ଅଟୋ ଚାଳକଙ୍କୁ ୪୭ହଜାର ୫ଶହ ଜରିମାନା

ରାଜ୍ୟ ଇତିହାସରେ ସର୍ବାଧିକ, ଦେଶବ୍ୟାପୀ ଚର୍ଚ୍ଚା

ଭୁବନେଶ୍ୱର : ସାରା ଦେଶରେ ସଂଶୋଧିତ ମୋଟର ଯାନ ଆଇନ ଅନୁଯାୟୀ ଗାଡ଼ି ଯାଞ୍ଚ କଡ଼ାକଡ଼ି କରାଯାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଟ୍ରାଫିକ ପୁଲିସ ପକ୍ଷରୁ ଜୋରଦାର ଚଢ଼ଉ ଜାରି ରହିଛି। ଚଢ଼ଉ ବେଳେ ଆଜି ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ଅଟୋ ଚାଳକ ଉପରେ ୪୭ ହଜାର ୫୦୦ ଟଙ୍କା ଜରିମାନା କରାଯାଇଛି। କୌଣସି ଏକ ଯାନ ଉପରେ ଏତେ ପରିମାଣର ଜରିମାନା କରିବା ରାଜ୍ୟରେ ଇତିହାସ ସୃଷ୍ଟି କରିଛି। ଅଟୋ ଚାଳକ ଜଣକ ୬ମାସ ତଳେ ମାତ୍ର ୨୪ ହଜାର ୫ଶହ ଟଙ୍କା ଦେଇ ଅଟୋଟିକୁ କିଣିଥିବା ବେଳେ ଏହା ଉପରେ ୪୭ ହଜାର ୫୦୦ ଟଙ୍କା ଜରିମାନା ଲାଗିଥିବାରୁ ସେ ଜରିମାନା ଦେବେନି କି ଅଟୋଟିକୁ ମୁକୁଳାଇବେନି ବୋଲି କହିଛନ୍ତି। ଏହି ଘଟଣା ଆଜି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।

ଆଜି ଆଞ୍ଚଳିକ ପରିବହନ ଅଧିକାରୀ-୧ ପକ୍ଷରୁ ଯାଞ୍ଚ ବେଳେ ଆଚାର୍ଯ୍ୟବିହାର ଛକରେ ବଡ଼ଗଡ଼
ଝରଣାସାହିର ହରିବନ୍ଧୁ କହଁର ନାମକ ଏହି ଅଟୋ ଚାଳକ ଜଣକ ଧରାପଡ଼ିଥିଲେ। ମଦ ପିଇ ଗାଡ଼ି ଚଳାଇବା, ଲାଇସେନ୍ସ ନ ଥିବା, ପରମିଟ୍‌ ନ ଥିବା, ବିନା ମାଲିକାନା, ବିନା ବୀମା, ବିନା ପଞ୍ଜୀକରଣ ଓ ବିନା ବାୟୁ ଓ ଶବ୍ଦ ପ୍ରଦୂଷଣ ପ୍ରମାଣପତ୍ରରେ ଗାଡ଼ି ଚାଳନା ତଥା ଓଭର ଲୋଡିଂ ପ୍ରଭୃତି ମୋଟ ୮ଟି ତ୍ରୁଟି ଅଭିଯୋଗରେ ତାଙ୍କୁ ଏହି ମୋଟା ଅଙ୍କର ଜରିମାନା କରାଯାଇଥିଲା। ତେବେ ଏତେ ପରିମାଣର ଜରିମାନା ଦେବାକୁ ପଡ଼ିବ ଶୁଣି ଅଟୋ ଚାଳକ ଜଣକ ହତବାକ୍ ହୋଇ ଯାଇଥିଲେ। ଆଉ ଘଟଣାସ୍ଥଳରେ ସେ ଜରିମାନା ଅର୍ଥ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଏମ୍‌ଭିଆଇ ଅଟୋଟିକୁ ଜବତ କରିଥିଲେ। ଜରିମାନା ଅର୍ଥ ୭ ଦିନ ଭିତରେ ଜମା ନ କଲେ ମାମଲା କୋର୍ଟକୁ ଯିବ ବୋଲି ସ୍ପଷ୍ଟ କରି ଦିଆଯାଇଥିଲା। ତେବେ ଅଟୋ ଚାଳକ ଜଣକ ଏତେ ପରିମାଣର ‌ଜରିମାନା ଦେଇ ଅଟୋ ଆଣିବାକୁ ଅସମର୍ଥତା ପ୍ରକାଶ କରି ପ୍ରଶାସନ ଯାହା କାର୍ଯ୍ୟାନୁଷ୍ଠାନ ନେବ ତାହା କରୁ ବୋଲି କହିଛନ୍ତି।

ଫସିଲେ ଅଟୋ ମାଲିକ:
୬ ମାସ ତଳେ ହରିବନ୍ଧୁ ନୟାଗଡ଼ ଗଣିଆର କଣ୍ଡୁରୀ ଖଟୁଆଙ୍କଠାରୁ ଏହି ଅଟୋଟିକୁ କିଣିଥିଲେ। କିନ୍ତୁ ମାଲିକାନା ହସ୍ତାନ୍ତର ହୋଇନଥିବାରୁ ଏବେ ସରକାରୀ ଖାତାରେ କଣ୍ଡୁରୀ ହିଁ ଅଟୋର ମାଲିକ ରହିଛନ୍ତି। ଏଣୁ ଜରିମାନା ଦାଖଲ ନ ହେଲେ ଉଭୟ ଚାଳକ ଓ ମାଲିକଙ୍କ ନାମରେ ମାମଲା ରୁଜୁ ହେବ। କୌଣସି ଗାଡ଼ି ବିକିବା ବେଳେ ମାଲିକାନା ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ଆରଟିଓ ପକ୍ଷରୁ ସଚେତନ କରାଯାଇଛି। ମାତ୍ର ଏ କ୍ଷେତ୍ରରେ ତାହା କରି ନ ଥିବାରୁ ମାଲିକ ଜଣକ ଏବେ ଫସି ଯାଇଛନ୍ତି।

ଗାଡ଼ି ଛାଡ଼ିଗଲେ ବି ମାମଲା ହେବ:
ଯାଞ୍ଚ ବେଳେ ଜରିମାନା ନ ଦେଇ ଗାଡ଼ି ଛାଡ଼ି ଚାଲିଆସିଲେ ବି ଚାଳକ ଫସିବେ। ୭ ଦିନ ପରେ ମାମଲା କୋର୍ଟକୁ ଯିବ। ଅବମାନନାକାରୀଙ୍କ ବିରୋଧ‌ରେ ମାମଲା ରୁଜୁ ହେବ। ମାମଲାର ଶୁଣାଣି ହେବା ସହ ଗିରଫ ୱାରେଣ୍ଟ ଜାରି ହେବ। ଯେଉଁଠି ଥିଲେ ବି ଗାଡ଼ିର ମାଲିକ ଓ ଚାଳକ ବନ୍ଧା ହେବେ ବୋଲି କହିଛନ୍ତି ଆରଟିଓ-୧ ପ୍ରଦୀପ ମହାନ୍ତି।

ଅନ୍ୟ ଅଟୋ ଚାଳକ ଛାନିଆ:
ଆଜି ଜଣେ ଅଟୋ ଚାଳକଙ୍କୁ ଟ୍ରାଫିକ୍ ଛାଟ ବାଜିବା ପରେ ଅନ୍ୟ ଅଟୋ ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ଅଧିକାଂଶ ପୁରୁଣା ଅଟୋ ଫିଟ୍‌ନେସ୍‌, ପ୍ରଦୂଷଣ ପ୍ରମାଣପତ୍ର ଓ ବୀମାକୁ ଗୁରୁତ୍ବ ଦେଇ ନଥା’ନ୍ତି। ଶହ ଶହ ଅଟୋ ଏହି ସବୁ ବୈଧ କାଗଜପତ୍ର ବିନା ଯାତ୍ରୀଙ୍କୁ ବୋହିବା ସହ ସହରରେ ଘୂରି ବୁଲୁଛନ୍ତି। ଯେଉଁ ଅଟୋଗୁଡ଼ିକ ଚାଲୁଛି ତାହାକୁ ଗୋଟିଏ ଜାଗାରେ ଛିଡ଼ା ହୋଇ ନୁହେଁ, ବରଂ ସହରର ବିଭିନ୍ନ ସ୍ଥାନରେ ବୁଲି ଯାଞ୍ଚ କରାଯାଉ ବୋଲି ଧରା ପଡ଼ିଥିବା ଅଟୋ ଚାଳକ ଦାବି କରିଛନ୍ତି। ଏହାକୁ ବିଭାଗ ମଧ୍ୟ ଗୁରୁତ୍ବର ସହ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର