ଓଡ଼ିଶା କମାଇଲା ଭାଟ୍: ପେଟ୍ରୋଲ, ଡିଜେଲ ଆହୁରି ୩ ଟଙ୍କା ଶସ୍ତା

ଭୁବନେଶ୍ବର : କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କା ହ୍ରାସ ଘୋଷଣା କରିବାପରେ ରାଜ୍ୟ ସରକାର ଭାଟ୍ ହ୍ରାସ କରିଛନ୍ତି। ଜନସାଧାରଣଙ୍କୁ ବର୍ଦ୍ଧିତ ଦରରୁ ଆଶ୍ବସ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭାଟ୍‌ ହ୍ରାସ ଘୋଷଣା କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୩ ଟଙ୍କା ଲେଖାଏଁ ଭାଟ୍ କମିବ। ପୂର୍ବରୁ ପେଟ୍ରୋଲ ଉପରେ ୩୨ ପ୍ରତିଶତ ଏବଂ ଡିଜେଲ ଉପରେ ୨୮ ପ୍ରତିଶତ ଭାଟ୍‌ ଆଦାୟ କରାଯାଉଥିଲା। କିନ୍ତୁ ଏବେ ଏହା ଯଥାକ୍ରମେ ୨୮ ଓ ୨୪ ପ୍ରତିଶତକୁ କମିଛି। ଫଳରେ ୬ ତାରିଖ ସକାଳେ ଗ୍ରାହକମାନେ କମ୍ ଦାମରେ ପେଟ୍ରୋଲ ଏବଂ ଡିଜେଲ କିଣିବାକୁ ପାଇବେ। ଏ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରାୟ ୧୪୦୦ କୋଟି ଟଙ୍କାର ଆର୍ଥିକ ବୋଝ ବର୍ଷକୁ ବହନ କରିବାକୁ ପଡ଼ିବ। ଏଥିସହିତ ପୂର୍ବରୁ ଉତ୍ପାଦ ଶୁଳ୍କ କେନ୍ଦ୍ର ସରକାର କମାଇଥିବାରୁ ରାଜ୍ୟ ସରକାର ପେଟ୍ରୋଲରେ ଲିଟର ପିଛା ୧ ଟଙ୍କା ୬୦ ଏବଂ ଡିଜେଲରେ ୨ ଟଙ୍କା ୮୦ ପଇସା ଟିକସ ହରାଇବେ।

ବାର୍ଷିକ ପ୍ରାୟ ୭୦୦ କୋଟି ଟଙ୍କା ରାଜସ୍ବ ସରକାରଙ୍କୁ ଏବାବଦରେ ମିଳିବ ନାହିଁ। ତେଣୁ ଉଭୟ ଟିକସ ହ୍ରାସକୁ ବିଚାରକୁ ନେଲେ ରାଜ୍ୟ ସରକାରଙ୍କୁ ପାଖାପାଖି ୨୦୦୦ କୋଟି ଟଙ୍କାରୁ ଅଧିକ ପରିମାଣର ଟିକସ ହରାଇବାକୁ ‌ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଯଦିଓ ନିର୍ଦ୍ଦି‌ଷ୍ଟ ଭାବେ ଦର କେତେ ତାହା ସ୍ପଷ୍ଟ ହୋଇନାହିଁ ତଥାପି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୧୦୧ ଟଙ୍କା ୮୦ ପଇସା ଏବଂ ଡିଜେଲ ଦର ୯୧ ଟଙ୍କା ୬୦ ପଇସାକୁ ଖସିଆସିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର