ଗାର୍ଡ ଅଫ୍ ଅନର୍ ବ୍ୟବସ୍ଥା ଉଚ୍ଛେଦ କଲେ ମୁଖ୍ୟମନ୍ତ୍ରୀ

ସ୍ବାଧୀନତା ସଂଗ୍ରାମୀଙ୍କୁ ‘ମାନ୍ୟବର’ ସମ୍ବୋଧନ

ଭୁବନେଶ୍ବର : ରାଜ୍ୟରେ ଆଉ ଏଣିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀମାନଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବନି। ସ୍ବାଧୀନତା ଦିବସ ପୂର୍ବଦିନ ଏହି ଗାର୍ଡ ଅଫ୍ ଅନର୍ ଓ ହାଉସ୍ ଗାର୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ। ଏହାସହିତ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଅନ୍ୟ ବିଚାରପତିମାନଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ପୂର୍ବଭଳି କାର୍ଯ୍ୟ କରିବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ପଟ୍ଟନାୟକ ଦାୟିତ୍ବ ନେବା‌ ପରେ ଲାଲବତି ପ୍ରଥା ଉଚ୍ଛେଦ ଭଳି ପଦକ୍ଷେପ ନେଇ ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିଲେ। ଆଜିର ପଦକ୍ଷେପ ପୁଣି ଗୋଟିଏ ନୂଆ ଉଦାହରଣ ସୃଷ୍ଟି କରିଛି।

ବ୍ରିଟିଶ ଶାସନ ଅମଳରୁ ଭିଆଇପିଙ୍କ ଗାଡ଼ିରେ ଲାଲବତିଠୁ ଆରମ୍ଭ କରି ଗାର୍ଡ ଅଫ୍ ଅନର୍ ଓ ହାଉସ୍‌ ଗାର୍ଡ ଭଳି ବ୍ୟବସ୍ଥା ପ୍ରଚଳିତ ଥିଲା। ଦେଶ ସ୍ବାଧୀନ ହେବା ପରେ ବି ସେହି ବ୍ୟବସ୍ଥା ଜାରି ରହିଥିଲା। ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଲୋକମାନଙ୍କ ଦ୍ବାରା ନିର୍ବାଚିତ ଜନପ୍ରତିନିଧିଙ୍କ ପାଇଁ ଏସବୁର ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଅତୀତରେ ପ୍ରଥମେ ତାଙ୍କ ସରକାରୀ ଗାଡ଼ିରୁ ଲାଲବତୀ ହଟାଇ ଉଦାହରଣ ସୃଷ୍ଟି କରିଥିଲେ।

ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଶାସନରେ ସ୍ବଚ୍ଛତା ଓ ସଂସ୍କାର ପାଇଁ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇ ଆସିଛନ୍ତି। ସଚିବାଳୟ ନାମକୁ ବଦଳାଇ ଲୋକସେବା ଭବନ କରାଯାଇଛି। ଗାର୍ଡ ଅଫ୍ ଅନର୍ ବ୍ୟବସ୍ଥା ଉପନିବେଶବାଦୀ ମାନସିକତାର ପରିଚାୟକ ହୋଇଥିବାରୁ ଏହାକୁ ଉଚ୍ଛେଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏଭଳି ଆଳଙ୍କାରିକ ପ୍ରଥା ଓ ବ୍ୟବସ୍ଥାକୁ ବିଭିନ୍ନ ସମୟରେ ପ୍ରତ୍ୟାଖ୍ୟାନ କରି ନବୀନ ପଟ୍ଟନାୟକ ଜନସାଧାରଣଙ୍କ ପ୍ରତି ନିଜର ସଂକଳ୍ପବଦ୍ଧତାକୁ ପ୍ରମାଣିତ କରିବାକୁ ପ୍ରୟାସ କରିଛନ୍ତି।

ସ୍ବାଧୀନତା ସଂଗ୍ରାମୀଙ୍କୁ ‘ମାନ୍ୟବର’ ସମ୍ବୋଧନ

ଭୁବନେଶ୍ବର : ସ୍ବାଧୀନତା ସଂଗ୍ରାମୀମାନଙ୍କ ମହନୀୟ ତ୍ୟାଗ ଓ ଅବଦାନକୁ ସମ୍ମାନ ଜଣାଇ ଏଣିକି ସଭାସମିତିରେ ସେମାନଙ୍କୁ ‘ମାନ୍ୟବର’ କୁହାଯାଇ ସମ୍ବୋଧନ କରାଯିବ ବୋଲି ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ‘ମାନ୍ୟବର’ ଭାବେ ସମ୍ବୋଧନ କରାଯିବ।

ସମ୍ବନ୍ଧିତ ଖବର