ଅଣ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କ ‌ପାଇଁ ପ୍ରାଣ ହରାଉଥିବା ରୋଗୀ ଓଡ଼ିଶାରେ ସର୍ବାଧିକ

ଓଡ଼ିଶାରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ମୁଖା ଖୋଲିଦେଲା ଏସ୍‌ବିଆଇ ରିପୋର୍ଟ

ଭୁବନେଶ୍ବର: ଓଡ଼ିଶାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇଛି ଏସ୍‌ବିଆଇର ରିପୋର୍ଟ। ନିକଟରେ ପ୍ରକାଶିତ ଏହି ରିପୋର୍ଟରେ ରାଜ୍ୟର ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାକୁ ନେଇ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଲଜ୍ଜାଜନକ। ରାଜ୍ୟରେ ତାଲିମ୍‌ପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ(ଡାକ୍ତର ଓ ଅନ୍ୟମାନେ)ଙ୍କ ଅଭାବ ପାଇଁ ଡାକ୍ତରଖାନାରେ ୩୬ ପ୍ରତିଶତ ରୋଗୀ ପ୍ରାଣ ହରାଉଛନ୍ତି। ଯାହାକି ଦେଶରେ ସର୍ବାଧିକ। ମାତ୍ର ୧୫ ପ୍ରତିଶତ ତାଲିମପ୍ରାପ୍ତ ଡାକ୍ତର ରୋଗୀଙ୍କ ସେବା କରିବାରେ ସକ୍ଷମ ବୋଲି ଏଥିରେ କୁହାଯାଇଛି। ଗତ ୨ବର୍ଷ ଧରି କୋଭିଡ ଲହର ଚାଲିଥିବା ବେଳେ ଏ ସମୟର ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

୨୦୧୯ ମସିହା ପାଇଁ ସାମ୍ପୁଲ ରେଜିଷ୍ଟ୍ରେସନ୍ ସିଷ୍ଟମ୍ ବା ଏସ୍‌ଆରଏସ୍‌ ସର୍ଭେ ପ୍ରକାଶିତ ହୋଇଛି। ଏହିବର୍ଷ ଓଡ଼ିଶାରେ ୩.୪୨ଲକ୍ଷ ମୃତ୍ୟୁ ପଞ୍ଜୀକୃତ ହୋଇଥିବା ବେଳେ ତହିଁରୁ ୪୩,୧୯୧ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ବା ଏମ୍‌ସିସିଡି କରାଯାଇଛି। ସର୍ବାଧିକ ଅଣ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ଥିବା ରାଜ୍ୟମାନଙ୍କ ଭିତରେ ଓଡ଼ିଶା ପରେ କର୍ଣ୍ଣାଟକ, ଝାରଖଣ୍ଡ, ଛତିଶଗଡ଼, ତାମିଲନାଡ଼ୁ ଭଳି ରାଜ୍ୟ ରହିଛନ୍ତି। ପଞ୍ଜାବରେ ସବୁଠାରୁ କମ୍ ୨.୩ ପ୍ରତିଶତ, ହିମାଚଳ ପ୍ରଦେଶ ୩.୭, କେରଳ ୪.୧ ଓ ଉତ୍ତରାଖଣ୍ଡରେ ୭.୧ ପ୍ରତିଶତ ରହିଥିବା କୁହାଯାଇଛି। ସେହିପରି ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ତାଲିକାରେ ଆସାମରେ ସର୍ବାଧିକ ୫୧.୯ ପ୍ରତିଶତ ଥିବା ବେଳେ ହରିୟାନାରେ ୫୦, ଗୁଜୁରାଟ ୪୫, ପଞ୍ଜାବ, ପଶ୍ଚିମବଙ୍ଗରେ ୪୦ ‌ଲେଖାଏ, ମହାରାଷ୍ଟ୍ରରେ ୩୭ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ହିମାଚଳ ପ୍ରଦେଶରେ ୫୧ ପ୍ରତିଶତ ରୋଗୀ ସରକାରୀ ହସ୍ପିଟାଲରେ ପ୍ରାଣ ହରାଉଛନ୍ତି। ଏହାପରେ ଦିଲ୍ଲୀ ୫୦ ପ୍ରତିଶତ, ଜମ୍ମୁ ଓ କଶ୍ମୀରରେ ୪୫, କେରଳ ୪୩ ଓ ଓଡ଼ିଶାରେ ୩୦ ପ୍ରତିଶତ ରୋଗୀଙ୍କ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ହେଉଛି।
ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର ବିଜୁ ସ୍ମାର୍ଟ କାର୍ଡ ବାଣ୍ଟୁଛନ୍ତି। କିନ୍ତୁ ଡାକ୍ତରଖାନାରେ ଆବଶ୍ୟକ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ କିଭଳି ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବାରେ ସମ୍ଭବ ହେବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ତାଲିମ୍ ନୁହେଁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତରଙ୍କ ଅଭାବ ପାଇଁ ରାଜ୍ୟ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତରରେ ଜିଲ୍ଲାସ୍ତରରେ ୪୨ ପ୍ରତିଶତ ଡାକ୍ତରଙ୍କ ଅଭାବ ଥିବା ସ୍ବୀକାର କରିଛନ୍ତି।

ପୂର୍ବତନ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ସେବା ମହାପାତ୍ର କହିଛନ୍ତି, ଏସ୍‌ଆରଏସ୍‌ ପ୍ରତି ୧୦ବର୍ଷରେ ଆସିଥାଏ। ତେଣୁ ଏହାର ରିପୋର୍ଟ ପ୍ରକାଶ ପାଇବା ଓ ବର୍ତମାନ ସମୟରେ ଭିତରେ କିଛିଟା ତାରତମ୍ୟ ରହିବା ସ୍ବାଭାବିକ। ମାତ୍ର ଏହା ସତ ଯେ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ତାଲିମପ୍ରାପ୍ତ ଡାକ୍ତର ନାହିଁ। ତେଣୁ ଭିତ୍ତିଭୂମି ସାଙ୍ଗକୁ ତାଲିମପ୍ରାପ୍ତ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି କରାଗଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ଡା.ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର