ଦିଲ୍ଲୀ ଦଙ୍ଗା ନେଇ ପ୍ରଦେଶ କଂଗ୍ରେସର ପ୍ରତିବାଦ ସଭା

ଭୁବନେଶ୍ବର : ଦିଲ୍ଲୀରେ ଦଙ୍ଗା ବନ୍ଦ ହେଉ। ଶାନ୍ତି ଓ ଏକତା ବଜାୟ ରହୁ। ଉତ୍ତରପୂର୍ବ ଦିଲ୍ଲୀରେ ଯେଭଳି ଭାବରେ ଦଙ୍ଗା ସୃଷ୍ଟି ହେଲା ୩୫ ଜଣରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଲା ଏବଂ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ବେ ଦିଲ୍ଲୀ ପୁଲିସ ଦଙ୍ଗାକାରୀଙ୍କ ବିରୋଧରେ କୌଣସି ମାମଲା ଋଜୁ କଲାନି। ଏହାକୁ ପ୍ରଦେଶ କଂଗ୍ରେସ ନିନ୍ଦା କରିଛି। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍‌ ଛକ ସ୍ଥିତ ପିସିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ଏହାସହିତ ଶାନ୍ତି ବଜାୟ ରଖିବାରେ ବିଫଳ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନୈତିକତା ଦୃଷ୍ଟିରୁ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରାଯାଇଥିଲା।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ନାଗରିକ ଆଇନ, ଏନ୍‌ଆର୍‌ସି ଏବଂ ଏନପିଆର୍‌କୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବରେ ଭାରତବର୍ଷର ନାଗରିକମାନେ ଗଣଆନ୍ଦୋଳନ ଚଳାଇଥିବାବେଳେ ବିଜେପିର ଉତ୍ତର ପୂର୍ବ ଦିଲ୍ଲୀର ବିଧାୟକ ପ୍ରାର୍ଥୀ କପିଲ ମିଶ୍ର ଦିଲ୍ଲୀ ପୁଲିସ ଉପସ୍ଥିତିରେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ରଖିଲେ। ଯାହା ପରବର୍ତ୍ତୀ ଅବସ୍ଥାରେ ହିଂସାକାଣ୍ଡର ରୂପ ନେଇଥିଲା। ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଧମକପୂର୍ଣ୍ଣ ଓ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଇଥିବା ରାଜନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଦଙ୍ଗାକାରୀଙ୍କୁ ପୁଲିସ ଗିରଫ କଲାନାହିଁ। ବିଜେପି ନେତା ପରବେଶ ବର୍ମା ଓ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବୟାନକୁ ମଧ୍ୟ କୋର୍ଟ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ବି ପୁଲିସ କିଛି ବି ପଦକ୍ଷେପ ନେଇନି।

ପ୍ରଦେଶ କଂଗ୍ରେସ ନେତାମାନେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କିଭଳି ଶୀଘ୍ର ଶାନ୍ତ ଫେରିଆସିବ ସେଥିପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ମହାତ୍ମାଗାନ୍ଧୀଙ୍କ ପ୍ରୀୟ ଭଜନ ରଘୁପତି ରାଘବ ରାଜାରାମ ଗାନ କରାଯାଇଥିଲା। ଅମିତ ଶାହା ଗୁଜୁରାଟରେ ଗୃହ ମନ୍ତ୍ରୀ ଥିବାବେଳେ ଦଙ୍ଗା ସୃଷ୍ଟି ହୋଇଥିଲା। ଆସନ୍ତାକାଲି ଶ୍ରୀ ଶାହା ଓଡ଼ିଶା ଆସୁଥିବାରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ଦିଲ୍ଲୀ ଫେରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏ ଦେଶ ଗାନ୍ଧୀଙ୍କର ଦେଶ ଏବଂ ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଉତ୍ସବ ପାଳନ କରୁଥିବାବେଳେ ଏଭଳି ନରସଂହାର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ପିସିସି ସଭାପତି କହିଥିଲେ। ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ ନେତା ଗୁରୁପଦ ନନ୍ଦ, ଶିବାନନ୍ଦ ରାୟ, ପଞ୍ଚାନନ କାନୁନ୍‌ଗୋ, ସୁଦର୍ଶନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାଶ, ବିଶ୍ବଜିତ ଦାସଙ୍କ ସମେତ ବହୁ କଂଗ୍ରେସ ନେତା ସାମିଲ ଥିଲେ।

ସମ୍ବନ୍ଧିତ ଖବର