ଦେଶର ୧୦ଟି ସର୍ବାଧିକ ଚିକିତ୍ସାଧୀନ କରୋନା ରୋଗୀ ରହିଥିବା ରାଜ୍ୟ ତାଲିକାରେ ଓଡ଼ିଶା

ଦିନକରେ ୧୦,୩୬୮ ପଜିଟିଭ୍, ୭ ମୃତ

ଭୁବନେଶ୍ବର : ଦେଶର ୧୦ଟି ସର୍ବାଧିକ ଚିକିତ୍ସାଧୀନ ରୋଗୀ ରହିଥିବା ରାଜ୍ୟ ତାଲିକାରେ ଓଡ଼ିଶା ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ଚିକିତ୍ସାଧୀନ ରୋଗୀ ରହିଥିବା ବେଳେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି। ରାଜ୍ୟରେ ଲଗାତାର ଭାବେ ପଜିଟିଭ୍‌ଙ୍କ ସଂଖ୍ୟା ୧୧ହଜାର ଉପରେ ରହିଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ୭୯,୮୭୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ତହିଁରୁ କେବଳ ୩୭ପ୍ରତିଶତ ଆକ୍ରାନ୍ତ ଖୋର୍ଧା ଜିଲ୍ଲାରେ ଅଛନ୍ତି।

ଗତ କିଛି ଦିନ ଧରି ରାଜ୍ୟରେ ନମୁନା ପରୀକ୍ଷା ହ୍ରାସ ପାଇଥିଲା ବେଳେ କେନ୍ଦ୍ର ସରକାରଙ୍କ ତାଗିଦ୍ ପରେ ନମୁନା ପରୀକ୍ଷା‌ରେ ବୃଦ୍ଧି ହୋଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୪,୨୩୪ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୦,୩୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟେଷ୍ଟ ପଜିଟିଭ୍ ରେଟ୍‌ ବା ସଂକ୍ରମଣ ହାର ୧୩.୯୭କୁ ଖସି ଆସିଛି। ପୂର୍ବରୁ ଏହା ୧୭ ପ୍ରତିଶତରେ ପହଞ୍ଚିଥିଲା। ହେଲେ ଖୋର୍ଧା ଓ ସୁନ୍ଦରଗଡ଼ରେ ସଂକ୍ରମଣ ହାର କମୁନାହିଁ। ଦୁଇ ଜିଲ୍ଲାରେ ସଂକ୍ରମଣ ହାର ଯଥାକ୍ରମେ ୩୧ ଓ ୩୨ ପ୍ରତିଶତ ରହିଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ଆପାତତଃ ସ୍ଥିର ରହିଛି। ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା, ତାହା କମିଛି ଓ କେସ୍ ଡବଲିଂ ମଧ୍ୟ କମିଛି।

ରାଜ୍ୟରେ ଏବେ ପ୍ରାୟ ୮୦ ହଜାର ଚିକିତ୍ସାଧୀନ ରୋଗୀ ରହିଥିଲେ ହେଁ ୧୨୩୦ଜଣ ହସ୍ପିଟାଲରେ ଅଛନ୍ତି, ଯାହାକି ଆମ ସମସ୍ତଙ୍କ ପାଇଁ ଆଶ୍ବାସନାର ବିଷୟ। ଏ ପର୍ଯ୍ୟନ୍ତ ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ପଡ଼ିନାହିଁ। ଆଇସିୟୁରେ ମଧ୍ୟ କମ୍ ‌ରୋଗୀ ଅଛନ୍ତି ଓ ଅକ୍ସିଜେନ୍‌ର ଆବଶ୍ୟକତା ନ ଥିବାରୁ ସାମଗ୍ରିକ ଭାବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସୁନ୍ଦରଗଡ଼, ଖୋର୍ଧା, କଟକ ଓ ସମ୍ବଲପୁରରେ ସଂକ୍ରମଣ ଅଧିକ ରହିଛି। ସ୍ଥାନୀୟ ପ୍ରଶାସନ, ସ୍ବାସ୍ଥ୍ୟ ଟିମ୍‌କୁ ସର୍ଭେଲାନ୍‌ସ ବଢ଼ାଇବାକୁ କୁହାଯାଇଛି। ଡା. ମିଶ୍ର କହିଛନ୍ତି ଯେ ଓମିସିଓର କିଟ୍‌ ଏକ ସାମ୍ପୁଲ ଷ୍ଟଡି।

ଆଇସିଏମ୍‌ଆର ମଧ୍ୟ ଜଣେ ବ୍ୟକ୍ତି ଓମିକ୍ରନ୍ ଆକ୍ରାନ୍ତ ଥିବା ଜଣାପଡ଼ିଲେ ଚିକିତ୍ସା ପଦ୍ଧତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି। ତେଣୁ ଓମିକ୍ରନ୍ ଆକ୍ରାନ୍ତଙ୍କ କ୍ଷେତ୍ରରେ ଚିକିତ୍ସା ପଦ୍ଧତି ସମାନ ରହିଛି। ଏହା କେବଳ ମହାମାରୀର ଅଧ୍ୟୟନ ପାଇଁ ବ୍ୟବହାର କରାଯାଉଥିବା ‌ସେ ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଉ ୭ଜଣ କରୋନାରେ ପ୍ରାଣ ହରାଇଥିବା ଘୋଷଣା କରାଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଧାରେ ସର୍ବାଧିକ ୫ଜଣ ଥିବା ବେଳେ ସମ୍ବଲପୁର ଓ ଗଞ୍ଜାମରୁ ଜଣେ ଲେଖାଏଁ ରହିଛନ୍ତି। ମୋଟ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ଖୋର୍ଧା ଜିଲ୍ଲାରୁ ୩୦୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ସୁନ୍ଦରଗଡ଼ ୧୫୦୫, କଟକ ୯୪୦, ବାଲେଶ୍ବର ୩୦୪, ବଲାଙ୍ଗୀର ୨୫୩, ସମ୍ବଲପୁର ୨୪୭, ଯାଜପୁର ୨୯୦, ରାୟଗଡ଼ା ୨୦୮, କୋରାପୁଟ ୨୦୨, ସୁବର୍ଣ୍ଣପୁର ୧୮୦, ନୂଆପଡ଼ା ୧୯୬ ଓ ଷ୍ଟେଟ୍‌ ପୁଲରୁ ୬୬୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ଲକ୍ଷ ୭୭ହଜାର ୪୬୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୮୪୭୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା୧୦ଲକ୍ଷ ୮୯ହଜାର ୩୩ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।

ସମ୍ବନ୍ଧିତ ଖବର