ରଥ ନିର୍ମାଣ ଓ ରଥଯାତ୍ରା ଆୟୋଜନ ସଂପର୍କିତ ଜନସ୍ବାର୍ଥ ମାମଲା : ଆଇନ ଅନୁସାରେ ନିଷ୍ପତ୍ତି ନେବେ ସରକାର

କଟକ : ନିର୍ଦ୍ଧାରିତ ସମୟ ସୀମା ଭିତରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣ ଶେଷ କରିବା ସହିତ ଜୁନ୍ ୨୩ରେ ରଥଯାତ୍ରା ଆୟୋଜନ ପ୍ରସଂଗରେ ସରକାର ନିଷ୍ପତ୍ତି ଗ୍ରହଣ କରିବେ। ଆବେଦନକାରୀ ଅନୁଷ୍ଠାନର ରଥ ନିର୍ମାଣ ଓ ରଥଯାତ୍ରା ଆୟୋଜନ ସଂପର୍କିତ ଅଭିଯୋଗ ଉପରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ଅନୁସାରେ ଯଥାଶ୍ରୀଘ୍ର ନିଷ୍ପତ୍ତି ଗ୍ରହଣ କରିବ ବୋଲି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ ସଭାପତି ପ୍ରଫେସର ଡାକ୍ତର ନିରଂଜନ ତ୍ରିପାଠୀ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ରଥ ନିର୍ମାଣକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ରଥଯାତ୍ରା ଆୟୋଜନ କିଭଳି ଜୁନ୍ ୨୩ରେ ହେବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏଭଳି ପରିସ୍ଥିତିରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦର୍ଶାଇଥିଲେ ଯେ, ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆୟୋଜନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ। ‌କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟର ଦୁଇ ସପ୍ତାହର ଲକ୍‌ଡାଉନ ମେ ୪ରୁ ଆରମ୍ଭ ହୋଇଥିବା ବେଳେ ରଥଯାତ୍ରା ଆୟୋଜନ ନେଇ କିଛି ଆଶଙ୍କା ରଖିବା କଥା ନୁହେଁ। ରଥ ନିର୍ମାଣ ପାଇଁ ଅନୁକୂଳ ସରିଥିବା ବେଳେ ସବୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ କେବେ ଠାରୁ ପହଞ୍ଚି ସାରିଛି। ରଥ ନିର୍ମାଣରେ କିନ୍ତୁ ଅଯଥା ବିଳମ୍ବ କରାଯାଉଛି। ନିୟମାବଳୀ ପାଳନ କରି ରଥ ନିର୍ମାଣ କରାଯାଇ ପାରିବ। ଏଥିସହିତ ଜୁନ୍ ୨୩ରେ ରଥାଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ରଥ ନିର୍ମାଣ ଶେଷ ହେବା ଆବଶ୍ୟକ। ଏପରି ପରିସ୍ଥିତିରେ ତୁରନ୍ତ ରଥ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଉ। ରଥଯାତ୍ରର ସ୍ନାନଯାତ୍ରା, ଗୁଣ୍ଡିଚାଯାତ୍ରା, ବାହୁଡାଯାତ୍ରା, ସୁନାବେଶ, ଅଧରପଣା, ନୀଳିଦ୍ରିବ‌ିଜେ ପ୍ରମୁଖ ବିଶ୍ବ ପ୍ରସିଦ୍ଧ ହୋଇଥିବା ବେଳେ ଏହାକୁ ଦେଖିବାକୁ ଦେଶବିଦେଶର ଭକ୍ତ ଚାହିଁ ବସିଛନ୍ତି। ଏପରି ବିଶ୍ବସ୍ତରର ଉତ୍ସବକୁ ବନ୍ଦ କରାଯିବା ଉଚିତ ନୁହେଁ। ପୂର୍ବ ନିର୍ଦ୍ଧାରିତ ଜୁନ୍ ୨୩ରେ ରଥଯାତ୍ରା ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଉ। ଯଦି କଟକଣା ନ ଉଠେ ତେବେ ରଥଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବକ, ପୁଲିସ ଅଧିକାରୀଙ୍କ କରୋନା ଭୂତାଣୁ ପରୀକ୍ଷା କରି ସେମାନଙ୍କୁ ଏଥିରେ ଅଂଶ ଗ୍ରହଣ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ଏହି ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, କେନ୍ଦ୍ର ସରକାର ଓ ଦେବୋତ୍ତର କମିସନରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର