ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ବନ୍ଦ ସମ୍ପର୍କିତ ମାମଲାକୁ ଖାରଜ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

କଟକ: ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ବନ୍ଦ କରିବାକୁ ହାଇକୋର୍ଟରେ ଯେଉଁ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା, ତାକୁ  ଓଡ଼ିଶା ଉଚ୍ଚ ନ୍ୟ‌ାୟାଳୟ ଖାରଜ କରିଛନ୍ତି। ଫଳରେ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ ମ୍ୟାଚ୍ ଆୟୋଜନକୁ ନେଇ ଦ୍ଵନ୍ଦ୍ବ ଦୂର ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାରବାଟୀ ଷ୍ଟାଡିୟମର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ନାହିଁ, ତେଣୁ ଦର୍ଶକଙ୍କ ସୁରକ୍ଷା ପାଇଁ ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ମ୍ୟାଚରେ ଦର୍ଶକଙ୍କୁ ଗ୍ୟାଲେରିକୁ ଅନୁମତି ନଦେବାକୁ ମାନବାଧିକାର କର୍ମୀ ସ˚ଜୟ କୁମାର ନାଏକ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏପରିକି ଏହି ଦୁଇ ପ୍ରମାଣପତ୍ର ନମିଳିବା ପର୍ଯ୍ୟନ୍ତ ବାରବାଟୀରେ କୌଣସି ଆନ୍ତର୍ଜାତିକ ମ୍ୟାଚ ନକରିବାକୁ ଓଡ଼ିଶା କ୍ରିକେଟ ସ˚ଘ ଓ ଓଡ଼ିଶା ଅଲିମ୍ପିକ ସ˚ଘକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ।


ମାମଲାର ବିବରଣୀ ଅନୁଯାୟୀ, ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ରାଜ୍ୟ ସରକାର ପୂର୍ଣ୍ଣ କ୍ଷମତାରେ ଦର୍ଶକଙ୍କୁ ଖେଳ ଉପଭୋଗ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଯାହାଫଳରେ ପାଖାପାଖି ୪୫ ହଜାର ଦର୍ଶକ, ଭିଆଇପି, ଭିଭିଆଇପି ମ୍ୟାଚ ସମୟରେ ଉପସ୍ଥିତ ରହିବେ। କିନ୍ତୁ ପୁରୁଣା ଢାଞ୍ଚାରେ ଗ୍ୟାଲେରିଗୁଡ଼ିକ ନିର୍ମାଣ ହୋଇଥିବାରୁ ଯେକୌଣସି ସମୟରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଏଠାରେ ଧନଜୀବନ ପ୍ରତି ବିପଦ ରହିଛି। ତେଣୁ ବିଶେଷଜ୍ଞଙ୍କ ଯାଞ୍ଚ ପରେ ନିୟମ ଅନୁସାରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ କରିବା ନିହାତି ଜରୁରି। କିନ୍ତୁ ଓଡ଼ିଶା କ୍ରିକେଟ ସ˚ଘ ଓ ଓଡ଼ିଶା ଅଲିମ୍ପିକ ସ˚ଘ ଦୀର୍ଘ ଦିନଧରି ଏହା ପୂରଣ କରିପାରୁନାହିଁ। ଏହାରି ଉପରେ ପୂର୍ବରୁ ଓଡ଼ିଶା ମାନବାଧିକାର କମିସନଙ୍କ ନିକଟରେ ଦୁଇଟି ମାମଲା ରୁଜୁ ହୋଇଥିଲାବେଳେ ୧୨ ତାରିଖ ଆନ୍ତର୍ଜାତିକ ମ୍ୟାଚ ବେଳକୁ ସମସ୍ତ ପ୍ରକାରର ସୁରକ୍ଷା ଜନିତ ପଦକ୍ଷେପ ନେବାକୁ କମିସନ ଓସିଏ ଓ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ତାରିଖକୁ ଧାର୍ଯ୍ୟ ହୋଇଛି। ତେଣୁ ବିନା ନିରାପତ୍ତା ପ୍ରମାଣପତ୍ରରେ ମ୍ୟାଚ ଆୟୋଜନ ହେବାକୁ ଯାଉଥିବାରୁ ଏହା ଉପରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ଆବେଦନକାରୀ ଅନୁରୋଧ କରିଥିଲେ। ମାମଲାରେ ରାଜ୍ୟ ସରକାର, ଅଗ୍ନିଶମ ଡିଜି, ପୁଲିସ କମିସନର, ଓସିଏ, ବିସିସିଆଇ, ଓଡ଼ିଶା ଓଲିମ୍ପିକ ଆସୋସିଏସନ୍‌ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର