ବାଲିଆପାଳ ବିଡିଓ ପ୍ରବାସୀ ଶ୍ରମିକଙ୍କୁ ଗାଳିଗୁଲଜ କରିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସରକାର

ବାଲେଶ୍ୱର: ବାଲିଆପାଳ ବ୍ଲକ ଉନ୍ନୟନ  ଅଧିକାରୀ (ବିଡିଓ) ପ୍ରବାସୀ ଓଡିଆ ଶ୍ରମିକଙ୍କ ପ୍ରତି କରିଥିବା ଅସଦାଚରଣ ଘଟଣାର ତଦନ୍ତ ପାଇଁ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆଜି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ୱର ଜିଲ୍ଲାପାଳଙ୍କଠାରୁ ଏ ସମ୍ପର୍କରେ ଏକ ରିପୋର୍ଟ ମଗାଯାଇଛି। ସରକାର ଏ ଘଟଣା ବିଷୟରେ ଜାଣିଛନ୍ତି ଏବଂ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମିଳିବା ପରେ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ସୂଚନା ମୁତାବକ, ବୁଧବାର ସକାଳେ ଗୁଜୁରାଟର ସୁରେନ୍ଦ୍ରନଗରରୁ ଟ୍ରେନ୍‌ ଯୋଗେ ବାଲେଶ୍ବର ଆସି ସେଠାରୁ ବସରେ ବାଲିଆପାଳ ବ୍ଲକକୁ ଆସିଥିଲେ କିଛି ପ୍ରବାସୀ ଶ୍ରମିକ। ବ୍ଳକ ପକ୍ଷରୁ ସେଠାରେ ସମସ୍ତଙ୍କର ନାମ ପଞ୍ଜୀକରଣ ସହ ନିଜ ନିଜ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ପଠାଯିବା ଲାଗି ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ଆନୁସଙ୍ଗିକ କାଗଜପତ୍ର କାମ ପାଇଁ ଅପେକ୍ଷା କରିବାକୁ କୁହାଯିବା ପରେ ଶ୍ରମିକମାନେ ମଧ୍ୟାହ୍ନ ସାଢେ ଗୋଟାଏରୁ ବ୍ଳକ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ଅପେକ୍ଷା କରିଥିଲେ। ତେବେ ବହୁ ସମୟ ପରେ ମଧ୍ୟ କେହି ନ ଆସିବାରୁ ଭୋକଶୋଷରେ ଛିଡ଼ା ହୋଇଥିବା ଶ୍ରମିକମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା। ଆଉ କେତେ ସମୟ ଖରାରେ ଠିଆ ହେବୁ ବୋଲି ପଚାରିବାରୁ ଚିହିଁକି ଉଠିଥିଲେ ବିଡିଓ ଛବିରାଣୀ ସାହୁ। ମୁଁ ଜଣେ ଓଏଏସ୍‌ ଅଫିସର। ତମ ଭଳି ଦାଦନ ଶ୍ରମିକ ନୁହଁ। ବାହାରୁ ଆସି ଆମକୁ ହଇରାଣ କରୁଛ, ସେଥିରେ ପୁଣି ଅଧିକ କଥା କହୁଛ। ଚୁପ୍…ଚୁପ୍‌। ତମ ଚଉଦ ପୁରଷ ଏଠାରେ ଛିଡା ହେବେ। ଗୁଜୁରାଟରୁ ନିଜ ଜନ୍ମମାଟିକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଏମିତି ଢଙ୍ଗରେ ଗାଳି କରିଥିଲେ ବାଲିଆପାଳ ବିଡିଓ ଛବିରାଣୀ ସାହୁ।

ସେମାନଙ୍କୁ ଗାଳିଗୁଲଜ କରିବା ସହ ସବୁ ବ୍ୟବସ୍ଥା ଶେଷ ହେବା ପର୍ଯ୍ୟନ୍ତ ସେମିତି ଛିଡା ହେବ ବୋଲି କହିଥିଲେ। ଦୁଇ ଦିନ ହେଲା ଟ୍ରେନରେ କିଛି ଖାଇ ନଥିବା ଓ ପ୍ରବଳ ଖରାରେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ଏହି ଶ୍ରମିକମାନେ ମୁଣ୍ଡକାନ ଆଉଁସି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ, ଯାହାର ଭିଡିଓ ପରେ ଭାଇରାଲ୍‌ ହୋଇଥିଲା |

ସମ୍ବନ୍ଧିତ ଖବର