କରୋନା ଭାଇରସ୍‌ଟା ମତେ ଧୋକା ଦଉଛି…! ୭ମାସରେ ୧୦୪ ନମ୍ବରକୁ ଆସିଛି ୧୭% ଫେକ୍ କଲ୍

ହେଲ୍‌ପ ଲାଇନ୍‌କୁ ଫୋନ୍ କରି ଅଯଥାରେ ନମ୍ବର ବ୍ୟସ୍ତ ରଖୁଛନ୍ତି

ଭୁବନେଶ୍ବର : ନମସ୍କାର ୧୦୪ ହେଲ୍‌ପ ଲାଇନ୍ ସେବା… ମୁଁ କ’ଣ କରିବି କରୋନା ଭାଇରାସଟା ମତେ ଧୋକା‌ ଦେଉଛି… କ’ଣ କହୁଛନ୍ତି.. ମୁଁ କ’ଣ କରିବି କରୋନା ଭାଇରସଟା ମତେ ଧୋକା ଦେଉଛି… ଆପଣଙ୍କ ନାଁ କ’ଣ ? ମୋ ନା ସଂଧ୍ୟାରାଣୀ… କେଉଁଠୁ କହୁଛନ୍ତି…

ମିଲନ୍ ଅବ ଆଧା ଅଧୁରା ‌‌ହୈ.. ମିଲନ ଅବ ଆଧା ଅଧୁରା ‌ହୈ… ଏମର୍ଜେନ୍ସି ନମ୍ବରକୁ ଏଭଳି ବ୍ୟସ୍ତ ରଖନ୍ତୁନି… ଏମିତି ଅନେକ ମଜାଦାର ଫେକ୍ କଲ୍‌ କରୋନା ପାଇଁ ଉଦ୍ଦିଷ୍ଟ ୧୦୪ ହେଲ୍‌ପ ଲାଇନ୍ ନମ୍ବରକୁ ଆସୁଛି। ଗତବର୍ଷଠାରୁ ଏହି ନମ୍ବରରେ କରୋନା ସେବା ଆରମ୍ଭ ହୋଇଥିବା ବେଳେ ହେଲ୍‌ପ ଲାଇନ୍‌କୁ ଜାରି ରହିଛି ଫେକ୍ କଲ୍‌। ଚଳିତବର୍ଷ ଜାନୁଆରିରୁ ଜୁଲାଇ ଭିତରେ ୧୦୪ ନମ୍ବରକୁ ଯେତିକି କଲ୍ ଆସିଛି ତାହାର ୧୭ ପ୍ରତିଶତ ହେଉଛି ଫେକ୍ କଲ୍। କିଛି ଅସାମାଜିକ ବ୍ୟକ୍ତିଙ୍କ ଏଭଳି କାର୍ଯ୍ୟ ଯୋଗୁଁ ହେଲ୍‌ପ ଲାଇନ୍ ନମ୍ବର ସେବା ବାଧାପ୍ରାପ୍ତ ହେଉଛି।

କୋଭିଡ୍‌ ସଂପର୍କିତ କୌଣସି ସୂଚନା ପାଇଁ ୧୦୪ ହେଲ୍‌ପଲାଇନ ନମ୍ବର ଜାରି କରାଯାଇଛି। ଟେଷ୍ଟିଂ, ରିପୋର୍ଟିଂ, ଡାକ୍ତରଖାନା ସଂପର୍କିତ ସୂଚନା ତଥା ଆବଶ୍ୟକ ସମୟରେ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଏହି ନମ୍ବର କାର୍ଯ୍ୟ କରୁଛି। ହେଲେ କିଛି ଅସାମାଜିକ ବ୍ୟକ୍ତି ଏହି ନମ୍ବରକୁ ଏକ ଟାଇମପାସ୍ ନମ୍ବର ଭାବେ ଭାବୁଛନ୍ତି। ‌ହେଲ୍‌ପ ଲାଇନ୍‌ ନମ୍ବରର ଅଫିସରେ କାର୍ଯ୍ୟ କରୁଥିବା ଝିଅଙ୍କୁ ପ୍ରେମ ନିବେଦନ କରିବା ସହିତ କର୍ମଚାରୀଙ୍କ ସହିତ ଥଟ୍ଟାମଜା କରୁଛନ୍ତି। ଏପରିକି ଛୋଟ ଶିଶୁ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି। ପିଲାମ‌ାନେ ହେଲ୍‌ପ ଲାଇନ୍‌ ନମ୍ବରକୁ ଫୋନ୍ କରି ଗୀତ ଗାଉଛନ୍ତି। ଜଣେ ଜଣେ ବ୍ୟକ୍ତି ୪ଶହରୁ ୫ଶହ ଥର କଲ୍‌ କରିଥିବା ଜଣାପଡ଼ିଛି। ଅସାମାଜିକ ବ୍ୟକ୍ତିଙ୍କ ଏଭଳି କଲ୍‌ ଯୋଗୁଁ ଅଯଥାରେ ହେଲ୍‌ପ ଲାଇନ ନମ୍ବର ବ୍ୟସ୍ତ ରହୁଛି। ଫଳରେ ପ୍ରକୃତରେ ଜରୁରୀ ସେବା ପାଇବାକୁ ଚାହୁଁଥିବା ବ୍ୟକ୍ତି ଏଥିରୁ ବଞ୍ଚିତ ହେଉଛନ୍ତି। ଗତ ଜାନୁଆରିରୁ ଜୁଲାଇ ମାସ ଭିତରେ ୧୦୪ ହେଲ୍‌ପ ଲାଇନ୍‌କୁ ସମୁଦାୟ ୮୬,୩୫,୧୫ କଲ୍‌ ଆସିଛି। ତହିଁରୁ ୩୬,୭୩୪ଟି ଫେକ୍ କଲ୍ ରହିଛି। ଯାହାକି ସମୁଦାୟ କଲ୍‌ର ୧୭ ପ୍ରତିଶତ। ଏହି ହେଲ୍‌ପ ଲାଇନ୍‌ ନମ୍ବରକୁ ପରିଚାଳନା କରୁଥିବା ଜିକିତ୍ସା ହେଲ୍‌ଥ କେୟାର ପକ୍ଷରୁ ବିଭିନ୍ନ ନମ୍ବର ବିରୋଧରେ ପୁଲିସରେ ଅଭିଯୋଗ କରାଯାଇଛି। ତଥାପି ଲୋକମାନେ ଏଭଳି କାର୍ଯ୍ୟରୁ ନିବୃତ୍ତ ହେଉ ନ ଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର