ବିଶ୍ବରେ ଓଡ଼ିଶା ଷଷ୍ଠ ସାମୁଦ୍ରିକ ବାତ୍ୟା ପ୍ରବଣ ରାଜ୍ୟ: ୬ ଜିଲ୍ଲାରେ ନିର୍ମାଣ ହୋଇଛି ୧୬୩୬ ଲୁଣାଘେରି

ଭୁବନେଶ୍ବର : ବିଶ୍ବରେ ଓଡ଼ିଶା ଷଷ୍ଠ ସାମୁଦ୍ରିକ ବାତ୍ୟା ପ୍ରବଣ ରାଜ୍ୟ। ଦେଶରେ ସମୁଦାୟ ଉପକୂଳର ପ୍ରାୟ ୧୭ ପ୍ରତିଶତ ଓଡ଼ିଶାରେ ଥିଲେ ହେଁ, ରାଜ୍ୟ କିନ୍ତୁ ୩୫ ପ୍ରତିଶତ ବାତ୍ୟା ଓ ଜୁଆରର ସମ୍ମୁଖୀନ ହେଉଛି। ଗତ ୧୦ବର୍ଷରେ ୭ଟି ପ୍ରବଳରୁ ଅତି ପ୍ରବଳ ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିଛି। ଏସବୁ ବାତ୍ୟା ସମୟରେ ପ୍ରାୟ ୩.୫ ମିଟରରୁ ୪.୫ ମିଟର ସାମୁଦ୍ରିକ ଜୁଆର ଆସିଛି। ବହୁ ଅଞ୍ଚଳରେ ଲୁଣାପାଣି ମାଡ଼ି ଯାଇଛି। ବାତ୍ୟାର ତୀବ୍ରତା ଓ ସଂଖ୍ୟା ଦୃଷ୍ଟିରୁ ଭବିଷ୍ୟତ ପାଇଁ ଲୁଣା ଓ ବନ୍ୟାଘେରି ଗୁଡ଼ିକର ଉଚ୍ଚତା ବଢ଼ାଇବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ ପ୍ରକଳ୍ପ ପ୍ରସ୍ତୁତ କରିବା ଲାଗି ଜଳ ସଂପଦ ବିଭାଗକୁ ନିର୍ଦେଶ ଦିଆଯାଇଛି।

ପରିବର୍ତିତ ଜଳବାୟୁ ପରିପ୍ରେକ୍ଷୀରେ ସାମୁଦ୍ରିକ ବାତ୍ୟା ଓ ଜୁଆରର ପୁନଃ ପୌନିକତା ଓ ତୀବ୍ରତା ସମ୍ବନ୍ଧରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ସମ୍ଭାବ୍ୟ ଉଚ୍ଚ ସାମୁଦ୍ରିକ ଜୁଆର, ଉପକୂଳ କ୍ଷୟ, ଚାଷକ୍ଷେତ, ଜନବସତିକୁ ଲୁଣା ଜୁଆର ପ୍ରବେଶ ଓ ଏହାର ମୁକାବିଲା ପାଇଁ ରାଜ୍ୟରେ ଥିବା ଭିତ୍ତିଭୂମି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ।

ସାମ୍ପ୍ରତିକ ସ୍ଥିତିର ଅନୁଧ୍ୟାନ କରି ସମୁଦୟ ଜୁଆର ପଶି ଆସିବା ସମ୍ଭାବନା ଥିବା ସମ୍ବେଦନଶୀଳନ ସ୍ଥାନ ଚିହ୍ନଟ ଅତ୍ୟନ୍ତ ଜରୁରୀ। ତେଣୁ ଏହାର ମୁକାବିଲା ପାଇଁ ଲୁଣାଘେରି ପ୍ରକଳ୍ପ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ସମୁଦ୍ର ଉପକୂଳର ମୃର୍ତିକା ସଂରଚନା ଓ ଭୂତାତ୍ବିକ ଅନୁଶୀଳନ କରି କେଉଁ ସ୍ଥାନରେ ବୈଷୟିକ କୌଶଳ ପ୍ରୟୋଗ ଫଳପ୍ରଦ ହେବ ତାହା ନିର୍ଣ୍ଣୟ କରିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଥିଲେ। ରାଜ୍ୟର ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ଗତବର୍ଷ ମାନଙ୍କରେ ରାଜ୍ୟରେ ପ୍ରାୟ ୧୬୩୬ କିମି ଲୁଣାଘେରି ଓ ୫୮୬୪ କିମି ବନ୍ୟାଘେରି ବନ୍ଧ ନିର୍ମାଣ ହୋଇଛି। ବୈଠକରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିସନର କମଳ ଲୋଚନ ମିଶ୍ରଙ୍କ ସମେତ ଜଳସଂପଦ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରମୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର