କୋଭିଡ୍‌ କଟକଣାରେ ହେବ ଓଡ଼ିଶା ଦିବସ ଉତ୍ସବ, ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଇଁ ପ୍ରସ୍ତୁତି ବୈଠକ

ରାଜଧାନୀର ସବୁ ଅଞ୍ଚଳରେ ବାଜିବ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ

ଭୁବନେଶ୍ବର: ଆସନ୍ତା ଏପ୍ରିଲ୍‌ ୧ ତାରିଖ ଓଡ଼ିଶା ଦିବସ-୨୦୨୧ ପାଳନ ପାଇଁ ସରକାରୀ ସ୍ତର‌େର ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାର ଦିନ ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବ‌ନରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ କୋଭିଡ୍‌ ନିୟମାବଳୀର ପାଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଭାତ ଫେରି ଠାରୁ ଆରମ୍ଭ କରି ଆଲୋକ ସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ନିରାପତ୍ତା ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଓ ଫଟୋଚିତ୍ର ପ୍ରଦର୍ଶନୀ ଆଦି ଆୟୋଜନ କରାଯିବା ପାଇଁ ସ୍ଥିର ହୋଇଛି। ପୂର୍ବ ବର୍ଷ ପରି ପ୍ରଭାତ‌ ଫେରି ଆୟୋଜନ କରାଯିବ। ଏଥିରେ ବିଏମ୍‌ସି ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ସକାଳ ୬ଟାରୁ ୭ଟା ମଧ୍ୟରେ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ବାଦନ କରାଯିବ।

ଚଳିତ ବର୍ଷ ଓଡ଼ିଶା ଦିବସ ଉତ୍ସବ ଉତ୍କଳ ମଣ୍ଡପରେ ଆୟୋଜନ କରାଯିବ। କୋଭିଡ୍‌ ମାର୍ଗଦର୍ଶିକାର ଠିକ୍ ଅନୁପାଳନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି। ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ବଛା ବଛା ସାଂସ୍କୃତିକ ଦଳମାନଙ୍କୁ ନେଇ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଓଡ଼ିଶା ଦିବସ ଅବସରରେ ରାଜଭବନ, ଲୋକସେବା ଭବନ, ବିଧାନସୌଧ, ରବୀନ୍ଦ୍ର ମଣ୍ଡପ ଆଦି ସରକାରୀ କୋଠାକୁ ରଙ୍ଗୀନ୍ ଆଲୋକମାଳାରେ ସଜ୍ଜିତ କରାଯିବ। ଏହା ସହ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟର ଆଲୋକୀକରଣ ପାଇଁ ସଂପୃକ୍ତ ସଂସ୍ଥାକୁ ଅନୁରୋଧ କରାଯିବ।

ଉତ୍ସବ ସ୍ଥାନ ଓ ନିକଟବର୍ତ୍ତୀ ରାସ୍ତାଗୁଡ଼ିକରେ ନିରାପତ୍ତା, ଯାନବାହନ ନିୟନ୍ତ୍ରଣ ଓ ପାର୍କିଂ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ବିଗତ ବର୍ଷ ପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯିବ। ଉତ୍ସବରେ ଭାରତୀୟ ରେଡ୍‌କ୍ରସ୍ ସଂସ୍ଥା, ଓଡ଼ିଶା ଶାଖା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତିବି‌େଶଷଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ। ଓଡ଼ିଶା ଦିବସରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବରପୁତ୍ରମାନଙ୍କ ଜୀବନୀ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି। ଟେଲିଭିଜନ୍ ଓ ସାମାଜିକ ଗଣମାଧ୍ୟମରେ କାର୍ଯ୍ୟକ୍ରମରେ ସିଧା ପ୍ରସାରଣ କରାଯିବ। ରାଜଧାନୀ ଭୁବନେଶ୍ବର ସମେତ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ ସମେତ ପ୍ରତ୍ୟେକ ଜିଲ୍ଲା ସଦର ମହକୁମା ଓ ଉପଖଣ୍ଡ ସଦର ମହକୁମାରେ ଓଡ଼ିଶା ଦିବସ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ପ୍ରସ୍ତୁତି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ କୁମାର ସିଂହ, ପୂର୍ତ୍ତ ବିଭାଗର ସଚିବ କ୍ରିଷନ କୁମାର, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ବିଡିଏ ସଚିବ ହରିଶ ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର