ସୁପ୍ରିମକୋର୍ଟରେ ଆଇନଜୀବୀ ଆନ୍ଦୋଳନ ମାମଲା : ହୋଇପାରେ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଓ ହାଇକୋର୍ଟ ବାର୍ ସଭାପତିଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ

ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ଏବେ ଅପହଞ୍ଚ
କେତେ ସଂଖ୍ୟକ କାର୍ଯ୍ୟ ଦିବସ କୋର୍ଟ ବର୍ଜନ ଯୋଗୁଁ ନଷ୍ଟ ହୋଇଛି ଜଣାଅ
ଶିବଶଙ୍କର ମିଶ୍ରଙ୍କ ନିଲମ୍ବନ ଉପରେ ରହିତାଦେଶ

କଟକ/ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ହାଜର ହେବେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଓ ହାଇକୋର୍ଟ ବାର୍ ଆସୋସିଏସନର ସଭାପତି। ଉଭୟଙ୍କୁ ଆଜି ସୁପ୍ରି‌ମକୋର୍ଟ ନୋଟିସ୍ ଜାରି କରିଛନ୍ତି। ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସେମାନେ ହାଜର ହୋଇ ସୁପ୍ରିମକୋର୍ଟରେ ପକ୍ଷ ରଖିବେ। ଆଜି ଆଇନଜୀବୀଙ୍କ ଆନ୍ଦୋଳନ ସଂପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେବା ସହିତ ବାର୍ କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ଅନ୍ୟପଟେ ସୁପ୍ରିମକୋର୍ଟରେ ହାଇକୋର୍ଟର ମାମଲା ପରିଚାଳନା ସ୍ଥିତି ସଂପର୍କରେ ଭୁଲ ତଥ୍ୟ ରଖିଥିବା ଅଭିଯୋଗରେ ଆଡଭୋକେଟ ଶିବଶଙ୍କର ମିଶ୍ରଙ୍କୁ ହାଇକୋର୍ଟ ବାର୍‌ରୁ ନିଲମ୍ବନ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଆଜି ସୁପ୍ରିମକୋର୍ଟର ଜଷ୍ଟିସ ଏସ.କେ. କଉଲ ଓ ଜଷ୍ଟିସ କେ.ଏମ.ଯୋଶେଫଙ୍କୁ ନେଇ ଖଣ୍ଡପୀଠ ମାମଲାର ଶୁଣାଣି କରି ଆଇନଜୀବୀଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ଏବେ ଅପହଞ୍ଚ ବୋଲି ମତ ରଖିବା ସହ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପରୋକ୍ଷ ଚେତାବନୀ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ‌ନଭେମ୍ବର ୮ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ରାୟରେ ୨୦୧୮-୧୯ ବର୍ଷରେ ହାଇକୋର୍ଟ ଓ ରାଜ୍ୟର ପ୍ରତି ଜିଲ୍ଲା ଅଦାଲତରେ କେତେ ସଂଖ୍ୟାର କାର୍ଯ୍ୟ ଦିବସ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ନଷ୍ଟ ହୋଇଛି, ସେ ନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବଧି ମଧ୍ୟରେ କେଉଁ କାରଣରୁ ଆଇନଜୀବୀଙ୍କ ଆନ୍ଦୋଳନ ଓ କୋର୍ଟ ବର୍ଜନ ହୋଇଛି ସେ ନେଇ ସତ୍ୟପାଠରେ ଉଲ୍ଲେଖ ରହିବ। ଏଥିରୁ ଏହି ପ୍ରସଂଗର ଏକ ସ୍ପଷ୍ଟ ଚିତ୍ର ମିଳି ପାରିବ ବୋଲି ଖଣ୍ଡପୀଠ କହିବା ସହିତ ଏ ସଂପର୍କିତ ସତ୍ୟପାଠ ନଭେମ୍ବର ୬ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା ଯେ ହାଇକୋର୍ଟ ଓ ନିର୍ଦ୍ଦିଷ୍ଟ ଭାବେ ସବୁ ଜିଲ୍ଲା ଅଦାଲତରେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି। ତେଣୁ ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ଅପହଞ୍ଚ ହୋଇ ଯାଇଛି ବୋଲି ଖଣ୍ଡପୀଠ ମତ ଦେଇଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ହାଇକୋର୍ଟ ତଥା ଜିଲ୍ଲା ଅଦାଲତ ଗୁଡିକରେ ମାମଲା ପରିଚାଳନା ପାଇଁ ଆଗ୍ରହୀ ଆଇନଜୀବୀ ଓ ମହକିଲଙ୍କ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇ ପାରିବ। ଫଳରେ ଆଇନଜୀବୀ ଓ ମହକିଲ କୋର୍ଟ ଯାଇ ମାମଲା ଲଢି ପାରିବେ। ଏ ସଂପର୍କରେ ଖଣ୍ଡପୀଠ କହିଥିଲେ ଯେ ଯେଉଁ ମାମଲାରେ ଆଇନଜୀବୀ ସହଯୋଗ କରିବେ ନାହିଁ, ସେହି ମାମଲା ଗୁଡିକର ଶୁଣାଣିରେ କୋର୍ଟ ନିଜ ଦକ୍ଷତା ତଥା ଦାୟିତ୍ବ ଅନୁସାରେ ସେମାନଙ୍କ ନି‌ଷ୍ପତ୍ତି ନେବେ।

ନିର୍ଦ୍ଦିଷ୍ଟ ପ୍ରସଂଗକୁ ନେଇ ଆଇନଜୀବୀଙ୍କ ଆନ୍ଦୋଳନ ଆରମ୍ଭ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଆଉ କେତେକ ପ୍ରସଂଗ ଏଥି ସହିତ ଯୋଡି ହୋଇ ଯାଉଛି ବୋଲି ଆଜିର ଶୁଣାଣି ବେଳେ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା। କିନ୍ତୁ କଲେଜିୟମ କେତେକ ପ୍ରାର୍ଥୀଙ୍କ ନାଁ ଅନୁମୋଦନ କରିବା ଅଥବା ନ କରିବା କାରଣକୁ ନେଇ ଆଇନଜୀବୀ କୋର୍ଟ ବର୍ଜନ କରିବା ହୁଏତ ପ୍ରମୁଖ କାରଣ ହୋଇ ନପାରେ ବୋଲି ଖଣ୍ଡପୀଠ କହିଥିଲେ। ଏଥି ସହିତ ଖଣ୍ଡପୀଠ କହିଥିଲେ ଯେ ସୁପ୍ରିମକୋର୍ଟ ଆଇନଜୀବୀ ଆନ୍ଦୋଳନ ପ୍ରସଂଗରେ ହରିଶ ଉପଲ ବନାମ କେନ୍ଦ୍ର ସରକାର ମାମଲା ସହିତ ଅନ୍ୟ କେତେକ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ରହିଛି। କୌଣସି ଉଚିତ କାରଣ ନଥାଇ ଆଇନଜୀବୀ କରୁଥିବା ଆନ୍ଦୋଳନ ଯୋଗୁଁ ବହୁ କାର୍ଯ୍ୟ ଦିବସ ନଷ୍ଟ ହେଉଛି ବୋଲି ଲ’ କମିସନଙ୍କ ମଧ୍ୟ ମତ ରହିଛି। କାର୍ଯ୍ୟବନ୍ଦ ବା ଆନ୍ଦୋଳନ ପାଇଁ ପ୍ରସ୍ତାବ ଗ୍ରହଣ କରୁଥିବା ବାର୍ ଆସୋସିଏସନ ଓ ବାର କାଉନସିଲ କର୍ମକର୍ତ୍ତାଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ରାୟରେ ପୂର୍ବରୁ ଉଲ୍ଲେଖ ହୋଇଥିବା ବେଳେ ଏହି ପ୍ରସଂଗକୁ ଯେ କୌଣସି ସମୟରେ ବିଚାରକୁ ନିଆଯାଇ ପାରିବ। ଖଣ୍ଡପୀଠ କହିଥିଲେ ଯେ ଆନ୍ଦୋଳନକାରୀ ଆଇନଜୀବୀଙ୍କ ଆଚରଣ ଅଦାଲତ ଅବମାନନା କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଆଇନଜୀବୀଙ୍କ ବିରୋଧରେ କଣ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ରହିଛି ସେ ନେଇ ବାର କାଉନସିଲ ଅଫ ଇଣ୍ଡିଆ ଅବଗତ କରିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରି କୋର୍ଟଙ୍କୁ ସହଯୋଗ କରିବା ପାଇଁ କହିଛନ୍ତି। ଏଥି ସହିତ ପରବର୍ତ୍ତୀ ଶୁଣାଣି ସମୟରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଓ ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ସଂସ୍ଥା ପିଏଲଆର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ ପ୍ରସଂଗରେ ଖଣ୍ଡପୀଠ ଶୁଣାଣି କରି ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ପାଇଁ ହାଇକୋର୍ଟରେ ହାଜର ହେବା ପୂର୍ବରୁ ପକ୍ଷ ନିଜେ ଅଥବା ତାଙ୍କ ଆଇନଜୀବୀ ରେଜିଷ୍ଟ୍ରାରଙ୍କୁ ଅବଗତ କରିବେ। ରେଜିଷ୍ଟ୍ରାର ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବେ। ରାଜ୍ୟ ପୁଲିସ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଖଣ୍ଡପୀଠ ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ପ୍ରସଂଗରେ କୌଣସି ନି‌ର୍ଦ୍ଦେଶନାମା ଜାରି କରିନଥିବା ଜଣା ପଡିଛି।

ଆଜି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର ଦର୍ଶାଇଥିଲେ ଯେ ତାଙ୍କ ବିରୋଧରେ କେତେକ ପ୍ରସ୍ତାବ ହାଇକୋର୍ଟ ବାର୍ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଅର୍ଡିନେସନ କମିଟିରେ ନିଆଯାଇଛି। ତାଙ୍କୁ ବାରରୁ ନିଲମ୍ବନ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ଆଇନଜୀବୀ ପରିଷଦକୁ ଚିଠି କରାଯାଇଛି। ଏଥି ସହିତ ରାଜ୍ୟ ସରକାରଙ୍କ ପ୍ୟାନେଲରୁ ବହିଷ୍କାର ପାଇଁ ଚିଠି ଲେଖିବାକୁ ଓ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହା ଉପରେ ମତ ରଖି ଖଣ୍ଡପୀଠ କହିଥିଲେ ଯେ ଏପରି କରାଯିବା ସୁପ୍ରିମକୋର୍ଟଙ୍କ ପ୍ରୋସିଡିଂରେ ହସ୍ତକ୍ଷେପ। ତେଣୁ ବାର୍ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ଖଣ୍ଡପୀଠ ରହିତାଦେଶ ଜାରି କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଆଇନଜୀବୀ ଆନ୍ଦୋଳନ ପ୍ରସଂଗରେ ଶୁଣାଣି ସମୟରେ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଦାଖଲ କରିଥିବା ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ହାଇକୋର୍ଟ କାର୍ଯ୍ୟ ଚାଲିବାରେ କୌଣସି ଅସୁବିଧା ନାହିଁ ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ହାଇକୋର୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦର୍ଶାଇଥିଲେ ଯେ କୋର୍ଟ କାର୍ଯ୍ୟ ଚାଲିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି ଓ ଅପ୍ରୀତିକର ପରିସ୍ଥିତି ଯୋଗୁଁ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ହାଇକୋର୍ଟରେ ଶୁଣାଣି ଘୁଞ୍ଚିଛି। ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ସୁପ୍ରି‌ମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ।

ସମ୍ବନ୍ଧିତ ଖବର