାଜ୍ୟ ବିଜେପିର ସେ ଜଣାଶୁଣା ଚେହେରା ପାଲଟିଯାଇଛନ୍ତି। ଉପକୂଳ ଓଡ଼ିଶାରେ ସେ ଗ୍ରହଣୀୟ ନେତା ହୋଇପାରିବେ ବୋଲି ତାଙ୍କ ସମର୍ଥକ ଆଶାବାଦୀ।

ସଭାପତି ପଦବି ପାଇଁ ଲବି ଯେତେ ହେଉଥିଲେ ବି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। ଗତ କିଛି ବର୍ଷ ଧରି ଶ୍ରୀ ପ୍ରଧାନ ହିଁ ରାଜ୍ୟ ବିଜେପିର ଚେହେରା ପାଲଟିଛନ୍ତି। ସଭାପତି ଯିଏ ହେଲେ ବି ଶ୍ରୀ ପ୍ରଧାନଙ୍କ ନିୟନ୍ତ୍ରଣରେ ରାଜ୍ୟ ସଂଗଠନ ଚାଲିଆସିଛି। ତାଙ୍କ ନେତୃତ୍ବକୁ ରାଜ୍ୟ ସଂଗଠନ ଏକ ପ୍ରକାର ଗ୍ରହଣ କରିଆସିଛି। ପୁଣି ବର୍ତ୍ତମାନ ପରିସ୍ଥିତିରେ ବିଜେପିର ଶୀର୍ଷ ନେତୃତ୍ବଙ୍କ ସହ ଶ୍ରୀ ପ୍ରଧାନଙ୍କର ଏତେ ଘନିଷ୍ଠତା ଯେ ଆଗାମୀ ଦିନରେ ପୁଣି ଶ୍ରୀ ପ୍ରଧାନଙ୍କ ନେତୃତ୍ବରେ ହିଁ ରାଜ୍ୟ ବିଜେପି କାମ କରିବ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ଶୀର୍ଷ ନେତୃତ୍ବ କାହା ମୁଣ୍ଡ‌େର ସୁନା କଳସ ଢାଳିବା ପୂର୍ବରୁ ଶ୍ରୀ ପ୍ରଧାନଙ୍କ ମତ ହିଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। କିନ୍ତୁ କେନ୍ଦ୍ର ମନ୍ତ୍ରୀଙ୍କର ନିର୍ଦ୍ଦିଷ୍ଟ କେଉଁ ସଭାପତି ଦାବିଦାରଙ୍କ ପ୍ରତି ସମର୍ଥନ ରହିଛି, ତାହା ଜଣାପଡ଼ୁ ନ ଥିବାରୁ ଆଶାୟୀମାନେ ଦ୍ବନ୍ଦ୍ବରେ ରହିଛନ୍ତି।

ସମ୍ବନ୍ଧିତ ଖବର