ଓଡ଼ିଶାକୁ ଆଖଉଛି ସମ୍ଭାବ୍ୟ ବାତ୍ୟା: ପୁରୀ-ଶ୍ରୀକାକୁଲମ୍‌ ମଧ୍ୟରେ ମାଡ଼ ହୋଇପାରେ

ମେ’ରେ ବାତ୍ୟା ସମ୍ଭ‌ାବନାକୁ ଏଡ଼ାଯାଇନପାରେ: ଆଇଏମ୍‌ଡି ଡିଜି

ଭୁବନେଶ୍ବର: ଦିନକୁ ଦିନ ବଙ୍ଗୋପସାଗରରେ ବାତ୍ୟା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢ଼ିଲାଣି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ବାତ୍ୟା ନେଇ ଏବେଯାଏ କୌଣସି ସ୍ପଷ୍ଟ ଚିତ୍ର ସାମ୍‌ନାକୁ ଆସିନାହିଁ। ମାତ୍ର ଆଇଏମ୍‌ଡି ମହାନିର୍ଦ୍ଦେଶକ(ଡିଜି) ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ସମ୍ଭାବ୍ୟ ବାତ୍ୟା ଚର୍ଚ୍ଚାକୁ ବଳ ଦେଇଛି। ମେ’ ରେ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଜି ଆଇଏମ୍‌ଡି ଡିଜି କହିଛନ୍ତି। ଅନ୍ୟପଟେ ପୁରୀରୁ ଶ୍ରୀକାକୁଲମ୍‌ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ୬ ତାରିଖରେ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ପରେ ଏସବୁ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ଆସିବ ବୋଲି ସମସ୍ତ ମଡେଲ ପକ୍ଷରୁ କୁହାଯାଉଛି।

ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ମେ’ ମାସରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହାର ତୀବ୍ରତା ଅଧିକ ରହିବାର ସମ୍ଭାବନା ଥାଏ। ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ମେ’ ୬ ତାରିଖ‌ ପାଖାପାଖି ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ‌ହେବ। ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ଆକଳନ ଜାରି ରହିଛି। ଏହା କେତେ ଘନୀଭୂତ ହେବ, ଏହାର ତୀବ୍ରତା କ’ଣ ରହିବ ତଥା ଏହା କେଉଁ ଉପକୂଳକୁ ଯିବ ଏନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ଚିତ୍ର ନାହିଁ। ଲଘୁଚାପ ସୃଷ୍ଟି ପରେ ହିଁ ଏହାର ଗତିପଥ ଓ ତୀବ୍ରତାକୁ ନେଇ ସଠିକ୍‌ କିଛି କହି ହେବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ବାତ୍ୟା ସମ୍ଭାବନାକୁ ବି ସେ ପରୋକ୍ଷ ଭାବେ ଇଙ୍ଗିତ କରିଛନ୍ତି।

ପା‌ଣିପାଗ ବିଶେଷଜ୍ଞ ଡ. ପଶୁପାଳକ କିନ୍ତୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶାମୁହାଁ ହେବ ବୋଲି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ୬ ତାରିଖ ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ମୁହାଁଇବାର ସମ୍ଭାବନା ରହିଛି। ପାରାଦୀପରୁ ଶ୍ରୀକାକୁଲମ୍‌ ବା ଶ୍ରୀକାକୁଲମ୍‌ରୁ ମଛଲିପାଟଣା ଭିତରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବା ଡ. ପଶୁପାଳକ କହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧ‌ା ଏହାର ସମ୍ଭାବନା ୫୦% ବୋଲି ସେ କହିଛନ୍ତି। ସେ କହିଛନ୍ତି, ମେ’ ୫ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ, ୬ ତାରିଖରେ ଅବପାତ, ୭ ତାରିଖରେ ବାତ୍ୟା ଓ ୮ ତାରିଖରେ ହୁଏତ ଭୀଷଣ ବାତ୍ୟା ହେବାର ପୂର୍ବ ଆକଳନ ବଜାୟ ରହିଛି। ଆସନ୍ତା ୫ ଦିନ ଭିତରେ ଓଡ଼ିଶା ଉପକୂଳର ତାପମାତ୍ରା ଓ ବାୟୁଚାପ ଆଦିରେ ପରିବର୍ତ୍ତନ, ବାତ୍ୟାର ଗତିପଥକୁ ପ୍ରଭାବିତ କରିବ। ପୂର୍ବ ବର୍ଷମାନଙ୍କର ତଥ୍ୟକୁ ସମୀକ୍ଷା କଲେ ଜଣାପଡ଼ୁଛି, ବାତ୍ୟାଟି ପୁରୀଠାରୁ ଶ୍ରୀକାକୁଲମ୍‌ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁଲେ ମଧ୍ୟ ୮ ତାରିଖ ସଂଧ୍ୟା ପରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ୩୬ ଘଣ୍ଟା ଉପକୂଳରେ ଓ ସଂଲଗ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ଓଡ଼ିଶା ଉପକୂଳ ବା ସଂଲଗ୍ନ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁଲେ ଉଭୟ ପବନ ଓ ବର୍ଷା ହେବ। ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ବର୍ତ୍ତମାନ କମିଯାଇଛି। ତେବେ ଲଘୁଚାପ ସୃଷ୍ଟି ପରେ ବାତ୍ୟାର ଗତିପଥ ନେଇ ଅଧିକ ସଠିକ୍‌ ଆକଳନ କରିହେବ ବୋଲି ସେ କହିଛନ୍ତି। ଅପରପକ୍ଷରେ ମେ’ ମାସରେ ପାଣିପାଗର ସ୍ଥିତିକୁ ନେଇ ପୂର୍ବାନୁମାନ କରିଛି ଆଇଏମ୍‌ଡି। ଚଳିତ ମେ’ରେ ଖରାର ପକୋପ ଅପେକ୍ଷାକୃତ କମ୍‌ ରହିବ। ମେ’ ମାସରେ ରାଜ୍ୟରେ ଅଧିକ କାଳବୈଶାଖୀ ସମ୍ଭାବନା ରହିଛି। ଏଣୁ କାଳବୈଶାଖୀ ‌ଯୋଗୁଁ ମେ’ ମାସରେ ସ୍ବାଭାବିକ ଭାବେ ଯେତିକି ବର୍ଷା ହେବା କଥା ତା’ଠାରୁ ଅଧିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ରାଜ୍ୟରେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। ଫଳରେ ଏପ୍ରିଲ ଭଳି ମେ’ ରାଜ୍ୟବାସୀଙ୍କୁ ହସ୍ତସନ୍ତ କରିବ ନାହିଁ।

ସମ୍ବନ୍ଧିତ ଖବର